ଆସ ମା ଆସ
ଆସ ମା ଆସ
ଧରା ପୃଷ୍ଠେ ଆଜି ଅବଳା ଜାତି ଟା
ଦାନବର ଅତ୍ୟାଚାରେ ,
ସୁରକ୍ଷିତ ନୁହେଁ, ମାଳ ମାଳ ଦୈତ୍ୟ
ବୁଲନ୍ତି ଆଜି ଦାଣ୍ଡରେ ।।
ନାରୀ ପରା କାଳେ ଶକ୍ତି ଅବତାର
ଦୁନିଆ ତୁଣ୍ଡରେ କହେ ,
ନାରୀ ର ଇଜ୍ଜତ ଭୁଲୁଣ୍ଠିତ ଆଜି
କେତେ ନିର୍ଯାତନା ସହେ ।।
ସୁନ୍ଦର ମୁଖ ଟା ପିନ୍ଧିଛି ଦାନବ
ମହକାଳ ଫଳ ପରି,
ଉପର ସୁନ୍ଦର ଭିତର ଅଙ୍ଗାର
ଅଛି କେତେ ବିଷ ଭରି ।।
ମାଆ ଦଶଭୁଜା କିଛି ଦିନ ରହି
ଯାଉ ଅଛ ପୁଣି ଫେରି ,
ଏକ ମହିଷାସୁର ମାରିବାକୁ ଅବା
ମର୍ତ୍ତ୍ୟେ ଆସ ଅବତରି ?
ମାଆ ମାଆ ବୋଲି ସଂସାର ଯାକରେ
ପଡି ଅଛି ଏବେ ହୁରି,
ମାଆ ଦଶଭୁଜା ପଶୁ ରାଜ ଚଢି
ଆସ ମର୍ତ୍ତ୍ୟେ ଅବତରି ।।
କେଉଁ ଯୁଗେ ଅବା ଦାନବ ଙ୍କୁ ମାରି
ଧରା କୁ ଉଶ୍ୱାସ କଲ,
ଯୁଗ ଯୁଗ ପାଇଁ ଏ ଧରା ଧାମ ରେ
ପୂଜିତ ପରା ହୋଇଲ ।।
ସତ୍ୟ ଯୁଗେ ହେଲ ମହିଷା ମର୍ଦ୍ଦିନୀ
ଧରା ଭାର ଉଶ୍ବାସିଲ ,
ତ୍ରେତୟା ରେ ତୁମ୍ଭେ ସୀତା ରୂପ ନେଇ
ଦଶାନନ ବିନାଶିଲ ।।
ଭୂମିରୁ ଭୂମିଷ୍ଠ ଅଯୋନି ସମ୍ଭୂତା
ଭୂମି ସୁତା ବୋଲାଇଲ ,
ଛଳେ ଅରିକୁଳ ସ ବଂଶେ ବିନାଶି
ଭୂମି ମଧ୍ୟେ ମିଶି ଗଲ ।।
ଦ୍ବାପରରେ ମା'ଗୋ ଯାଜ୍ଞସେନୀ ରୂପେ
ଯଜ୍ଞ ରୁ ସମ୍ଭୂତ ହେଲ ,
ମୁକୁଳା କେଶ କୁ ଲହ ଲହା ଜିହ୍ୱା
କୌରବ ରକ୍ତ ପିଇଲ ।।
କଳି ଯୁଗେ ମାତା କେଉଁ ରୂପେ ତୁମ୍ଭେ
କେଉଁଠି ଲୁଚିଛ ଯାଇ ?
ଦାନବ କୁଳ ଟା ଉତ୍ପାତ ହେଲାଣି
ଧରା ନ ପାରଇ ସହି ।।
ପ୍ରକଟିତ ହୁଅ ନୂଆ ରୂପେ ମାଆ
ସହସ୍ର ଭୁଜ କୁ ସାଜି,
ଦାନବ କୁଳ କୁ ସଂହାର କର ମାଆ
ଡାକୁଛି ତୁମ୍ଭଙ୍କୁ ଆଜି ।।
ଅଟ୍ଟ ହାସ୍ୟ କରେ ଦଶାନନ ଆଜି
ଦୁଃଶାସନ ଛାଡେ ରଡ଼ି ,
କଂସ ରାକ୍ଷସ ଟା ଘୁରି ବୁଲୁଅଛି
ଚାରି ଆଡେ଼ ନିଶ ମୋଡ଼ି ।।
ପିତାମହ ଆଜି ତୁନି ରହି ଛନ୍ତି
ନ ପାରନ୍ତି ମୁହଁ ଖୋଲି,
ଧର୍ମ ରାଜ ପୁଣି ପତ୍ନୀ କୁ ବିକୁଚି
ଭାଇ ସଙ୍ଗେ ପଶା ଖେଳି ।।
ନାହାନ୍ତି ସେ ରାମ କୌଶଲ୍ୟା ନନ୍ଦନ
ସୀତା ପତି ଧନୁର୍ଦ୍ଧାରୀ ,
ନାହାନ୍ତି ଆଉ ସେ ଗୋପୀକା ବଲ୍ଲଭ
ସୁଦର୍ଶନ ଚକ୍ରଧାରୀ ।।
କଳି ରେ ରାକ୍ଷସ ବିନାଶ କର ମା
ଆସ ମର୍ତ୍ତ୍ୟେ ଅବତରି,
ପ୍ରତି ଅବଳାର ଅନ୍ତରେ ପ୍ରବେଶି
ଦିଅ ଦିବ୍ୟ ଶକ୍ତି ଭରି ।।
ବାଜେ ଘଣ୍ଟ ଶଙ୍ଖ ସଙ୍ଗେ ତୁର୍ଯ୍ୟ ନାଦ
ଆସ ମାତା ଅବତରି ,
ଜାଳୁଛି ଦୀପାଳି ଆଖିର ଲୁହରେ
ଆଶା କୁ ସଲିତା କରି ।।
କଳିଯୁଗେ ଦୈତ୍ୟ ଦୌରତ୍ମ୍ୟ ପ୍ରବଳ
ଦେଖି ମା ଯାଅ କି ଡରି ?
ଏମନ୍ତ ଦାନବ ମାତା ଙ୍କ ଶକ୍ତି କୁ
ପଡୁଅଛି କି ବା ଭାରି ??
ଅମର ବର କି ବ୍ରହ୍ମା ଠାରୁ ପାଇ
ହୋଇଛନ୍ତି ବଳିଆନ ,
ବର ପ୍ରଭାବ ରେ ମାତୃ ଜାତିଟାକୁ
ଦିଅନ୍ତି କେତେ କଷଣ ।।
ଦୁର୍ବଳ ହେଲା କି ଶାର୍ଦ୍ଦୂଳ ବାହନ
ତୃଣ ପତ୍ର ଖାଇ ଖାଇ,
ଦାନବ ରକ୍ତ ରେ ମନ ବଳୁ ନାହିଁ
ରହି ଅଛି କିବା ଶୋଇ ?
ଆୟୁଧେ ତୁମ୍ଭର ଶାଣ କିବା ନାହିଁ
ଦାନବ ସଂହାର ପାଇଁ ,
ରେ ରେ କାର କରି ପ୍ରକଟିତ ହୁଅ
ରକ୍ତ ପିଅ ପେଟ ଭରି ।।
ମାଆ ସିନା ବୁଝେ ସନ୍ତାନ ର ଦୁଃଖ
ମନ କଥା ପାରେ ଜାଣି ,
କିପରି ମାଆ ଲୋ ବୁଝୁ ନାହଁ ଦୁଃଖ
ଚୁପ୍ ଅଛ ଜାଣି ଜାଣି ।।
ମାଆ ଛଡା ଆଉ ସଂସାର ଯାକରେ
ଦୁଃଖ ବେଳେ କିଏ ସାହା,
ଶୁଣ ମା ଗୁହାରି ପୂର୍ଣ୍ଣ କର ଆଶା
ଡାକେ କେତେ ମାଆ ମାଆ ।।