ବ୍ରହ୍ମଦାରୁ
ବ୍ରହ୍ମଦାରୁ
ସିନ୍ଧୁ ତୀର କ୍ଷେତ୍ରବର ଶ୍ରୀନୀଳକନ୍ଦର
ବିଜେ ତହିଁ ବ୍ରହ୍ମଦାରୁ ପରମ ଈଶ୍ୱର |
ଯେ କ୍ଷେତ୍ର ମହିମା ଚରାଚରେ ଅଗୋଚର
ମର୍ତ୍ତ୍ୟ ବଇକୁଣ୍ଠକମ୍ବୁ କଟକ ସୁନ୍ଦର |
ବ୍ରହ୍ମା ଡାକୁଛନ୍ତି ଯା'ରେ ମଣିମା ମଣିମା
ଇନ୍ଦ୍ର ଡାକୁଛନ୍ତି ଦେବ ଗୁହାରୀ ଶୁଣିମା |
ଦେବ ଦେବ ମହାଦେବ ଯହିଁ ସ୍ତୁତିରତ
ବରୁଣ କୁବେର ଉଭା ହୋଇ ମଥାନତ |
ପବନ କରନ୍ତି ମୃଦୁ ବ୍ୟଞ୍ଜନ ଚାଳନ
ବୀଣା ତାନେ ଦେବଯତି ମୋହୁଛନ୍ତି ମନ |
ଶମନ ନମନ କରୁଥାନ୍ତି ଯୋଡ଼ି କର
ଖଟନ୍ତି ପୟରେ ସୁଧାକର ପ୍ରଭାକର |
କମଳା କୋମଳ ଅଙ୍କେ କରନ୍ତି ବିହାର
ବାଣୀ ରାଣୀ ବୀଣାପାଣି ବଦନେ ଯାହାର |
ଅଷ୍ଟଶକ୍ତି ମହାବିଦ୍ୟା ଯା ପରିଚାରିଣୀ
ଅମର ଅମରୀ ମିଳି କରନ୍ତି ଦୟିନୀ |
ନାମ ଶୁଣୁ ଶୁଣୁ ଯାର ଟେକି ଦ୍ୟନ୍ତି ହସ୍ତ
ଚରାଚର ବିଶ୍ୱ କୀଟୁ ବ୍ରହ୍ମ ପରିଯନ୍ତ |
ଅରୁଣ ଗରୁଡ଼ ଯହିଁ ନିତ୍ୟ ସେବାରତ
କ୍ଷେତ୍ର ରକ୍ଷାକର୍ତ୍ତା ଲୋକନାଥ ହନୁମନ୍ତ |
ଯୋଗୀଗଣ ଧ୍ୟାନେ ଯା'କୁ କରନ୍ତି ଦର୍ଶନ
ବେଦ ପୁରାଣ ଯା 'କୀର୍ତ୍ତି କରନ୍ତି ଗାୟନ |
ଅନନ୍ତ ମହିମା ସୁରାସୁରେ ଅଗୋଚର
ଅନ୍ତ ପାଇ ନପାରନ୍ତି ହର ବେଦବର |
କଳ୍ପ କଳ୍ପ ଜଳ୍ପି ଋଷି ପାଇଲେନି ଅନ୍ତ
ତଳ୍ପ ସାଜି ନପାଇଲେ ନାଗେଶ ଅନନ୍ତ |
ମାଳ ମାଳ ବିଶ୍ୱ ଯାର ଲୋମେ ପରକାଶ
ପୟର ପାତାଳ ଶିର ଅସୀମ ଆକାଶ |
ବଡ଼ପଣେ ଉଡ଼ାଉଛି ପତିତପାବନ
ଚତୁର୍ଦ୍ଧା ମୂରତି ବିଜେ ରତ୍ନ ସିଂହାସନ |
ଚଉବର୍ଗ ଦାନୀ ମହାବାହୁ ବଳିୟାର
ଖୋଲିଛି ମହାପ୍ରସାଦ ଆନନ୍ଦ ବଜାର |
ବିଚିତ୍ରକର୍ମାର ଏତ ବିଚିତ୍ର ଭବନ
ଅନେକ ଆଶ୍ଚର୍ଯ୍ୟମାନ ହୁଅଇ ଲୋକନ |
ସୌମ୍ୟ ନରସିଂହ ରୂପ ପ୍ରଭୁ ଜଗନ୍ନାଥ
ଶ୍ରୀପୟରେ ଜଗା କରେ କୋଟି ପ୍ରଣିପାତ |