ହେ ଦେବୀ
ହେ ଦେବୀ
ହେ ଦେବୀ ତୁମେ ପରମ ବୈଷ୍ଣବୀ
ପାର୍ବଣ ଲଗନେ ଆସ ଆସ;
ଆତୁରେ ଆକୁଳେ ଡାକୁଛି ପୃଥିବୀ
ଧୋଇ ନିଅ ଯେତେ ଅଛି କ୍ଳେଶ;
ହେ ଦେବୀ ତୁମେ ପରମ ବୈଷ୍ଣବୀ।।
ଶାରଦୀୟ ଜହ୍ନ ଆକାଶେ ଉଜ୍ଜ୍ୱଳ
ରୂପେଲି ରଙ୍ଗ ରୋଷଣୀ ଫେଇ;
ନଦୀ ନଦ ଭରା କାଚ କେନ୍ଦୁ ଜଳ
କାଶତଣ୍ଡି ହସେ ରହି ରହି;
ଅମୀୟ ପ୍ରକୃତି ବେଶ;
ହେ ଦେବୀ ତୁମେ ପରମ ବୈଷ୍ଣବୀ।।
ରସହୀନ ରସା ଦିଅ ମା’ଭରସା
ତୋର ଆଗମନ ଚାହିଁ ଚାହିଁ;
ଅନେକ ଦିନରୁ କରିଛି ମୁଁ ଆଶା
ସେ ଆଶା ପୁରଣ ହେବାପାଇଁ;
ମନେ ଭରି ମୋ ବିଶ୍ୱାସ;
ହେ ଦେବୀ ତୁମେ ପରମ ବୈଷ୍ଣବୀ।।
ନାରୀ ନିର୍ଯାତନା ମରେ ଶିଶୁ କନ୍ୟା
ଅତ୍ୟାଚାର ଅନ୍ୟାୟର ଦାଉ;
ସହି ହେଉନାହିଁ କରୁଛି ବନ୍ଦନା
ଆସ ବେଗେ ବେଳ ନାହିଁ ଆଉ;
ଚାହିଁଛି (ତୋ) ଆସିବା ପଥ;
ହେ ଦେବୀ ତୁମେ ପରମ ବୈଷ୍ଣବୀ।।
ଭରସା ତୁଟିବା ଆଗରୁ ମୋ ଆଶା
ପୁରଣ କରିବୁ ମହାମାୟୀ;
କଣ୍ଠରୁଦ୍ଧ ମୋର ସ୍ଫୁରୁନାହିଁ ଭାଷା
ଧ୍ୟାନ ମୁଁ କରୁଛି ତୋତେ ଧ୍ୟାଇ;
ନକରିବୁ ମା’ ନିରାଶ;
ହେ ଦେବୀ ତୁମେ ପରମ ବୈଷ୍ଣବୀ।।