ମାନବ ସେବା ହିଁ ମାଧବ ସେବା
ମାନବ ସେବା ହିଁ ମାଧବ ସେବା
ମାନବ ସେବା ହିଁ ମାଧବ ସେବା
ସବୁ ସେବା ଠାରୁ ଶ୍ରେଷ୍ଠ ମଣିଷର ସେବା
ଆସ ହେ କରିବା ତାହା ମନକୁ ଜାଣିବା ।
ମାନବ ସେବା ହିଁ ଅଟେ ମାଧବଙ୍କ ସେବା
ଜୀବନେ ସଞ୍ଚରେ ଯାହା ଅନୁପମ ବିଭା ।
ସ୍ନେହ ‐ ସୌହାର୍ଦ୍ଦ୍ୟର ଅନାବିଳତାରେ ଯାହା
ସାଧିତ ହୁଅଇ ତାହା ହିଁ ପ୍ରକୃତ ସେବା ।
ସହଯୋଗ ଅଟେ ସେବାର ସ୍ବଭାବ
ସହନଶୀଳତା ସହ‐ଅନୁଭବ‐ଭାବ ।
ଘେନି ସୁସାଧିତ କରମ ଯେତେକ ସେବା
ସେବା ବଳେ ପ୍ରସ୍ଫୁଟିତ ପ୍ରତ୍ଯେକ ପ୍ରତିଭା ।
ପ୍ରକୃତି ପ୍ରତ୍ଯେକ ସ୍ତରେ ସନ୍ତୋଷ ଚିତ୍ତରେ
ଯୋଗାଉଛି ନିତ୍ଯ ସେବା ପ୍ରାଣୀଙ୍କ ହିତରେ ।
ଯହିଁ ଚାହଁ ତହିଁ ଦେଖ ସେବାର ସମ୍ଭାର
ନିଖିଳ ପ୍ରକୃତି ଚିର ସେବନ ମୁଖର ।
ନଦ ନଦୀ ଗିରି ବନ ବୃକ୍ଷ ତରୁ ଲତା
ପ୍ରସାରନ୍ତି ପ୍ରତି ପ୍ରାଣେ ସେବାର ବାରତା ।
ବିଭାବସୁ ହସି ହସି ନଭୁ ନିରନ୍ତର
ବିତରନ୍ତି ସାରା ବିଶ୍ବେ ଆଲୋକର ଧାର ।
ନିଃସ୍ବାର୍ଥ ଅନ୍ତରେ ଚିର ଅବିଶ୍ରାନ୍ତ ରତ
ଶିଖାଅନ୍ତି ବିଶ୍ବେ ନିତି ସେବାର ମହତ୍ତ୍ବ ।
ପ୍ରାଣୀ ଓ ଉଦ୍ଭିଦେ ତାଙ୍କ ସେବାର ଆଧାରେ
ଲୀଳା ଖେଳା ରତ ନିତ୍ଯ ଛନ୍ତି ବସୁଧାରେ ।
ପଶୁ ପକ୍ଷୀ ତରୁ ତୃଣ କୀଟ ପତଙ୍ଗମ
ମାନଙ୍କର ସେବା କର ହେ ହୃଦୟଙ୍ଗମ ।
ଶିଖ ତାଙ୍କଠାରୁ ନିତି ସେବା ସୁ-ମହତ୍ତ୍ଵ
ବିଶ୍ବରେ କିପରି ଅଟେ ସେବାର ମହତ୍ତ୍ବ ।
ପରିବେଶ ପରିସ୍ଥାନ ସୃଷ୍ଟି ସନ୍ତୁଳନ
ଖାଦ୍ଯ‐ ଶୃଙ୍ଖଳ ସୁରକ୍ଷା ପରି ବହୁ କାମ ।
ଅତନ୍ଦ୍ର ଜାଗ୍ରତ ଭାବେ ସାଧନ୍ତି କେ ? ନିତ୍ଯେ ?
ରତ ଥାନ୍ତି ହିତେ ଚିର ମାନବ ନିର୍ମିତେ ।
ସଂସାରର ବେନି ତତ୍ତ୍ବ ଜଡ ଓ ଚେତନ
ପରସ୍ପର ପ୍ରତି ସେବା କରନ୍ତି ଅର୍ପଣ ।
ମାନବ ସେବା ହିଁ ଅଟେ ମାଧବଙ୍କ ସେବା
ଦୁଃଖୀ ଦରିଦ୍ର ଦୁର୍ଗତ ଜନତା ସେବା ।
କରି ବଢେ ପୁଣ୍ୟ ଲାଭ ସୁଦିବ୍ୟ ଚେତନା
ପ୍ରସାର ନିମନ୍ତେ ମନେ ଭରେ ଉଦ୍ଦିପନା ।
ମାନବ ସେବାରେ ହୁଏ ମାଧବଙ୍କ ସେବା
ଆସ ହେ ସକଳେ ନିତି ତାହା କରିଯିବା ।
ଜୀବନ କାଳରେ ପୁଣ୍ୟ ଅର୍ଜନ କରିବା
ମାନବ ସେବା ଅଟଇ ମାଧବଙ୍କ ସେବା ।