ନୀଳଶିଖା
ନୀଳଶିଖା
ଲୁହ ମୋର ବାଷ୍ପୀଭୂତ
କେଉଁ ଅଦୃଶ୍ୟ ଉଷ୍ମତାରେ ,
ପଡ଼ିବ କି ଝରି ଟୋପାଏ ତୋ ପାଟପତନୀରେ
ତୋ ନୀଳ ପାଦପଦୁଅଁରେ ।
ମୋ ନୀରବ ଆଖିଭାଷା କରିବୁ କି ଅନୁଭବ ?
ବୁଝିବୁ କି ଥରୁଟିଏ ତୋ ପାଇଁ ମୋ ଅନ୍ତଃରାଗ ।
ଅହେତୁକ ଶକ୍ତିଟିଏ
ଚେଇଁଉଠିବ କି ମୋ ହୃଦକନ୍ଦରରେ
ତୋ ଅଧର ସ୍ମିତହାସ୍ୟେ
ଖେଳିଯିବ ବିଜୁଳିର ଛଟାଟିଏ
ଘନଘୋର ଅନ୍ଧାରର ନିବୁଜ କକ୍ଷରେ ।
ମୁଁ ଦେଖୁଥିବି ତତେ ଅପଲକ ନେତ୍ରେ
ଅତୀତରୁ ଅନାଗତ ଯାଏଁ
ମୁଁ ଖୋଜୁଥିବି ତତେ ମତେ ଛୁଁ ଖେଳର ସ୍ମୃତି
ପାଦ ଅବଶ ହେଲା ଯାଏଁ ।
ତୁ ଖାଲି ଭାବ ନୁହଁ ମୋର !
ତୁ ଯେ ମହାଜ୍ୟୋତି ମହାଭାବର !
ଯାହା କିଛି ସମର୍ପିବି ତତେ !
ରାଣ ମୋ ରହିଲା
ମାନ ରଖି ତୋଳିନେବୁ ଆଗ୍ରହରେ ,
ଜୀବନ ବୃତ୍ତର ପରିଧିରେ
ବେଳେ ବେଳେ ଝୁଣ୍ଟିପଡେ
ବିଶ୍ୱାସର ଦୀପ ଶିଖା ଜଳିଉଠେ
ତୁ ସର୍ବଦା ଆଲିଙ୍ଗନ ମୁଦ୍ରାରେ ।
ତୁ' - କ'ଣ କମ୍ କି ?
ତୁ -ଯେ ତାରା ଫୁଲଟିଏ
ମୋ ହସ ଲୁହର ଅଗଣାରେ ,
ତୁ -ଯେ ଚିକ୍ ଚିକ୍ ମୁକ୍ତାଟିଏ
ମୋ ପାପ,ପୂଣ୍ୟର ରହସ୍ୟ ସାଗରରେ ।
ତୋ ରେଶମୀ ରେଶମୀ ଅନୁଭବ
ଭେଦି ଭେଦି ଯାଏ ମୋ ସମଗ୍ର ସତ୍ତାରେ ,
ତୋ ପାଇଁ ଖେଳିଯାଏ, ଆଲୋକର ଛଟାଟିଏ
ମୋ ଜୀବନର କନ୍ଦି ବିକନ୍ଦିରେ ।
"କହ୍ନେଇଁ"ରେ !
"ତୁ "
ନିତ୍ୟ ନୂତନ ଅନୁଭବ
ମୋ ଅନ୍ତଃକରଣରେ
ମୋ ଲୋଡିଲାପଣର ଆତୁରତାରେ ।