ପର୍ବତାରୋହଣ
ପର୍ବତାରୋହଣ
ପର୍ବତାରୋହଣ ଶ୍ରମ କଷ୍ଟସାଧ୍ୟ
ଅଭ୍ୟାସେ ହୁଏ ଆୟତ୍ତ
ପ୍ରତି ପାଦେ ଥାଏ ଆହ୍ୱାନ ଅନେକ
ଜୀବନ ପ୍ରତି ବିପଦ ।
ପର୍ବତର ତୀଖ ଚିକ୍କଣ ପୃଷ୍ଠରେ
ଅଣ୍ଟାରେ ଦଉଡି ଭିଡି
ପର୍ବତଆରୋହୀ ଚଢଇ ଶିଖର
ଜୀବନକୁ ପଣ କରି ।
ଅତି ସନ୍ତର୍ପଣ ସତର୍କ ସହିତ
ଥାପିଣ ଶରୀର ଭାର
ଝୁଲେ କେତେବେଳେ ଶୂନ୍ୟରେ ତ ପୁଣି
ଖସିପଡେ ବାରମ୍ବାର ।
ଖାଦ୍ୟ ଓ ପାନୀୟ ନିଶ୍ୱାସ ପ୍ରଶ୍ୱ।ସେ
ହୁଏ କଷ୍ଟ ଅସୁବିଧା
ପ୍ରଗାଢ଼ ବିଶ୍ୱାସେ ଆରୋହଣକାରୀ
ଅତିକ୍ରମେ ସବୁ ବାଧା ।
ଦୁଇଟି ଶିଖର ମଧ୍ୟେ ରହିଥାଏ
ବିରାଟ ଗଭୀର ଖାଇ
କଲେ ନିରନ୍ତର ଉଦ୍ୟମ ଆରୋହୀ
ଅକ୍ଳେଶେ ପାରଇ ଡେଇଁ ।
ଛୁଇଁଲେ ଶିଖର ପର୍ବତାରୋହଣେ
ଅନୁଭବ ହୁଏ ଖୁସି
ନୂଆ କୀର୍ତ୍ତିମାନ ନୂତନ ଆଲୋକେ
ଉଜ୍ଜ୍ୱଳି ଉଠଇ ଆଖି ।
ଉଡେ ଫରଫର ବିଜୟ ପତାକା
ଆରୋହୀ ମନେ ଉଲ୍ଲାସ
ଭରେ ଜନମନେ ଆନନ୍ଦ ଉତ୍ସାହ
ଆରୋହଣ ଦୁଃସାହସ ।