ପ୍ରେମ ଚାଙ୍ଗୁଡ଼ାରେ ଶରଧା ଫୁଲ
ପ୍ରେମ ଚାଙ୍ଗୁଡ଼ାରେ ଶରଧା ଫୁଲ
ତୋଳିଛି ମୁଁ କେତେ ସରାଗରେ
ଯତନେ ରଖିଛି ସଜାଇ
ପ୍ରେମ ଚାଙ୍ଗୁଡ଼ାରେ ଶରଧା ଫୁଲ
କୋମଳ ହୃଦୟକୁ କରି ମୋର ପବିତ୍ର
ଦେବି ବୋଲି ତୁମକୁ ପ୍ରୀତିର ଉପହାର
ଆଶା ଅଛି ମନେ ମୋର ଅସରନ୍ତି
ଭାଷା ଉଙ୍କି ମାରୁଛି ଅରୁଣ ଅଧରରେ
ଭାବିଛି ତୁମେ ବି ମୋତେ
ବସନ୍ତର ଫଗୁଣ ପରି ପାଇବ ଭଲ
ତୁମ ପ୍ରୀତିର ଭାବ ଭାଷା ଅଜାଡ଼ି
ମୋ ଜୀବନକୁ ଦେବ ସଜାଡ଼ି
ଫୁଲର ପଥେ ପଥେ ଚାଲିବା ହାତ ଧରି
ଅଗାଧ ଭରସା ବିଶ୍ବାସ ରଖି
ଭରିଛି ମହକଭରା କେତେ ଜାତିର
ପ୍ରେମ ଚାଙ୍ଗୁଡ଼ାରେ ଶରଧା ଫୁଲ
ସେ ଫୁଲ ପରି ତୁମର ବି ହୃଦୟଟିଏ
ହୋଇଥିବ କମନୀୟ ମହନୀୟ
ଭାବିଛି ମନେ ଅନେକ ବିଚାର କରି
ପ୍ରାଣରେ ପୁଲକି ଉଠୁଛି ସ୍ବପ୍ନ ମୋର
ତୁମକୁ ନେଇ ଝଟକି ଉଠିବ ଇନ୍ଦ୍ରଧନୁ
ମୋ ଭାବନାର ଆକାଶରେ
ପୁନେଇଁ ଜହ୍ନ ବି ଉଇଁବ ଅନୁରାଗେ
ଆମକୁ ସ୍ବାଗତ କରିବା ପାଇଁ
ଢାଳୁଥିବ ଜୋଛନା ତାର ସାରାରାତି
ତୁମେ ଆସି ମୋ ମନରେ ମନ ମିଳାଇବ
ଏକାକାର ହୋଇଯିବା ଆମେ ଦୁହେଁ
ସବୁଜ ଘାସରେ ଶିଶିର ବିନ୍ଦୁ ପରି
ହସୁଥିବା ଆମେ କଅଁଳ କିରଣରେ
ଝରି ମାଟିରେ ମିଶିବା ଯାଏଁ
ଆଖିରେ ଆଖିଏ କଜ୍ଜଳ ନାଇ
ସ୍ବପ୍ନରେ ସ୍ବପ୍ନରେ ହୁଏ ମୁଁ ବିଭୋର
ମନ ବଗିଚାରୁ ତୋଳି ରଖିଛି ସଜାଇ
ପ୍ରେମ ଚାଙ୍ଗୁଡ଼ାରେ ଶରଧା ଫୁଲ
ସେ ସଜଫୁଟା ଫୁଲ ଯାଏ ମଉଳି ଝାଉଁଳି
ତୁମ ବିରହର ବିଚ୍ଛେଦରେ ଟାଣ ଖରା ପାଇ
ତୁମେ କି ଏତେ ନିଷ୍ଠୁର ହୃଦୟହୀନ
ବୁଝୁନ କ'ଣ ଚାହେଁ ଏ ଜୀବନ
ଆସ ମୋ ପାଖକୁ ପାଖେଇ ବେଗେ
ଅପେକ୍ଷା କରିବାକୁ ଆଉ ଧୈର୍ଯ୍ୟ ନାହିଁ
ହୁଏତ ଏ ଯୌବନ ଏ ମନ ଏ ଜୀବନ
କାଲିକୁ ଫିକା ପଡି ଝଡ଼ି ଯିବ
ତୁମ ଆରାଧନା ତୁମ ପୂଜା କରିବାକୁ
ଗୁନ୍ଥୁଛି ଅତି ସୁନ୍ଦର କରି ସଂପର୍କର ମାଳ
ମଧୁର ମହକ ବିତରି ଦେବେ ଯେତେ
ପ୍ରେମ ଚାଙ୍ଗୁଡ଼ାରେ ଶରଧା ଫୁଲ।