ପ୍ରେମରେ କଳଙ୍କ
ପ୍ରେମରେ କଳଙ୍କ
ହୃଦ ନନ୍ଦନ ରେ ପ୍ରେମ ପାରିଜାତ
ଫୁଟି ନିତି ବାସୁଥାଏ,
ଭଲ ପାଇବାର ଊଣା ହେଲେ ଟିକେ
ଅଚିରେ ଝାଉଁଳି ଯାଏ ।।
ପ୍ରକୃତ ପ୍ରେମରେ ନ ଲାଗେ କଳଙ୍କ
ନ ଥାଏ ସ୍ବାର୍ଥର ଲେପ,
ସମାଜ ଆକଟ ବାଧା ବନ୍ଧନ କୁ
କରେନି କେବେ ଭ୍ରୁକ୍ଷେପ ।।
ଦୁଇଟି ମନର ମିଳନରେ ହୃଦେ
ପ୍ରେମ ବୀଜ ଅଙ୍କୁରିତ,
ଭୁଲ୍ ବୁଝାମଣା ଆଣିଥାଏ ଝଡ
ପ୍ରେମ ହୁଏ କଳୁଷିତ ।।
ଶାଶ୍ଵତ ପ୍ରେମରେ କଳଙ୍କ ନ ଥାଏ
ନ ଥାଏ ଧନ ଲାଳସା,
ପ୍ରେମୀ ର ବିରହେ ପ୍ରେମୀ ହୁଏ ଦହି
ପ୍ରେମୀ ବୁଝେ ପ୍ରେମ ଭାଷା ।।
ପ୍ରେମ ତ ନୁହଇ ପାଣି ପରେ ଗାର
କ୍ଷଣକେ ମିଳାଇ ଯିବ,
ଶୁଦ୍ଧ ପ୍ରେମ ଅଟେ ହୃଦୟରେ ଗାର
ଚିରଦିନ ରହିଥିବ ।
ପ୍ରେମୀ ବୁଝେ ଖାଲି ପ୍ରେମ ପରିଭାଷା
ହୃଦୟର ଉଦ୍ବେଗତା,
ଦୁଃଖ କଷଟି ରେ ମାଜି ହେଉଥାଏ
ଫୁଟୁଥାଏ ଔଜ୍ଵଲ୍ୟତା ।।
ଯେତେ ପୋଡୁଥିଲେ ବିଶୁଦ୍ଧ ସୁବର୍ଣ୍ଣ
ନ ହରାଏ ମୌଳିକତା,
ଶାଶ୍ଵତ ପ୍ରେମ ଟି ଦୁଃଖ ଅନଳ ରେ
ନ ହରାଏ ତାର ସତ୍ତା ।।
ଭକ୍ତ କରିଥାଏ ଈଶ୍ୱର ଙ୍କୁ ପ୍ରେମ
ମାତା ପୁତ୍ରେ ପ୍ରେମ ଭାବ,
ଭାଇ ଭଗିନୀ ରେ ଅଲୌକିକ ପ୍ରେମ
ନ ଥାଏ ତ୍ୟାଗ ଅଭାବ ।।
ପତି ପତ୍ନୀ ମଧ୍ୟେ ଐଶ୍ୱରୀୟ ପ୍ରେମ
ନିବିଡ ବନ୍ଧନ ସେ ତ,
ପ୍ରେମ ଦିଆ ନିଆ ମନ ବୁଝାମଣା
ହୃଦଗତେ ଅପ୍ରମିତ ।।
ଇତର ପ୍ରାଣୀରେ ପ୍ରେମ ହୁଏ ଜାତ
ବନ୍ଧନ ପ୍ରେମ ରଜ୍ଜୁରେ,
ଭଲ ପାଇବାର ଋଣ ଶୁଝିଥାନ୍ତି
ପୋଷା ଜୀବ କୃତଜ୍ଞ ରେ ।।
ଆଜି କାଲି ପିଢ଼ି ପ୍ରେମରେ ଛଳନା
ଦୈହିକ ସୁଖ ଆଶା ରେ,
ସ୍ବାର୍ଥ ଟି ହାସଲ ହୋଇଗଲା ପରେ
ଖସିଯାନ୍ତି ଗୋପନ ରେ ।।
ଲୋକ ଲଜ୍ଜା ଡରେ କହି ନ ପାରନ୍ତି
ନିଜ ଘର ପରିବାରେ,
କଳଙ୍କ ର ଟିକା ପୋଛି ଦେବ କିଏ
ଏହି ସ୍ୱାର୍ଥୀ ସଂସାର ରେ ।।
ରାଧା କୃଷ୍ଣଙ୍କ ର ଅକଳଙ୍କ ପ୍ରେମ
ଆଜି ବି ସଂସାର ଗାଏ,
କୃଷ୍ଣ ବିନା ରାଧା ରାଧା ବିନା କୃଷ୍ଣ
ବିରହେ ମରମ ଦହେ ।।
କୃଷ୍ଣ ପ୍ରେମେ ବାଇ ସାଧ୍ୱୀ ମୀରାବାଈ
କୃଷ୍ଣ ନାମେ ବିଷ ପିଏ,
ପ୍ରେମେ ଶ୍ରୀଚୈତନ୍ୟ ନଗ୍ରନଗ୍ର ଭ୍ରମି
ହରେ କୃଷ୍ଣ ନାମ ଗାଏ ।
ଅଢେଇ ଅକ୍ଷର ପ୍ରେମ ଅଟେ ସିନା
ପ୍ରେମରେ ବଶ ଜଗତ,
ପ୍ରେମ ବିନା ନାହିଁ ଜଗତ କଳ୍ପନା
ପ୍ରେମେ ସୃଷ୍ଟି ଆତଯାତ।।
ଯେ ପ୍ରେମ ରେ ଲାଗେ କଳଙ୍କ ର ଦାଗ
ନୁହେଁ ସେ ଶାଶ୍ଵତ ପ୍ରେମ ,
ପ୍ରେମ ର ନାମ ରେ ମିଛ ପ୍ରତାରଣା
ପ୍ରେମ ନାମେ ମତିଭ୍ରମ ।।