ପୂର୍ଣ୍ଣାହୂତି
ପୂର୍ଣ୍ଣାହୂତି
ତୁମ ମନ୍ଦିରର ମୁଣ୍ଡି ମାରି
ଝାସ ଦିଏ ଧର୍ମପଦ
ଅତଳ ସାଗରେ
ବାକଶୂନ୍ଯ ହୋଇଯାଏ
ପ୍ରବାଳ ପ୍ରେମରେ
ବାରମ୍ବାର ଲମ୍ଫିବାକୁ ମନ ଉସୁକାଏ
ଛୁଇଁବାର ବିରଳ ଲାଳସା
ହାତଠାରି ଡାକୁଥାଏ
ମୃତ୍ୟୁ ଉପତ୍ୟକା
ଶରତର ପୂର୍ଣ୍ଣମୀ ତିଥିରେ ।
ନିଷ୍ପ୍ରଭି ଯାଆନ୍ତି
ସମ୍ପର୍କର ସବୁ ପ୍ରଶ୍ନ
ଗୋଟିଏ ଉତ୍ତରେ।
ଖୋଲେ ଏ ପଲକ ପୁଣି
ବନ୍ଦ ହୋଇଯାଏ
କ୍ଷୁଧାର୍ତ୍ତର ଚରମ ତୃପ୍ତିରେ ।
ସତେ କିବା ଶିଖା ସବୁ ବିଲୀନ ହୁଅନ୍ତି
ଶାଶ୍ବତ ଯଜ୍ଞର ପୂର୍ଣ୍ଣାହୂତି ପରେ ।
ନିସ୍ତେଜ ଶରୀର ପଡିଥାଏ
ଫୁଲର ଶଯ୍ଯାରେ
ପ୍ରତିଧ୍ବନି ବ୍ଯାପିଯାଏ ତରଙ୍ଗରେ
ଶୂନ୍ଯତାରେ ଶୁଭେ ଖାଲି
"ଆଉ ଥରେ"
"ଆଉ ଥରେ" ।
ପୁଣି ଥରେ ଚାଲୁହୁଏ ବିଗ୍ ବେନ୍
ସ୍ମୃତି ସାକ୍ଷୀ ରହିଯାଏ
ମାନସପଟରେ
ଦିନ ପରେ ପରେ ବିତିଯାଏ
ଆଶା ଆଶଙ୍କାରେ ।