ରମଣୀ
ରମଣୀ
ଓଃ ସୁନ୍ଦର (0)
ସବୁଠାରୁ ସୁନ୍ଦର ରମଣୀ
ରମଣୀର ନିଜ ଘର କେଉଁଟା
ବାପ ଘର ନା ଶାଶୁ ଘର
ନା ନା କେଉଁଟା ବି ନୁହଁ ମଶାଣି
ଓଃ ! ମଶାଣି (1)
ମଶାଣିର ନିଜର କିଏ
ଶବ ନା ଶବଦାହ
ନା ନା କେଉଁଟା ବି ନୁହଁ ଭୂତ, ଡାହାଣୀ
ଓଃ ଡାହାଣୀ (2)
କାହିଁକି ହୁଏ ଯେ ନାରୀ ଡାହାଣୀ
କଣ ଯୌତୁକର ଜଂତୁଣୀରେ
ଦଳି ପୋଡି ମାରିଦେବାରୁ ନା
ପ୍ରେମରେ ପାଗଳିନୀ ରାଧା ସାଜି
ପୁରୁଷକୁ ମନ ଦେଇ ହାରିଥିବାରୁ
ନା ନା କେଉଁଟା ବି ନୁହଁ
ଅମଣିଷ ଗଣ ତା ଦେହକୁ ଦେଲେ ଝୁଣି
ଓଃ ଝୁଣି (3)
କିଏ ନ ଝୁଣୁଛି ତାକୁ
ଜନ୍ମରେ ପରିବାର ଲୋକେ
ବାଲ୍ୟରେ ଘର କର୍ମ ସାଥେ ପାଠ ପଢା
ଯୌବନରେ ପ୍ରେମ ପ୍ରେମିକ
ବୈବାହିକ ଜୀବନରେ
ଝିଅ ଜନ୍ମ କରିବାର ମହା ଯନ୍ତ୍ରଣା
ଶାଶୁଘର ଲୋକଙ୍କ ଅତ୍ୟାଚାର
ସ୍ୱାମୀର ନିତି ନିୟମ
ଚାକରାଣୀ କର୍ମ ଆଉ ରାତିର ଦେହ ଦଳନ
ପୁଣି ଛୁଆର ଭୁଲ ପାଇଁ
ନିନ୍ଦାର ପାନ୍ଥଶାଳା ରେ ଭାରାକ୍ରାନ୍ତ ବାଟୋଇ
ବିଧବାର ବିଷ ଥାଳିରେ
ନିନ୍ଦା ଘୃଣା ଅପମାନର ଅଲୋଡ଼ା ଭୋଗ
ଆଉ ବୃଦ୍ଧା ବୟସରେ ଵୃଦ୍ଧାଶ୍ରମରେ
ଓଦା ନୟନରେ ପୁତ୍ର ଶ୍ରଦ୍ଧାର ଲହୁ
ଶେଷରେ ମୁଖା ଅଗ୍ନିରେ ପୁଅର ଚାହାଣି
ଓଃ ଚାହାଣୀ ! (4)
କଣ ଆଉଥରେ କହିବି
ଓଃ ରମଣୀ
ସବୁଠୁ ସୁନ୍ଦର ତା ଚାହାଣୀ
ନା ନା ସବୁଠି କଷ୍ଟ ପାଏ ରମଣୀ
ସେ ହେଉ ଭଗିନୀ
ସେ ହେଉ ଯୁଗିନୀ
ସେ ହେଉ ମା’ କି ରାମା
ସେ ହେଉ ଢେମଣୀ ।।