ସ୍ୱପ୍ନ
ସ୍ୱପ୍ନ
ସ୍ୱପ୍ନ କେଉଁଠୁ ହଠାତ୍ ଟପକି ପଡ଼େ
ଛାଇ ନିଦର ସୁକୋମଳ ଫୁଲର ବିଛଣାରେ
ରିକ୍ତ ମନକୁ କରେ ଆଶା ଆସକ୍ତିରେ ସିକ୍ତ
ଏକତାର ଧ୍ୟାନରେ କରାଏ ମଗ୍ନ
ସହଜରେ ତାର ଭାବ ହୁଏନା ଭଗ୍ନ
ଆଖି ଆଗେ ଭାସେ ଅସରନ୍ତି ଦୃଶ୍ୟରାଜି
ଶୂନ୍ୟ ଆକାଶର ଭସା ବଉଦ ଭଳି
ଯାଉଥାଏ ସେ ଖେଳି ଖେଳି
ପୁଳା ପୁଳା ଭେଳା ଭେଳା
ବସିଯାଏ ତାର ମନୋହରୀ ମେଳା
ଚକିତେ ତୁରିତେ କରାଏ ଭାବ ବିହ୍ଵଳ
ଦିଶେ ଭାରି ରଙ୍ଗୀନ୍ ଉଜ୍ଜ୍ଵଳ
ଆକର୍ଷିତ କରେ କାମିନୀ କାଞ୍ଚନର
ମୋହ ଆଡ଼କୁ ବାରମ୍ବାର
ଚିନ୍ତା ଚେତନାକୁ କରାଏ ଦିଗହରା
ନିୟନ୍ତ୍ରଣ ହରାଏ ସ୍ଵପ୍ନ ବିଳାସି
ସ୍ୱପ୍ନ ସ୍ୱପ୍ନରେ ହୁଏ ବିଭୋର
ନ ବୁଝି ନ ବିଚାରି ସ୍ୱପ୍ନର ମର୍ମ
ଅବାନ୍ତର ଭାବନାରେ ହୁଏ ତରସ୍ତ
ମନ ତାର ନବ ନବ ଛବି ଆଙ୍କେ
ସମୟ ସୁଯୋଗ ହେଲେ ବି ବାଧାପ୍ରାପ୍ତ
ସ୍ୱପ୍ନ ରାସ୍ତାକଡ଼ର ଅନାବନା
ନ ହୋଇଥିଲେ ବି ତାର ବୀଜ ବୁଣା
ଅଙ୍କୁରି ଉଠେ ଏଣେ ତେଣେ
ବର୍ଷାଦିନିଆଁର ସବୁଜ ଗୁଳ୍ମଲତା ପରି
ମନଟାକୁ ଜବରଦସ୍ତ ନିଅନ୍ତି ଘେରି
ଦିଶେ ଉଦ୍ଭଟ ସୁନ୍ଦର ଦୃଶ୍ୟ ସବୁ
ଲାଗେ ତା'ଠାରୁ ବୋଧେ
ସଂସାରରେ ଭଲ ନାହିଁ କିଛି ଆଉ
ଅଦ୍ଭୁତ ଲାଗେ ତାର ରୂପରେଖ
ଦିଏ ଅବାନ୍ତର ସମାଚାର
ନିଦ୍ରିତ ମୁଦ୍ରିତ ଆଖି ଦେଖେ ନିରନ୍ତର
ସ୍ୱପ୍ନ ବାସ୍ତବତାରୁ ଯେ ସଂପୂର୍ଣ୍ଣ ଭିନ୍ନ
ଏକା ଏକା ଜଣେ କରିଥାଏ ସଂରଚନା
ପାର୍ଥିବ ସବୁ ସଂପର୍କକୁ କରି ଛିହ୍ନ
ସ୍ୱପ୍ନ ଅବଚେତନତାର ଅହେତୁକ ଭାବନା
ଥାଏ କଳ୍ପନା ନଥାଏ ସମ୍ଭାବନା
ଏ ତୁଚ୍ଛ ମିଛ ଅସ୍ତିତ୍ଵହୀନ ସ୍ୱପ୍ନକୁ ଭୁଲି
ଶାନ୍ତ ମନରେ କରେ ଯିଏ ତାର ଶ୍ରମ ସାଧନା
ମିଳେ ତାକୁ ଜୀବନର ପ୍ରକୃତ ଠିକଣା।