ସମୁଦ୍ରର ପ୍ରତି
ସମୁଦ୍ରର ପ୍ରତି
ସମୁଦ୍ରର ପ୍ରତି ଲହଡ଼ି ଭାଙ୍ଗଇ
ବାଲୁକା ଶଯ୍ୟାରେ ନିତି
ଉତ୍ତାଳ ଫେନିଳ ମଧ୍ୟରେ ଦେଖେ ମୁଁ
ତୁମର ସେ ଭୀମ କାନ୍ତି।
ତୁମ କଥା ମାନି ସମୁଦ୍ର ଲଂଘେନି
ପାଇଥିବା ସୀମା ହଦ
ମଣିଷ କାହିଁକି ବୁଝି ପାରୁ ନାହିଁ
ମାତିଥାଏ ଗର୍ବ ମଦ।
ଆମେତ ଦେଖିଛୁ କେତେ କେତେ ଯୁଦ୍ଧ
ଦେଖିଛୁ କେତେ ପତନ
ରାଜ୍ୟ ଜନ କ୍ଷୟ ଶରୀର କଷଣ
ଚରିତ୍ର ଅଧୋ ପତ୍ତନ।
ସତ୍ୟର ବିଜୟ ଘଟିଛି ସର୍ବତ୍ର
କାଳିଆର ଇଙ୍ଗିତରେ
ଅସତ୍ୟ ଉପରେ ସତ୍ୟର ବାନା ତ
ଉଡୁଥାଏ ଫରଫରେ।
ପ୍ରତି ମୁହୂର୍ତ୍ତରେ ଶରୀର ରଥରେ
କାଳିଆ ରହିଛି ବସି
ମୋ ଜୀବନ ପ୍ରଭୁ ପବିତ୍ର କର ହେ
ନେତ୍ର ପଥେ ନିତି ଭାସି।