ସମୟ ବଡ଼ ବଳବାନ
ସମୟ ବଡ଼ ବଳବାନ
ସମୟ ର ଚକ ଘୂରେ ଅବିରତ
ନ ନିଏ କ୍ଷଣେ ବିରତି,
ଚକ ଘୁରୁଥିଲେ ଅଖ ଘୁରୁଥାଇ
ଦିନ ପରେ ଆସେ ରାତି ।।
ନିର୍ଦ୍ଦୟ ସମୟ ନୁହେଁ କାର ଦାସ
ସଭିଏଁ କାଳ ର ଦାସ,
ବିନା ଅପରାଧେ ଲଭେ କାରାବାସ
ପାଇ ବହୁ ଅପଯଶ ।।
ଆଜି ଯେ କୁବେର କାଲି ସେ ଫକୀର
ମାଗିବୁଲେ ଘର ଘର,
ସମୟ ଅଟଇ ବଡ ବଳବାନ
କରେ ନା ବାଛ ବିଚାର ।।
କଞ୍ଚା କି ପାଚିଲା ଚିହ୍ନେ ନାହିଁ କାଳ
କରେ କ୍ରୁର ପରିହାସ,
ଧନୀ ଅବା ମାନୀ ଜ୍ଞାନୀ କି ଅଜ୍ଞାନୀ
କାଳ ର ଆଗରେ ବଶ ।।
ପାଟି କରି କାଲି କହୁଥିଲା ଯିଏ
ପାଟି ଫିଟୁ ନାହିଁ ଆଜି,
କାଳ ର ସ୍ରୋତ ରେ ଅତୀତ ଗାରିମା
କାଳ ଗର୍ଭେ ଗଲା ହଜି ।।
ରାଇଜ ଯାକର ପୋଷୁ ଥିଲା ଯିଏ
ଆଜି ମିଳୁ ନାହିଁ ଭାତ,
ଈଶାରା କରିଲେ ଅସରାଏ ସୁଖ
ଆଜି ଚଳୁ ନାହିଁ ହାତ ।।
ଚାଲି ଦେଲେ ଯିଏ ପୃଥ୍ବୀ କମ୍ପୁଥିଲା
ଅଟ୍ଟହାସ୍ୟେ ମହା ଝଡ଼,
ଚଳୁ ନାହିଁ ପାଦ ଗଣୁଛି ପ୍ରମାଦ
ପାଲଟି ଯାଇଛି ଜଡ ।।
କାଳ ର ଗ୍ରାସ ରେ ପଡନ୍ତି ସଭିଏଁ
ହୁଅନ୍ତି ମୁଠିଏ ଖାର,
ସମୟ ଅଟଇ ବଡ ବଳବାନ
ସଂସାରେ ସମୟ ସାର ।।
ରାଜା ରାମଚନ୍ଦ୍ର ଗଲେ ବନବାସ
ନଳ ରାଜା କାଟେ ଘାସ,
ରାଜା ହରିଶ୍ଚନ୍ଦ୍ର ଦାନ କରି ନିଃସ୍ଵ
ହୋଇଲା ଶ୍ମଶାନେ ବାସ ।।
ଦର୍ପୀ ଦଶାନନ ହୋଇଲା ନିଧନ
ଚିରଞ୍ଜିବୀ ହେଲା କପି,
ଦସ୍ୟୁ ରତ୍ନାକର କବି ମଧ୍ୟେ ସାର
ମରା ମରା ଜପି ଜପି ।।
ମହାରଥୀ ଭୀଷ୍ମ ଶରଶଯ୍ୟା ଲଭି
ଦେଖିଲେ ବଂଶ ନିଧନ,
ରାମ ଙ୍କ ଚରଣେ ପଶିଲା ଶରଣ
ରାଜା ହେଲା ବିଭୀଷଣ ।।
କାଳ ର କବଳେ ପଡନ୍ତି ସଭିଏଁ
ଇତିହାସ ଅଛି ସାକ୍ଷୀ,
କାଳ ର କେ ନୁହେଁ ଅତି ଆପଣାର
କାଳ ଅଟେ ସର୍ବ ଭକ୍ଷୀ ।।
ଉପର ବରଡ଼ା ଖସି ଯିବ ଦିନେ
ଅଲୋଡ଼ା ଅପୁଚ୍ଛା ହୋଇ,
ନୂତନ ପତ୍ର ରେ ବୃକ୍ଷ ହସୁଥିବ
ତଳକୁ ମୋଟେ ନ ଚାହିଁ ।।
କିଏ ଜାଣେ କାଲି କି ଘଟିବ ଭାଇ
ଆଜି ହିଁ ଅଟେ ସର୍ବସ୍ବ,
ଆଜି ଯାର ହାତେ ବିତ୍ତ ପ୍ରତିପତ୍ତି
କାଲି ହୋଇଯିବ ନିଃସ୍ଵ ।।
ଆଜି ଯାହା ଅଟେ ଅମୂଲ୍ୟ ସମ୍ପତ୍ତି
କାଲି ହେବ ମୂଲ୍ୟ ହୀନ,
କାଳ ର ଚକ ଟି ଘୁରୁ ଅଛି ସଦା
ସମୟ ଟି ବଳବାନ ।।