ଆଇସ୍କ୍ରିମ୍
ଆଇସ୍କ୍ରିମ୍
ରାଧାରଣୀ ତ୍ରିପାଠୀ
ଦାଣ୍ଡରେ ଶୁଭିଲା ଠିନ୍ ଠିନ୍ ଠିନ୍ । ମା’ ଗୋଟିଏ ହାତରେ ବାପାଙ୍କ ବୁଟ୍ ଆଉ ଗୋଟିଏ ହାତରେ ବ୍ରସ୍ ଧରି ହରିଣ ଛୁଆ ପରି ଗୋଟିଏ କୁଦାକେ ଡେଇଁ ଯାଇ ବାଲକୋନୀରେ ହଜାର୍ । ପୁଣି ସେଇ ଫୁର୍ତ୍ତିରେ ଫେରି ଆସିଲେ । ବାପାଙ୍କ ବୁଟ୍ ବ୍ରସ୍ କରୁକରୁ ମୋତେ ଚାହିଁଲେ । ମା’ ଏମିତି ଇ । ବାପା ବଥରୁମକୁ ପଶିଲେ ତାଙ୍କ ଡ୍ରେସ୍ ଆଇରନ୍ କରିବାକୁ ବସନ୍ତି । ଅଫିସ୍ ଚାବି ଆଉ ବାଇକ୍ ଚାବି ଧରି ବାହାରିଲେ ଧାଇଁ ଯାଇ ବାପାଙ୍କ ବୁଟ୍ ବ୍ରସ୍ କରିବାକୁ ବସିପଡନ୍ତି । ମୋ ହେତୁ ପାଇବା ଦିନଠୁ ମୁଁ ଦେଖି ଆସୁଛି ।
ମୋତେ ଚାହିଁ ମା’ କହିଲେ ବାବୁ ! ଠିନ୍ ଠିନ୍ ଆଇସ୍କ୍ରିମ୍ ! ଦୀର୍ଘ ଛ’ ମାସ ପରେ ମୁଁ ଫେରିଥାଏ ଘରକୁ ! ମୁଁ ଟିକିଏ ହସିଦେଇ, ବାଲକୋନୀକୁ ଆସି ଆଇସ୍କ୍ରିମବାଲାକୁ ଅଟକିବା ପାଇଁ ଇସାରା ଦେଲି ।
ଏଥର ତଳକୁ ଯାଇ ଆଇସ୍କ୍ରିମଟିଏ ନେଇ ମା’ଙ୍କ ହାତକୁ ବଢାଇଦେଲି । ଏ ଭିତରେ ବାପା ଅଫିସ ଯିବା ପାଇଁ ତଳକୁ ଓହ୍ଲାଇ ସାରିଥିଲେ । ମା’ ମୋ’ ହାତରୁ ଆଇସ୍କ୍ରିମ ନେବାବେଳେ ମୁଁ ମା’ଙ୍କ ମୁହଁକୁ ଟିକେ ନିରେଖି ଚାହିଁଲି । ତାଙ୍କ ମୁହଁରେ ଏକ ବିଚିତ୍ର ଚମକ ବିଛାଡି ହୋଇ ପଡିଥିଲା ।
ଆଇସ୍କ୍ରିମ ଧରି ମା’ ଖାଇବା ଆରମ୍ଭ କଲେ । ମୁଁ ତାଙ୍କୁ ନିର୍ନିମେଷ ନୟନରେ ଅନେଇ ଥାଏ ଆଉ ମୁରୁକି ମୁରୁକି ହସୁଥାଏ । ଅଚାନକ ମୋତେ ଲାଗିଲା ଇଏ ମୋ’ ମା’ ତ ନୁହେଁ, ବରଂ ଆଇସ୍କ୍ରିମ ପାଇଁ ମୋ’ ପାଖରେ ଅଳି କରୁଥିବା ମୋ’ କୁନିଝିଅଟିଏ ।