ଆଶା (ନିରବ ଝଡ)
ଆଶା (ନିରବ ଝଡ)
ଶବ୍ଦରୁ ସୃଜନ
ଆଶା,ଏକ ଶବ୍ଦ ଯାହାର ଅର୍ଥ ବ୍ୟକ୍ତି ଓ ସ୍ଥାନ ବିଶେଷରେ ଭିନ୍ନ ଭିନ୍ନ ତାହା ପୁଣି ଫୁଲ ସହ ତୁଳନା । ଏହା ନିହାତି ଏକ ଚିନ୍ତା ଜନକ ବ୍ୟାପାର ।
ଫୁଲ, ନାଁରେ ହିଁ ମଧୁରତା ଅଛି । କିଛି ଫୁଲ ବଗିଚାରେ ଶୋଭା ପାଏ ତ କିଛି ଫୁଲ ବଣରେ । କିଛି ଫୁଲ ପୂଜାର ଯୋଗ୍ୟ ହୋଇଥାନ୍ତି ତ କିଛି ଙ୍କ ଭାଗ୍ୟରେ ଫୁଟି ଝଡିପଡିବା ହିଁ ସାର ହୋଇଥାଏ । ସବୁର ଶେଷରେ ଗୋଟିଏ ହିଁ ଗୁଢ ତଥ୍ୟ ହେଲା କିଏ ଦେଖୁ ବା ନ ଦେଖୁ, ବ୍ୟବହାରରେ ଲାଗୁ ବା ନ ଲାଗୁ ତାର ଧର୍ମ ସେ ଫୁଟିବ ।
ଫୁଲର ଏହି ଗୁଣରୁ ଜନମାନସ ବହୁତ କିଛି ଶିଖିବାର ଅଛି ।
ଆଶା ଆଜି ନିରୁପାୟ ହୋଇ ବସିଛି ବାକଶକ୍ତିହୀନ ହୋଇ । ବସି ରହି ଦେଖୁଛି ଆନାଥଆଶ୍ରମର ବଗିଚାରେ ଫୁଟିଥିବା ଫୁଲଗୁଡିକୁ । ବିଭିନ୍ନ ରଙ୍ଗ ଓ ଆକାରର ଫୁଲ । ମନ ଲାଖିହୋଇ ରହିଯାଉଛି । ଅନ୍ତର ମଧ୍ୟରେ ତାର ଏକ ନିରବ ଝଡ ଅହରହ ଚାଲିଛି ।
ଇତି ମଧ୍ୟରେ ମାଳୀ ଆସି ଶୁଖି ଯାଇଥିବା ଫୁଲଗୁଡିକୁ ଗଛରୁ ଝଡାଇଦେଲା ଓ କହିଲା, ଦେଖୁନାହାନ୍ତି ଦିଦି,
ଶୁଖିଲା ଫୁଲ ଗୁଡିକ ଗଛରେ ଲାଗି ରହିବାରୁ କେତେ ଅସୁନ୍ଦର ଦେଖାଯାଉଛି । ଗଛକୁ ଝାଡିଦେଲେ ସଜ ଫୁଲ ରହିଯିବ । ବଗିଚାଟି ବେଶି ସୁନ୍ଦର ଦେଖାଯିବ । ମାଳୀର ଏ କଥା ଶୁଣି ଆଶାର ମନେ ପଡିଗଲା ତା ପିଲାଦିନ କଥା ।
ଅପରିତ୍ୟକ୍ତ ଅବସ୍ଥାରେ ଅମନ ଓ ପ୍ରିୟା ତାକୁ ଆଣିଥିଲେ ରାସ୍ତା କଡ ଏକ ନର୍ଦ୍ଦମାରୁ । ସେମାନଙ୍କର ବିବାହ ପାଞ୍ଚ ବର୍ଷ ହୋଇଯାଇଥିଲେ ବି ସନ୍ତାନ ଶୁଖରୁ ସେମାନେ ବଞ୍ଚିତ ଥିଲେ । ବହୁ ଦେବାଦେବୀ ଓ ଡାକ୍ତରଙ୍କ ପ୍ରାର୍ଥନା ଛଡା ତାଙ୍କର କିଛି ଉପାୟ ନଥିଲା । ଦିନେ ଡାକ୍ତରରଖାନାରୁ ଘରକୁ ଫେରିଲାବେଳେ ତାଙ୍କୁ ମିଳିଥିଲା ଆଶା । କେହିଜଣେ ଛାଡିଦେଇ ଯାଇଥିଲେ ଆବର୍ଜନା ସ୍ଥାନରେ । କିଛି ସମୟ ଚତୁର୍ଦ୍ଦିଗକୁ ନିରେଖି ଚାହିଁ କିଛି କାହାକୁ ନପାଇ ଶିଶୁଟିକୁ ନିଜ କୋଡକୁ କୋଳେଇ ନେଇଥିଲେ ପ୍ରିୟା ।
କଅଁଳ ଶିଶୁଟିର କୁଆଁ କୁଆଁ ରାବରେ ପ୍ରିୟାର ମାତୃତ୍ୱ ଫୁଟି ଉଠିଲା । ବହୁ ସ୍ନେହ ଶ୍ରଦ୍ଧାରେ ଲାଳନ ପାଳନ କଲେ ଉଭୟେ । ଏକ ପାହାଡିଆ ଭୂଇଁରେ ଖିଲିଖିଲି ହୋଇ ଫୁଲଟି ପରି ଫୁଟି ତା ବାସ୍ନାରେ ପ୍ରିୟା ଓ ଅମନ ବଗିଚାର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହେଲା ।
ନିରାଶାରେ ଆଶାର ଝଲକ ଦେଖାଇଥିବାରୁ ସେ ଅପରିତ୍ୟକ୍ତା ଝିଅଟି ଆଶା ନାଆଁରେ ପରିଚୟ ପାଇଲା । ତା ଆସିବାର ଏକ ବର୍ଷ ପରେ ପ୍ରିୟା ଗର୍ଭବତୀ ହେଲା । ମାତ୍ର ଆଶା ପ୍ରତି ତାର ସ୍ନେହ ତିଳେ ହେଲେ କମି ନଥିଲା ।
ସମୟ ଗଡି ଚାଲିଲା । ପ୍ରିୟା ଦୁଇଟି ଜମଜ ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କଲା । ସେତେବେଳକୁ ଆଶା ତିନି ବର୍ଷର ହୋଇସାରିଥାଏ ମାତ୍ର କଥା କହି ପାରୁନଥାଏ । ତାର ଭାଷା କେବଳ ପ୍ରିୟା ହିଁ କେବଳ ବୁଝି ପାରୁଥାଏ । ଜମଜ ଦୁଇଟି ପୁଅ ଓ ଝିଅ ହେବାପରେ ସେ ଆଶାର ଦେଖାଶୁଣା କରି ପାରିଲା ନାହିଁ । ଏକ ଆୟା ରଖିଲେ ତାର ଦେଖାଶୁଣା ପାଇଁ । ଇତି ମଧ୍ୟରେ ସମୟ ବିତି ଚାଲିଥାଏ ଓ ପିଲାମାନେ ବଢି ଚାଲିଥାନ୍ତି । ପ୍ରିୟାର ପିଲାମାନେ ଓ ଅମନ ଆଶାଠାରୁ ସର୍ବଦା ଦୂରତା ବଜାୟ ରଖନ୍ତି । ଘରର ସଦସ୍ୟ ହିସାବରେ ଗଣନା କରନ୍ତି ନାହିଁ । ଆଶା ମଧ୍ୟ ସେମାନଙ୍କ ଠାରୁ ଦୂରରେ ରୁହେ, କାରଣ କଥା କହିନପାରୁଥିବାରୁ ସେ କାହାପାଖରେ ଗ୍ରହଣୀୟ ହୋଇପାରେ ନାହିଁ । ତା ମନର ଭାବନାକୁ ବ୍ୟକ୍ତ କରିବାର ମାଧ୍ୟମ ଥିଲା ଚିତ୍ରକଳା । ତା ମଧ୍ୟରେ ସେ ନିଜକୁ ହଜାଇ ଦିଏ । ମାତ୍ର ସମୟ ସମୟରେ ତା ଚିତ୍ରଗୁଡିକ ସେହି ଆବର୍ଜନା ସ୍ଥାନର ଶୋଭା ବର୍ଦ୍ଧନ କରନ୍ତି ଯେଉଁ ଠାରୁ ସେ ଆସିଥିଲା ।
ପ୍ରିୟା ସବୁ ଦେଖିଲେ ମଧ୍ୟ ତାର ଅସୁସ୍ଥତା କାରଣରୁ ସେ କିଛି କରିପାରେନାହିଁ ।
ଶେଷରେ ଅମନ ଓ ତାର ପିଲାମାନେ ନିଷ୍ପତ୍ତି ନେଲେ ଯେ ଆଶା ଏକ ଅନାଥାଶ୍ରମରେ ରହିବ । ତାର ଭରଣ ପୋଷଣର ସବୁ ଖର୍ଚ୍ଚ ଅମନ ବହନ କରିବ । ସେତେବେଳେ ପ୍ରିୟାର ମାତୃତ୍ୱ ଦୋହଲି ଉଠିଥିଲା ମାତ୍ର ସେ ଥିଲା ଅସହାୟ କାରଣ ନିଜ ବସିବା ସ୍ଥାନରୁ ଉଠିବା ତା ପାଇଁ ମଧ୍ୟ କଷ୍ଟକର ଥିଲା ।
ସେଦିନ ହସି ହସି ସମସ୍ତଙ୍କୁ ବିଦାୟ ଦେଇ ଆଶା ଆସିଥିଲା ଅନାଥାଶ୍ରମକୁ ତା ସହ ଝଡିପଡିଲା ଏକ ଅଲୋଡା ଫୁଲ ଗଛରୁ ।
ଏହା ଭାବି ଭାବି ଦୁଇଧାର ଲୁହ ବହିଗଲା ଆଶା ଆଖିରୁ ଓ ସେ ପ୍ରକୃତିସ୍ଥ ହେଲା । ସେତେବେଳକୁ ଗଛଗୁଡିକ ପାଣି ପାଇ ସତେଜ ଦେଖାଯାଉଥିଲେ ଓ ଏକ ନୂତନ କଳିରୁ ଫୁଲ ଫୁଟାଇବାର ପ୍ରୟାସରେ ଥିଲେ ।
ପୁଣି ଏକ ନୂତନ ଆଶା ନେଇ ଯେ,କାଳେ ଆସନ୍ତା କାଲିର ଫୁଲ କାହାର ଆବଶ୍ୟକତାରେ ଅର୍ପିତ ହେବ ।