Sunanda Mohanty

Tragedy Inspirational Others

5  

Sunanda Mohanty

Tragedy Inspirational Others

ବହି ଓ ମୁଁ

ବହି ଓ ମୁଁ

5 mins
8


ସବୁଥର ବହିଟିଏ ପ୍ରକାଶ ପାଇଲା ପରେ ମୁଁ ଦେଇଥାଏ ଖଣ୍ଡେ ଭାଇଙ୍କୁ । ଅତି ସ୍ନେହରେ ଗ୍ରହଣ କରନ୍ତି ମୋ ଠାରୁ ବହିଖଣ୍ଡକ । ଏମିତି ତ ମୁଁ ମାତ୍ର ଛଅ ଖଣ୍ଡ ବହି ତାଙ୍କୁ ଦେଇଥିଲି । ତା ଭିତରୁ ଭାରି ଅବୁଝା ଏ ମନ ଗୀତି କବିତା ବହିଟି ମୋର ପ୍ରଥମ କବିତା ସଂକଳନ ଥିଲା । ସେଇଟିକୁ ଭାଇ ଅର୍ଥାତ ମୋ ସବା ବଡ଼ ଦେଢ଼ଶୁର ଖୁବ ଭଲପାଆନ୍ତି । ତାଙ୍କ ସ୍ତ୍ରୀ ଯିଏକି ମୋ ବଡଯାଆ କହନ୍ତି କି କବିତା ବହି ଭାଇଙ୍କୁ ଦେଇଛୁ ଯେ ତୋ ବହିଟି ତାଙ୍କୁ ନିଦ ମେଡ଼ିସିନ ଭଳି କାମ ଦିଏ । ମୁଁ ବୁଝିପାରେ ନାହିଁ ପ୍ରଥମେ । ବେଳେ ବେଳେ ଭାବେ ଭାଇ କଣ ମୋ କବିତା ଗୁଡିକ ପଢୁ ପଢୁ ବିରକ୍ତିରେ ଶୋଇଯାଆନ୍ତି ନା କଣ? ଏକଥାଟା ମଧ୍ୟ କାହାକୁ ପଚାରି ହେବନି କାଳେ କେହି ଅର୍ଥକୁ ଅନର୍ଥ କରିବେ କିନ୍ତୁ ଏତିକି ଜାଣିଯାଇଥିଲି ଯେ ଖାଇସାରି ଶୋଇବା ପୂର୍ବରୁ ମୋ କବିତା ବହିଟିକୁ ବିଶେଷ କରି ସେହି ପ୍ରଥମ ସଂକଳନ କବିତା ବହିଟିକୁ ଭାଇ ନିଶ୍ଚୟ ପଢୁଥିଲେ । ପରେ ପରେ ମୋର ଗଳ୍ପ ବହି ମୁଁ ମୌସୁମୀର ମଲାଜହ୍ନ, ପାପରୁ ଖିଏ ପୁଣ୍ୟ ନନିଏ,ମହୁଲ ଫୁଲର ମାଲ୍ୟାଣୀ ଓ କବିତା ସଂକଳନ ଆଞ୍ଜୁଳେ ଅଞ୍ଜଳି ଓ ପ୍ରାପ୍ତି ଓ ତୃପ୍ତି କବିତା ବହିଗୁଡିକ ପ୍ରକାଶିତ ହୋଇସାରିବା ପରେ ପରେ ପ୍ରଥମେ ମୁଁ ଦେଇଥାଏ ଭାଇଙ୍କୁ । ଏବେ ଏବେ ଫୁଟେ ସିନା ଫୁଲ କଢି ଶିଶୁ ଗଳ୍ପ ବହିଟି ପ୍ରକାଶିତ ହେବା ଅବସ୍ଥାରେ ଥିବା ବେଳେ ଭାଇ ଚାଲିଗଲେ ସେଇ ଅଫେରା ରାଇଜକୁ ।


   କାନ୍ଦ ବୋବାଳି ଭିତରେ କର୍ତ୍ତବ୍ୟର ଆହ୍ୱାନରେ ସ୍ୱର୍ଗଦ୍ୱାର ନେବାକୁ ହେବ ଭାଇଙ୍କୁ । ହସ୍ପିଟାଲ କାଗଜ ପତ୍ର ସହ ଭାଇଙ୍କର ଆଧାର କାର୍ଡ ଖୋଜା ଚାଲିଥାଏ । କୋଉଠି ମିଳୁନି । ସେହି ଦୁଃଖ ଓ କାନ୍ଦ ପରିସ୍ଥିତି ଭିତରେ କିଏ କହୁଛି ଦରକାରୀ ଜିନିଷ ପତ୍ର ସାବଧାନରେ ଯଥାସ୍ଥାନରେ ରଖିବା ଉଚିତ ତ କିଏ କହୁଛି ଆଉ କୋଉ କାଗଜ କଥା ଅଲଗା ଆଧାର କାର୍ଡ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦରକାର, ପୁଣି କିଏ କହୁଛି ଡେରି ହେଲାଣି ଗାଁ ଦେଇ ସ୍ୱର୍ଗଦ୍ୱାର ପହଁଚିଲା ବେଳକୁ ଡେରି ହେବ ଥାଉ ପଛରେ ଖୋଜିବ । ଏମିତି ସବୁ କଥା ଶୁଣୁଶୁଣୁ ମୁଁ ବଡ଼ ଯାଆଙ୍କୁ କହିଥିଲି ଅପା ଭାଇ ପରା ସବୁଦିନ ମୋ କବିତା ବହିଟା ନପଢିଲେ ଶୁଅନ୍ତି ନାହିଁ ବୋଲି ତୁମେ କୁହ, ଦେଖିଲ କାଳେ ସେ ବହି ଭିତରେ ରହି ଯାଇଥିବ । ମୋ ଅନୁମାନ ସତ୍ୟ ଥିଲା । ସେଇ ବହି ଭିତରେ ଅନେକ ଦରକାରୀ କାଗଜ ପତ୍ର ଭିତରେ ଆଧାର କାର୍ଡ ସହ ଆଉ ଗୋଟେ ଖାତା ଥିଲା ଯୋଉ ଖାତାରେ ଲେଖାଥିଲା ଭାରି ଅବୁଝା ଏ ମନ । ସେଇ ଖାତାଟିକୁ ଭ୍ୟାନିଟରେ ରଖିନେଇଥିଲି ମୁଁ ।


  ସ୍ୱର୍ଗଦ୍ୱାରରେ ଶବ ସଂସ୍କାର,ଦଶାହ ଆଦି କର୍ମ ଭିତରେ ଖାତାଟିକୁ ଖୋଲି ନଥିଲି ମୁଁ । ବାରପତ୍ର ପଡିସାରିବା ପରେ, ବନ୍ଧୁ ବାନ୍ଧବ ଖାଲି ହେବା ପରେ,ଝିଅ ଝିଆଣିଆ ବିଦା ହେଲା ପରେ ଖାତାଟିରେ କଣ ଲେଖିଛନ୍ତି ଭାଇ ପଢିବାକୁ କାଢ଼ି ଦେଖେ ସମୀକ୍ଷା କରିଛନ୍ତି ଭାଇ ପୁସ୍ତକଟିର । ବିଶେଷ କରି ନାମକରଣଟିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଲେଖିଛନ୍ତି ସୁନ୍ଦର ମତାମତଟିଏ । ଶେଷକୁ ଲେଖିଛନ୍ତି ସତରେ ଭାରି ଅବୁଝା ଏ ମନ । ତା ପରକୁ ପର ପ୍ରତିଟି କବିତାର ସମୀକ୍ଷା । ଏଥର ବୁଝିଗଲି ମୋ କବିତା ବହି କାହିଁକି ଶୋଇବା ପୂର୍ବରୁ ପଢ଼ନ୍ତି ଭାଇ ଆଉ ନିଦ କାହିଁକି ଆସେ । ସେତିକି ବେଳକୁ ପ୍ରକାଶକ ଭାଇ ଫୋନ କଲେ ଆପଣ ଅଭିମତ କାହାର ରଖିବେ କହିଲେ ନାହିଁ କି ଦେଲେ ନାହିଁ । ହଁ ହଁ ମୁଁ ପାଇସାରିଲିଣି ।ମୋ ଦେଢ଼ଶୁର ଲେଖି ଯାଇଛନ୍ତି ମୋ ପାଇଁ ଅଭିମତ । ସ୍ଥାନୀୟ ସାହିତ୍ୟ ଆସରରେ ଯେବେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ସମ୍ମିଳନୀରେ ମତେ ଅତିଥି କରାଯାଇଥିଲା ମୁଁ ମୋ ବହି ଲେଖିବା ପ୍ରେରଣାର ଉତ୍ସ ମୋ ଦେଢ଼ଶୁର କହିବାରେ ଢେର ତାଳି ମାଡ଼ ଶୁଣୁ ଶୁଣୁ ଆଖିରୁ ଅଶ୍ରୁ ଦୁଇଟୋପା ନିଗିଡି ପଡୁଥିଲା ।


  ଏ ଭିତରେ ନୂଆ ବହିଟି "ଫୁଟେ ସିନା ଫୁଲ କଢି "ଶିଶୁ ଗଳ୍ପ ବହିଟି ପ୍ରକାଶିତ ହୋଇସାରିଥିଲା । ବହିଟିକୁ ସବୁଥର ପରି ଉନ୍ମୋଚନ ନକରି ଫେସବୁକ ଆକାଉଣ୍ଟରେ ଛାଡ଼ି ପରିଚିତ ଅପରିଚିତ ବନ୍ଧୁ ବାନ୍ଧବୀମାନଙ୍କ ଶ୍ରଦ୍ଧା ସୁମନ ଆକାରରେ କିଛି ଇମୋଜି, ଲାଇକ ଚି଼ହ୍ନ ହାର୍ଟ ଚିହ୍ନ ଓ କିଛି ମନ୍ତବ୍ୟ ସାଉଣ୍ଟିବା ଥିଲା ମୋର ରୁଚି ।ଏହାଠାରୁ ଅଧିକା କିଛି କରିବାର ନଥିଲା । ଦେଢ଼ଶୁର ଭାଇ ମଧ୍ୟ ନଥିଲେ ଏ ସଂସାରରେ, ଯାହାଙ୍କୁ ଗୁରୁଜନ ହିସାବରେ ବହି ଖଣ୍ଡିଏ ଦେଇ ଆଶୀର୍ବାଦ ସାଉଁଣ୍ଟିବାକୁ । ଫେସବୂକ ଏମିତି ଏକ ସାମାଜିକ ଗଣମାଧ୍ୟମ ଥିଲା ଯୋଉଥିରେ କିଏ କେତେ ସୁଖଦ ମୁହୂର୍ତ୍ତ ମାନଙ୍କର ଫଟୋ ଛାଡ଼ି ଖୁସି ପାଉଥିଲା । କିଏ ଆଇସିଂ କେକ କାଟୁଥିଲା ତ କିଏ ଦାର୍ଜିଲିଙ୍ଗ ଯିବାର ଫଟୋ, କିଏ ନାଚ ଭିଡିଓ ଛାଡୁଥିଲା ତ କିଏ ବଣଭୋଜିର ଫଟୋ । ଏସବୁ ଦେଖି ମୋର ମଧ୍ୟ ବେଳେ ବେଳେ ଇଛା ହୁଏ ଏତେ କେକ ଭିତରେ ଥରେ ଆଇସିଂ କେକ କାଟି ଫଟୋ ଉଠେଇବାକୁ, କେବେ ପୁଅ ପାଖକୁ ଦିଲ୍ଲୀ ଯାଇ ସେଇଠୁ ଖୁବ ଦୂର ଜାଗାକୁ ବୁଲିଯିବାକୁ କିନ୍ତୁ ସ୍ୱାମୀଙ୍କର ପଦେ ପଦେ କଥା ଯଥା ଭଗବାନ ଯେତିକି ଦେଇଛନ୍ତି ସେତିକିରେ ଖୁସି ହେବା ଉଚିତ,ଲୋଭରେ ପଡି ଅନ୍ୟର ରାସ୍ତା ବାଛିବା ଉଚିତ ନୁହେଁ, ଉପରକୁ ଚକ ଚକ କରୁଥିବା ସବୁ ଜିନିଷ ସୁନା ନୁହେଁ, ମହାକାଳ ଫଳ ନୁହେଁ ବରଂ ନଡିଆ ଭଳି ହେବା ଉଚିତ ଇତ୍ୟାଦି କଥା ଗୁଡିକର ଯଥାର୍ଥତା ଉପଲବ୍ଧି କରି ବୁଝିଯାଏ ମୁଁ ଯେ ପ୍ରକୃତରେ ଲୋକଦେଖାଣିଆ କଥା ସବୁ ଉପରକୁ ସୁଖ ସମୃଦ୍ଧି ଭଳି ଲାଗୁଥିଲେ ମଧ୍ୟ ଭିତରେ ଖାଲି କୁହୁଡି ଓ ଧୂଆଁବାଣ ଛଡା କିଛି ନୁହେଁ । ପ୍ରମାଣ ପାଇଥିଲି ଯେବେ ସାଙ୍ଗଠୁ ଶୁଣିଥିଲି ମମତାର ଝିଅ ଅଲିମ୍ପିୟାଡ଼ ମ୍ୟାଥ ପରୀକ୍ଷାରେ ପ୍ରଥମ ହୋଇ ଆଇସିଂ କେକ କାଟୁଥିଲା ଫଟୋରେ ସେ ଝିଅ ପ୍ରକୃତରେ ତାର ସାବତ ଝିଅ ଥିଲା । ଦାର୍ଜିଲିଙ୍ଗ ହୋଟେଲରେ ଚିକେନ ବିରିଆନି ଖାଉଥିବା ଅନସୂୟା ପଟ୍ଟନାୟକ ପ୍ରକୃତରେ ଦାର୍ଜିଲିଙ୍ଗ ନୁହେଁ ବରଂ ଓଡିଶା ରାଜାଧାନୀରେ ଥିବା ଗୋଟେ ବଡ଼ ହୋଟେଲରେ ଖାଉଥିବା ବେଳର ଫଟୋ ଛାଡ଼ି ଦାର୍ଜିଲିଙ୍ଗ ବୋଲି ଲେଖିଥିଲା ।


   ଆଉ ଅନେକ ଗୁଡିଏ କାରଣ ମଧ୍ୟ ଥିଲା ଯୋଉଥି ପାଇଁ ବହିଟିର ଉନ୍ମୋଚନ ପାଇଁ ଦ୍ବିରୁକ୍ତି ଥିଲା ମନ ଭିତରେ । ପ୍ରଥମତଃ ଦେଢ଼ଶୁର ଭାଇଙ୍କର ଏଇ ଏଇ ମୃତ୍ୟୁ ବାର୍ଷିକୀ ଯାଇଛି ତ ସ୍ୱାମୀଙ୍କ ମନ ଖରାପ ହୋଇପାରେ । ଦ୍ୱିତୀୟତଃ ପୁଅର ପ୍ରଥମ ବିବାହ ବାର୍ଷିକୀ ହୋଇପାରିନଥିବା ବେଳେ ନାତିର ଜନ୍ମଦିନ ଖୁବ ଧୁମଧାମରେ ପାଳନ କରିବାକୁ ଇଛା କରି ମଧ୍ୟ କରିହେଲାନି । ଆମେ ସବୁ ଭାଇମାନେ ଅଲଗା ଅଲଗା ଚାକିରୀ ଜାଗାରେ ରହୁଥିଲେ ମଧ୍ୟ ଆମ ଭିତରେ ଯୌଥ ପରିବାରର ସଂସ୍କାର ଥିବାରୁ ଦେଢ଼ଶୁରଙ୍କ ମୃତ୍ୟୁ ବାର୍ଷିକୀ ନଯିବା ପୂର୍ବରୁ ନାତିର ଜନ୍ମଦିନ ପଡୁଥିବାରୁ ପାଳନରେ ବାଧା ପହଞ୍ଚିଥିଲା । ତୃତୀୟରେ ଝିଅ ଓଡିଶାରେ ଥିଲେ ମଧ୍ୟ ସୁଦୂର କୋରାପୁଟରେ ରହୁଥିବାରୁ ଆମେରିକାରେ ରହିବା ଭଳି ଲାଗୁଥିଲା ଅର୍ଥାତ ଘାଟି ଟପି ସ୍ୱାମୀ, ଶାଶୁ,ଶଶୁରଙ୍କ ସହ ଛୋଟ ନାତୁଣୀକୁ ନେଇ ବରଷକୁ ଥରେ ମାତ୍ର ଖରା ଛୁଟିରେ ବାପା ମାଆ ଭାଇ ଭାଉଜଙ୍କୁ ଦେଖିବାକୁ ଆସୁଥିଲା ସେ କିନ୍ତୁ ବାପଘର ଓ ମାମୁଁଘର ବନ୍ଧୁ ବାନ୍ଧବଙ୍କ ଭଲ ମନ୍ଦ ପର୍ବ ପର୍ବାଣୀରେ ଯୋଗ ଦେଇ ପାରୁନଥିଲା ତ ଚାଁହୁଥିଲା ଟିକି ନାତୁଣୀର ଜନ୍ମଦିନ ସେ ଏପଟେ ପାଳି ସମସ୍ତଙ୍କୁ ଥରେ ଲୋଡି ସମ୍ପର୍କ ଡୋରି ମଜଭୂତ କରନ୍ତା ଯାହାକି ହୋଇ ପାରୁନଥିଲା । ଏତେ ସବୁ ପାରିବାରିକ ସନ୍ତୁଳନ ମତେ ମୋ ସପ୍ତମ ବହିଟିକୁ ଉନ୍ମୋଚନ କରିବାରୁ ନିବୃତ୍ତ ରଖିଥିଲା ତ ମୁଁ ସବୁଥର ଭଳି ଫେସବୁକରେ ହିଁ ନୂଆ ବହିଟିକୁ ଛାଡିଦେଇଥିଲି ।


   ପ୍ରଥମ ଥର ମୋ ଆକାଉଣ୍ଟରେ ମୋ ସ୍ୱାମୀ କିଛି ମତାମତ ରଖିବା ଦେଖି ମୁଁ ଖୁବ ଖୁସି ହୋଇଯାଇ ସେଦିନ । କବିତା ସମ୍ମିଳନୀରୁ ଫେରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି କାରଣ ପୁଅ ବୋହୁ ଝିଅ ଜୋଇଁ ମିଶି ମୋ ବହି ଉନ୍ମୋଚନ ପାଇଁ ଆମ ନିଜ ଘରେ ସବୁ ଆୟୋଜନ କରିସାରିଥିଲେ । ଏସବୁ ଦେଖି ମୁଁ ବାରଣ କରିଥିଲି ତ ପୁଅ କହିଥିଲା ପଛ କଥା ଭୁଲି ଭବିଷ୍ୟତ ଚିନ୍ତା ନକରି ଆଜି ବା ବର୍ତ୍ତମାନକୁ ନେଇ ବଞ୍ଚି ଶିଖ ମାଆ । କେତେବେଳେ ଜୀବନର ଗତି କୁଆଡକୁ କିଏ କହିବ କହୁଥିଲା ଝିଅ । ସେ ଦୁହିଁଙ୍କ କଥାକୁ ସମ୍ମତି ଜଣାଇ ଜୋଇଁ ଓ ବୋହୁ ଲାଗିଯାଇଥିଲେ କାମରେ । କିଏ କହୁଥିଲା କାହାକୁ ଗେଷ୍ଟ କରିବୁ, କାହାକୁ ଆମନ୍ତ୍ରିତ କରିବୁ କହ ତ କିଏ ଦେଖାଉଥିଲା ଦେଖ କବିମାନଙ୍କ ପାଇଁ ମାନପତ୍ର ଲେଖା ଠିକ ଠାକ ଅଛି ନା ନାହିଁ ।ଏସବୁ ସହିତ ଖାଦ୍ୟ ପାଇଁ ବରାଦ ହେଉଥିଲା କେତେ ରକମର ସୁସ୍ୱାଦୁ ଭୋଜନ ସହିତ କେକ କାଟିବା ଯୋଜନା ମଧ୍ୟ ଥିଲା । କେକ ପୁଣି ଆଇସିଂ କେକ । ସ୍ବପ୍ନ ଦୁନିଆଁରେ ଭାଷି ଯାଉ ଯାଉ ବହି ଉନ୍ମୋଚନ ସରିଥିଲା । ମତେ ଯେବେ କିଛି କହିବାକୁ ଅନୁରୋଧ କରିଥିଲେ ମୁଁ ମୋ ନାତି ଓ ନାତୁଣୀଙ୍କୁ ବହିଟି ଉତ୍ସର୍ଗ କରିଛି କହିବା ସହ ଏମିତି ପରିବାର ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି କହି କହିଥିଲି ସତରେ ଭାରି ଅବୁଝା ଏ ମନ । ଏ ମନର ଗତି,ସ୍ଥିତି,ସଂସ୍କୃତି କେତେବେଳେ କୋଉ ପରିପନ୍ଥୀ କହିବା ମୁସ୍କିଲ ।ଆସରର ସବା ଆଗଧାଡ଼ିରେ ବସି ସ୍ୱାମୀ ତାଳି ମାରିଚାଲିଥିଲେ । ଏସବୁର ଫଟୋ ପରେ ଫେସବୁକରେ ଛାଡ଼ି ଅନେକ ପ୍ରଶଂସା ସାଉଣ୍ଟିବା ବେଳେ ବହିଟିରେ ରଖିଥିବା ଦେଢ଼ଶୁର ରବିଭାଇଙ୍କ ଅଭିମତ ଭାରି ଅବୁଝା ଏ ମନ, ଯେଉଁଟା ମୋର ପ୍ରଥମ କବିତା ସଂକଳନର ନାମ ଥିଲା, ବହୁ ଆଦୃତି ପାଇଥିଲା । ତାହାହିଁ ଥିଲା ମୋର ଭାଇଙ୍କ ପ୍ରତି କେକ ଆଇସିଂ ପରି ସମ୍ମାନ ।

   



Rate this content
Log in

Similar oriya story from Tragedy