ନାୟକ ଅକ୍ଷୟ ରାଜହସ୍ତୀ

Tragedy

5  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ବଳିଦାନ

ବଳିଦାନ

3 mins
473


"ଗେଲି ମାଉସୀ..

ଗେଲି ମାଉସୀ 

ଜାଣିଛ???

ପଞ୍ଚାତ ପିଅନ କହୁଥିଲା ଏଇ ମାସ ଠୁ ଆଉ ଭତ୍ତା ପଇସା ପାଇଁ ପଞ୍ଚାତ ନ ଯାଇ ଆମକୁ ବେଙ୍କ ଯିବାକୁ ହେବ l ସରକାର ଏବେ ଖାତାକୁ ଟଙ୍କା ପଠେଇଛନ୍ତି l ସେଠି ଟିପ ମାରି ପଇସା ଉଠେଇ ହବ ହଁ ହଁ ସାଥିରେ ବେଂକ ଖାତା , ଆଧାର କାଡ ଧରିଥିବ l ଦୁରିଜମାଆ କଥାଶୁଣି ଚୁଲିରେ ଖଣ୍ଡେ ସୁଖା କାଠ ମେଣ୍ଢେଇ ଦେଇ ମୁହଁ କୁ ଚାହିଁଲେ ଗେଲି l

 ସତେ କି???

ମୁଁ କିଆଁ ମିଛ କହିବି ଯେ??

ମଝି ସାଇ ହରିଆ ବୁଢ଼ା, ସୁକନାନୀ ସମିତେ ଆଜି ବ୍ୟାଙ୍କରୁ ପଇସା ଉଠେଇଲେ l ମୁଁ ଯାଇଥାନ୍ତି ହେଲେ ତମକୁ ନ ନେଇ ଏ ଥର କେନ୍ତି ଏକା ଚାଲିଯିବି ଯେ??? ଗାଁ ଭୁଇଁ ସବୁନୁକ କହିବେ ନିଜ ବାପଘର ସମ୍ପର୍କୀୟ ଝିଆରୀ ହେଇ ତାକୁ କହିଲାନି କି ସାଥିରେ ନେଲାନି l ଫୁଙ୍କ ନଳୀରେ ଫୁଁ ଫୁଂ କରି ତିନି ଚାରି ଥର ଫୁଙ୍କି ହଁ ହଁ ଯିବା ସାଙ୍ଗହେଇ କହିଲେ ଗେଲି l

 ନାଇଁ ଲୋ ମୁଁ କଣ ତୋତେ ଚିହ୍ନିନି?? ମୋତେ ପରା ମଶାଣି ଅନେଇ ରହିଛି l ହେଲେ ଏଇ ଗାଈ ଗୋରୁ ଙ୍କୁ ଛାଡି ମୁଁ ଯାଇ ପାରୁନି l

 ମୋର ବା କିଏ ଅଛି ଯେ ସବୁ ଧନ ସମ୍ପତ୍ତି ଭୋଗ କରିବ ??? ଦଇବ ସହିଲାନି l ମରଦ ଦାଦନକୁ ଗଲା ଯେ ଆଉ ଫେରିଲାନି, ଖାଲି ଝିଅଟେ ଅଛି ପରଗୋତରୀ, ଫି ମାସ ଭତ୍ତା ପଇସାରେ ତା ଦି ବରଷର ନାତି ଟୋକା ପାଇଁ ଖାଲି କିଛି ନେବା କଥା l କ୍ଷୀର ଦୁହଁବା ପଇସାରେ ମୋ ପେଟ ପୁରିଯାଉଛି l ମୁଣ୍ଡ ଟୁଙ୍ଗାରିଲେ ଦୁରିଜ ମାଆ l

ଏମିତି କଥା ଭାଷା ହେଇ କଉ ଗୋଟେ କାମ ଅଛି କହି ପରଦିନକୁ ପୁଣି ଦେଖା ହେବ କହି ଯେଝା କାମରେ ବାହାରିଗଲେ ଦୁହେଁ l

      ତା ପରଦିନ ମାଛି ଅନ୍ଧାରୁ ଝଅଟ ଝଅଟ ଉଠି ଗୁହାଳ ଭିତରେ ଗଣ୍ଡୁଆରେ ଗୋବରଗୋଟେଇବାରେ ବ୍ୟସ୍ତଥିଲେ ଗେଲି l ମନେମନେ ମଝିରେମଝିରେ ମଶା ଧାଂଶ ଦିହରେ ଲାଗୁଥିବା ଦେଖି ଗାରୁ ଗାଁରୁ ହେଉଥାନ୍ତି ସେ l ତା ପରେ କେମିତି ଧୋବଲି ଗାଈଠୁ କ୍ଷୀର ଦୁହିଁ ଗାଆଁ ଠାକୁରାଣୀଙ୍କୁ ଦେବେ ,କେମିତି ସବୁ ଘରର ବାସୀକାମ ଫଟାଫଟ କରି ବାହାରି ପଡ଼ିବ ଦୁରିଜ ମାଆ ସାଙ୍ଗେ l ହଠାତ୍ ଦେଖିଲା ଗୋଟେ ବଡଜନ୍ତୁ, ଲମ୍ବାଶୁଣ୍ଢ l

ଗୁହାଳ ଭିତରକୁ ପଶିଆସୁଛି l ମଡ଼ ମାଡ଼ ଶବଦରେ ମଝି ଗୁଣ୍ଟ ଭାଙ୍ଗି ସାରିଲାଣି l ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ କିଛି ଦିଶୁ ନ ଥାଏ l 

ଗୁହାଳରେ ବନ୍ଧା ଗାଈ ବାଛୁରୀ ବଳଦ ହମ୍ବା ହମ୍ବା ରଡ଼ିଦେଇ ପଘା ଚିଣ୍ଡେଇ କିଏ କୁଆଡେ ଡିଆଁ ମାରିଲେଣି l ହାତୀ ଶୁଣ୍ଡରେ ଠେଲିଦେବାରୁ ତାଟିରେ ଫିଙ୍ଗି ହେଇ ପଡିଲା ଗେଲି l ମୁହଁ ଉଠେଇ ଦେଖନ୍ତି ତ କସରା ବଳଦ ତା ସଙ୍ଗେ ଧସ୍ତାଧସ୍ତି l ତାର କିଛି ହେଲେ ହଉ, କିନ୍ତୁ ମାଲିକାଣୀ ଗେଲିର କିଛି ନ ହେଉ l

ଭୟରେ ଥରି ଉଠି ଡାକି ଛାଡ଼ିଲା l

"କିଏ କଉଠି ଅଛ???

ଦବୁଡି ଆସ ମୋତେ ହାତୀ ମାରି ପକେଇଲା "

 ଡାକ ଶୁଣି ଗାଆଁ ଲୋକେ ଦନ୍ତା ହାତୀ ଭୟରେ ଘରୁ ବାହାରି ଲେ ନାହିଁ l କିନ୍ତୁ ପୁଞ୍ଜେ ଭେଣ୍ଡିଆ ଯେଉଁମାନେ କି ପାହନ୍ତାରୁ ଉଠି ମିଲିଟାରୀ ଚାକିରୀ ପାଇଁ ଦୌଡା ଦୌଡ଼ି କରୁଥିଲେ ସେମାନେ ଗେଲିର ଡାକ ଶୁଣି ଧାଇଁ ଆସିଲେ l ଦେଖିଲେ ବୁଢ଼ୀ ଅଚେତ୍ ହୋଇ ତଳେ ପଡି ରହିଛି l ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ବୋହିନେଲେ l କିଛିକ୍ଷଣ ପରେ ଗେଲିର ଚେତା ଫେରିଲା ବେଳକୁ ଦେଖିଲା ସେ ମେଡିକାଲ ଖଟରେ ,ପାଖରେ ଦୁରିଜ ମାଆ ବସିଛି l ସେ ସଂଗେ ସଂଗେ କହି ପକେଇଲା ମୋ କଷିରି???

 ତାର ଚିକିତ୍ସା ଚାଲିଛି l ତମକୁ ବଞ୍ଚାଇବାକୁ ଯାଇ ସେ ମରଣ ମୁଁହରେ l ତାର ମୁଣ୍ଡରେ ଗଭୀର ଆଘାତ ହେଇଚି l ସେ ପୁରାପୁରି ରକତ ଝୁଲିଆ ହେଉଚି ପେଟରୁ ଅନ୍ତ ବୁଜୁଲା ବାହାରି ଆସିଛି l କଲବଲ ହୋଇ ଚାହିଁ ରହିଲା ଦୁରିଜମା ମୁହଁକୁ l" ଦେଖଣାହାରି ସମସ୍ତେ ତାର ପ୍ରଶଂସା କରୁଛନ୍ତି ଯେଉଁଠି ଆଜିକାଲି ମଣିଷ ମଣିଷକୁ ସାହାର୍ଯ୍ୟ କରୁନାହାନ୍ତି, ସେଠି ପଶୁଟିଏ ହୋଇ ମାଲିକାଣି ପାଇଁ ଜୀବନକୁ ବାଜି ଲଗେଇ ଦେଇଛି l ଏ କଥା ଶୁଣୁ ଶୁଣୁ ମୋ କଶିରି... ର କିଛି ହେବନି l ଭତ୍ତାପଇସାରେ ମୁଁ ତାକୁ ଭଲ କରିବି କହି ଦୁହେଁ ବାହାରି ଗଲେ ଚିକିତ୍ସାସ୍ଥଳକୁ ଯେଉଁଠି ବଳଦ ଶୋଇ ରହିଛି ଖଣ୍ଡିଆ ଖାବରା ହୋଇ l ମରିବ ମରିବ ବୋଲି ସୁକୁସୂକୁ ହେଉଚି l ପଶୁଡ଼ାକ୍ତର  ତାକୁ ସମସ୍ତ ପ୍ରକାର ଊଷଧ ଛୁଞ୍ଚି ସାଙ୍ଗକୁ ଦିହର କ୍ଷତ ଅଂଶ ସିଲେଇ କଲେ l ହେଲେ ଅବସ୍ଥା ସୁଧୁରୁ ନାହିଁ l ଗେଲି ତାର ଏଇ ଅବସ୍ଥା ଦେଖି କାନ୍ଦିକାନ୍ଦି ଗଡିଯାଇଥାଏ l ଶେଷରେ ତା ଦିହରେ ହାତରେ ଟିକେ ଆଉଁଶି ପକାଇଲା ବେଳକୁ ଙ୍ଗ ଙ୍ଗ ରଡ଼ିଦେଇ ଆଖି ବୁଜିଦେଲା ବଳଦଟି l ସତେ ଯେମିତି ଅନୁଭବ କରୁଥିଲା ସେ ଗେଲିର ଶେଷସ୍ପର୍ଶ l ଆଉ ଅନେଇ ରହିଥିଲା ଦେଖିବାକୁ ମାଲିକାଣୀର ଜୀଇଁଲା ମୁହଁ l ଙ୍ଗ ଙ୍ଗ ରଡ଼ିରେ ସେ ବିଦାୟ ନେଲାବେଳେ ଗେଲି ଭୁଇଁରେ ମୁଣ୍ଡ ପିଟି ଚାଲୁଥାଏ କହି କହି "ହେ ଦଇବ ହେ ବିଧାତା....l"


Rate this content
Log in

Similar oriya story from Tragedy