ବୋଉର ଭୁଲାମନ
ବୋଉର ଭୁଲାମନ
କେବେ କେମିତି ଦରକାର ହେଉଥିବା ଜିନିଷ ଯେମିତି କଟୁରି, କୁରାଢି,କୋଦାଳ,ଶାବଳ..ଇତ୍ୟାଦି ଆମ ଘରେ ମହଜୁଦ ଥିଲା। ଏମିତିକି ସେସବୁର ଛୋଟ ବଡ ସାଇଜ ମଧ୍ୟ ଉପଲବ୍ଧ ଥିଲା। ଆମ ଘରେ ଏସବୁ ଜିନିଷ ଅଛି ବୋଲି ଗାଆଁ ରେ ପଡିଶା ଘର ଲୋକମାନଙ୍କୁ ବେଶ୍ ଜଣାଥିଲା।ଯଦିବା କେହି ଅଜଣା ରହି ଯାଇଥିଲେ, ଦରକାର ବେଳେ ଜଣାଥିବା ଲୋକେ ନିଜ ଜିନିଷ ନଦେଇ,ଆମ ଘରେ ସେ ଜିନିଷ ଅଛି ବୋଲି ସେମାନଙ୍କୁ ଧିରେ କହି ଦେଉଥିଲେ। ନାନା ଆଳ ଦେଖାଇ ଏସବୁ ଜିନିଷ ମାନ ଆମ ଘରୁ ମାଗି ନେଉଥିଲେ ଅନେକ ଲୋକ।
ସେତେବେଳେ ବାପା କଲିକତାରୁ ଏ ସବୁ ଜିନିଷ ବୋହି ଆଣି ସାଇତି ରଖିଥିଲେ ଘରେ। କେତେବେଳେ କାଳେ କେଉଁ ଜିନିଷ ଦରକାର ହେବ ! ସେସବୁରେ କଳଙ୍କି ନଲାଗିବା ପାଇଁ ଯଥାରୀତି ଉପଚାର ବି କରି ରଖୁଥିଲେ ବାପା। ହେଲେ ବୋଉ କାହା ମନରେ ଦୁଃଖ ଦେବନି ବୋଲି ଯେମିତି ପଣ କରିଥିଲା।
-" ନଉଛ ନିଅ, ହେଲେ କାମ ସାରି ଶୀଘ୍ର ମନେକରି ଫେରେଇ ଦେବ ।" ବୋଉ ଜିନିଷ ଦେଲାବେଳେ ପ୍ରତ୍ୟେକ ଙ୍କୁ ଏକଥା କହିବାକୁ ଭୁଲେ ନାହିଁ।
ପଡୋଶୀ ମାନେ ଅବଶ୍ୟ ଦିନେ ଦୁଇ ଦିନ ରଖି କାମ ସରିଲେ ଫେରେଇ ଦେଇ ଯାଆନ୍ତି।ଧାର ଖରାପ ହୋଇଗଲେ ଆମ ହାତରେ କମାର ଶାଳ କୁ ପଠେଇ ସେ ସବୁ ଜିନିଷ ସଜାଡି ରଖିଦିଏ ବୋଉ ପୂର୍ବବତ୍।ହେଲେ ବାପା ଘରକୁ ଆସିଥିବା ବେଳେ ଦିନେ ଖୋଜିବା ବେଳକୁ ଗୋଟିଏ ଛୋଟ କୁରାଢି ଏବଂ କଟୁରି ଟିଏ ଗାଏବ ଥିବାର ଜାଣିଲେ। ବୋଉ ଏଥିପାଇଁ ଗାଳି ଖାଇଲା। ଅନେକ ଙ୍କୁ ପଚାରି ସେ ନିରାଶ ହେବା ସାର ହେଲା।
-" ହଉ, ନଉଚୁ ନିଏ। ହେଲେ ମୋର ଭୁଲା ମନ।କିଏ କେଜାଣି ଜିନିଷ ନେଇ ଆଉ ମାନୁ ନାହାନ୍ତି। ଧର୍ମ ସହିବ ତାଙ୍କୁ !! ତୁ ମନେ ପକେଇ ଆଣି ଦେଇଦେବୁ ହେଲା।" ବୋଉ କଥାରେ ମୁଣ୍ଡ ହଲାଇ ସେଦିନ ରଘୁଆ କୁରାଢିଟିଏ ନେଲା ବୋଲି ମୁଁ ଦେଖିଲି।
-" ହଁ,ମୁଁ ନେଇଥିଲି। ପୁଣି ଫେରେଇ ଦେଇଛି।ତୁମର ତ ଖୁଡି ଭୁଲାମନ । ମନେ ପକାଅ ।ଆଉ କାହାକୁ ବୋଧେ ଦେଇଥିବ।" ରଘୁଆ ଠାରୁ ଏକଥା ଶୁଣି ବୋଉ ସେଦିନ ବିଚଳିତ ହୋଇ ପଡ଼ିଲା ବୋଲି ମୁଁ ଲକ୍ଷ୍ୟ କଲି। ଯଦି ମନେ ରଖି ପାରୁନୁ, ଆମ ଜିନିଷ କାହାକୁ ଦେବା ଦରକାର ନାହିଁ ବୋଲି କହି ବୋଉକୁ ବୁଝାଇବାକୁ ଚେଷ୍ଟା କଲି।
-" ଆଉ କାହାକୁ କିଛି ବି ଜିନିଷ ଦେବି ନାହିଁ " ବୋଲି ମୋତେ ସେଦିନ କହିଥିବା ବୋଉ, ଗୋଟିଏ ସପ୍ତାହ ପରେ ଶୁକ କକେଇଙ୍କ ଠାରୁ ଆମ କୋଦାଳକୁ ଆଣି ପୋଛାପୋଛି କରି ରଖୁଥିବାର ମୁଁ ଦେଖି ମନେ ମନେ ନ ହସି ରହି ପାରିଲି ନାହିଁ ।
ଭୁଲାମନର ନୁହେଁ ଭଲମନର ମୋ ବୋଉ ର ଅନ୍ତର ପଢିବାକୁ ମୋର କ'ଣ ଆଉ ବାକି ଥିଲା...!!!