Himalini Hota

Children Stories

3  

Himalini Hota

Children Stories

ଦୁଷ୍ଟାମୀ

ଦୁଷ୍ଟାମୀ

4 mins
126


ପ୍ରତିଲିପି ଆପରେ ପତରେ ପତରେ ଟପିକ ଦେଖି ପିଲା ଦିନର କିଛି ଦୁଷ୍ଟାମୀ ମନ ପଡିଗଲା । ଆଶା କରେ ହସିବେ ନାହିଁ । 

ମତେ ସେତେବେଳକୁ ୫ ବର୍ଷ । ବାବା ବୋଉଙ୍କର ଅଲିଅଲି ଗେଲବସରିଆ ଝିଅ । ମୋ ତଳ ସାନ ଭାଇ ଭଉଣୀ ଆସିନଥାନ୍ତି । ସେଥିପାଇଁ ମତେ ଆଉ କିଏ ତଳେ ବସେଇ ଦିଅନ୍ତିନି । ଜେଜେ ବାପା, ଜେଜେ ମା, ଦାଦା ସମସ୍ତେ କାଖ କରି ବୁଲଉଥିବେ । ମୁଁ ଯାହା କହିବି ସାଙ୍ଗେ ସାଙ୍ଗେ ଜେଜେମାଆ ସବୁ ପୂରଣ କରିଦେବେ ଏମିତି କି ରାତି ଅଧରେ ବି ଯଦି ମତେ କେଉଁ ପିଠା ଖାଇବାକୁ ଇଚ୍ଛା ହୁଏ ମୁଁ ତାଙ୍କୁ କହିଦିଏ ସେ ରାତିରେ ହିଁ ମତେ ଯେମିତି ବି ହେଉ ପିଠା କରି ଖୁଆଇବେ ସିଏ । ଅତ୍ୟଧିକ ଗେଲା ଯୋଗୁଁ ମୋର ଜିଦ କରିବା ଗୁଣ ଟିକେ ବଢିଯାଇଥାଏ । 

ସହରରେ ଇଂରାଜୀ ମିଡିୟମ ସ୍କୁଲରେ ନାମ ଲେଖା ହେଇଥିଲା ମୋର । ଆମ ସମୟରେ LKG ଓ UKG ଦୁଇ ବର୍ଷ ପଢିବା ପରେ ଷ୍ଟାଣ୍ଡର୍ଡ 1 ପଢ଼ା ଯାଉଥିଲା । ପାଠପଢ଼ାରେ ମୁଁ ଥିଲି ପୁରା ଆଗୁଆ 100 to 100 ସବୁ ବିଷୟରେ । ୟା ଛଡା ମୋର ଆଉ ଗୋଟିଏ ବହୁତ ଭଲ ଗୁଣ ଥିଲା ପ୍ରତି କଥାରେ ନାକରେ କାନ୍ଦିବା । ଆଉ କିଛି ଇଚ୍ଛା ଯଦି ପୂରଣ ନ ହୁଏ ଆଖିବୁଜି ବସି ରହିବା, ଏଇ ନାକରେ କାନ୍ଦିବା ଗୁଣ ଯୋଗୁଁ ମୋ ବୋଉ ମତେ ସବୁବେଳେ କହେ - ୟାକୁ ଯଦି ରାମାୟଣରେ ସୀତାଙ୍କ ରୋଲ କରିବାକୁ ମିଳିବ ତାହେଲେ ଇଏ ଭଲ ଭାବରେ କାନ୍ଦି କାନ୍ଦି କରି ପାରିବ । ବୋଉଙ୍କୁ ମୁଁ ଟିକେ ଡରେ କାରଣ ମୋ ବୋଉର ପାଟି କଥା କୁହେନି ହାତ କଥା କୁହେ ଅର୍ଥାତ ସେ ପ୍ରଥମେ ମାଡ଼ ଦେବ କିଛି ବି ଭୁଲ କଲେ, ପରେ ଭୁଲ ଠିକ ବିଚାର କରିବ । ଅବଶ୍ୟ ପଛରେ ଶୋଇଥିବା ବେଳେ ପରେ ମୋ ପିଲାକୁ କେତେ ବାଡେଇ ଦେଲି କହି କାନ୍ଦି କାନ୍ଦି ବହୁତ ଗେଲ କରିବ କିନ୍ତୁ ମୋ ଆଗରେ ପୁରା ଉଗ୍ର । ସେଥିପାଇଁ ଭୟରେ କିଛି ଜଦି ଇଚ୍ଛା ମୋର ପୂରଣ ନ ହୁଏ ପାଟିରେ କିଛି ନ କହି ଚୁପ ଚାପ ଆଖି ବୁଜି ବସି ରହେ ମୁଁ । ଏ ଥିଲା ମୋର ଘରେ ବାବା ବୋଉଙ୍କ ପାଖରେ କାର୍ଯ୍ୟ ହାସଲ କରିବାର କୌଶଳ । ମୋ ଇଚ୍ଛା ପୂରଣ ହେଲା ପରେ ଯାଇ ଆଖି ଖୋଲା ହୁଏ ନଚେତ ଯଦି ଅଭିମାନରେ ଆଖିବୁଜି ଶୋଉ ଶୋଉ ସତରେ ନିଦ ହେଇଯାଏ ଉଠିଲା ପରେ ଭୁଲିଯାଇଥିବି ମୁଁ ଆଖି ବୁଜି ବସି ଅଭିମାନ କରିଥିଲି ବୋଲି । 

ବଡ଼ ଅଜବ ଇଚ୍ଛା ସବୁ ଥିଲା ମୋର । ଏଇ ଯେମିତି ସକାଳୁ ସ୍କୁଲ ଯିବା ସମୟରେ ଟିଫିନ ନ ନେବାର ଇଚ୍ଛା । ଅସମୟରେ ଜେଜିମାଆ ଗାଁ ଓ ଆଈ ଗାଁକୁ ଯିବାର ଇଚ୍ଛା । ନ ଗାଧେଇବାର ଇଚ୍ଛା, ଖେଳିବାର ଇଚ୍ଛା । ଏମିତି ବହୁତ କିଛି ମୋ ଇଚ୍ଛା ଲିଷ୍ଟରେ ଅନ୍ତର୍ଭୁକ୍ତ ଥାଏ । ବହୁତ କିଛି ନୂଆ ନୂଆ ଇଚ୍ଛା ମୋର ପ୍ରତିଦିନ ବି ହେଇଯାଏ । ପ୍ରାୟ ସକାଳେ ସ୍କୁଲ ବାହାରିବା ସମୟରେ ହି ମୋର ସବୁ ଇଚ୍ଛା ଜାଗ୍ରତହୋଇଯାଏ, ଇଚ୍ଛା ତ କେବେ ପୂରଣ ହୁଏନି ବାସ ମୋ ଆଖି ବୁଜି ବସିବା ଷ୍ଟାର୍ଟ ହେଇଯାଏ । ସବୁ ଦିନ ତ ଆଉ ଖାଲି ଖାଲିରେ ବାଡେଇ ପାରିବିନି ବୋଉ ଗେଲା ଝିଅ ଥିଲି ମୁଁ ତାର, ସେଇ ଆଖି ବୁଜି ବସିବା ଅବସ୍ଥାରେ ହି ମତେ ଗାଧାଏ, ମୁଣ୍ଡ କୁଣ୍ଡାଇ ଖୁଆଏ ବହି ପତ୍ର ସଜେଇ ରେଡି କରି ସ୍କୁଲ ବସରେ ବସାଏ ତା ପରେ ଯାଇ ସ୍କୁଲ ବସରେ ମୋର ଆଖି ଫିଟେ । ମୋର ଗୋଟିଏ ଭଲ ଗୁଣ ମୁଁ ବାହାରେ ପଦା ଲୋକଙ୍କ ସାମ୍ନାରେ ମୁଁ କେବେ ମୋର ଇଚ୍ଛା ଜାହିର କରେନି । ମୋର ଏ ଗୁଣ ସମ୍ବନ୍ଧରେ ସ୍କୁଲ ବସର ଆମ ତଦାରଖ ପାଇଁ ଥିବା ପିଅନ ଭଲ ଭାବରେ ଅବଗତ ଥାନ୍ତି । 

ଏମିତି ବହୁତ ଦିନ ଚାଲିଲା, ଦିନକୁ ଦିନ ମୋ ଇଚ୍ଛାର ମାତ୍ରା ମଧ୍ୟ ବଢିବାକୁ ଲାଗିଲା । ବହୁତ ସୁନା ପିଲା ଥିଲି ମୁଁ କେବେ କୌଣସି ଜିନିଷ ପାଇଁ ଜିଦ କରେନି କି ଅଳି ଅଝଟ କରେନି କେବଳ ଆଖି ବୁଜି ବସିଯାଏ । 

ସବୁବେଳେ ଏମିତି ମୋର ଏ ଅଜବ ଜିଦ ଦେଖି ବାବା, ବୋଉ ବି ବିରକ୍ତ ହୋଇଯାଇଥିଲେ । ଦିନେ ଦିନେ ସ୍କୁଲ ନଥିବା ସମୟରେ ଯଦି ଏ ପ୍ରକାର ଦୁଷ୍ଟାମୀ ଆରମ୍ଭ ହୋଇଗଲା ପୁରା ଦିନ ଆଖି ବୁଜାରେ ହି କଟିଯାଉଥିଲା । 

ସବୁ କଥାର ଗୋଟେ ଅନ୍ତ ଥାଏ । ମୁଁ ଡାଳ ଡାଳରେ ଗଲେ ବାବା ବୋଉ ପତ୍ର ପତ୍ରରେ ଯିବା ପରି ମୋ ଅଯିବ ଇଚ୍ଛାର ଦମନ ପାଇଁ ସେମାନେ ଗୋଟିଏ ଉପାୟ ପାଞ୍ଚି ଥିଲେ । ସେ କଥାର ମୁଁ ଅଗୋଚର ଥିଲି । 

ଦିନକର କଥା ମୋର ପୂର୍ବ ଅଭ୍ୟାସ ମୁତାବକ ସେଦିନ ମତେ ସକାଳୁ ଇଚ୍ଛା ହେଲା ଆଜି ସ୍କୁଲ ନ ଯାଇ ଘରେ ରଙ୍ଗ ଖେଳିବି । ବୋଉଙ୍କ ଆଗରେ ଇଚ୍ଛାଟିକୁ ପ୍ରକାଶ କରିବା ମାତ୍ରେ ବୋଉ ବିରକ୍ତ ହେଲା ସକାଳୁ ସକାଳୁ ଗୋଟେ ନାଟ ଆରମ୍ଭ କରିଦେଇଥିବାରୁ । ଯେହେତୁ ମୋର ଇଚ୍ଛା ପୂରଣ ହେଲା ନାହିଁ ବୋଉ ମତେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ କଲା ମୁଁ ବି ଆଖିବୁଜି ବସିରହିଲି ମୋର ପୂର୍ବ ଅଭ୍ୟାସ ମୁତାବକ ଜିଦରେ । 

ବୋଉ ବିରକ୍ତ ପ୍ରକାଶ କଲେ ମଧ୍ୟ ମନେ ମନେ ପୁରା ଖୁସି ଯେ ଆଜି ମୋ ଇଚ୍ଛା ସବୁଦିନେ ପାଇଁ ଦମନ ହେବ । ଅଧଘଣ୍ଟା ଗଲା ପରେ ----

ବାବା ବୋଉ ପୂର୍ବ ଯୋଜନା ମୁତାବକ ମୋ ଆଗରେ କିଛି ନ କହି ପିଠି ଉପରେ ପାଞ୍ଚ ଟଙ୍କିଆ ବର୍ଷଣ ଆରମ୍ଭ କରିଦେଲେ । (ୟା ପୂର୍ବରୁ ବହୁତ ଗେଲା କରି ବୁଝାଉଥିଲେ ବାବା । ତେଣୁ ମୁଁ ତାଙ୍କଠୁ ଏଇୟା ଆଶା କରିନଥିଲି) । 

ବାପ ରେ----- କି ମାଡ଼ !!ଦୁମ ଦାମ, ଦୁଲ, ଦାଲ ପିଠି ଫାଟି ଯାଉଥାଏ ମୋର । 

ମୁଁ ଛଟପଟ ହୋଇ କାନ୍ଦୁଥାଏ କାନ ଦୁଇଟିକୁ ଧରି ଆଉ କେବେ ଏପରି କରିବି ନାହିଁ ବୋଲି କହି କହି । ବାବାଙ୍କର ଏମିତି ଉଗ୍ର ରୂପ ମୁଁ ୟା ଆଗରୁ କେବେ ଦେଖିନଥିଲି । ସେ ଦିନ ଦେହର ବ୍ୟଥା ହୋମିଓପ୍ୟାଥିକ ମେଡ଼ିସିନରେ ଭଲ ହୋଇଥିଲା । ସେ ଯାହା ହେଉ ବି ମୋର ଆଖି ବୁଜି ବସି ରହି କାର୍ଯ୍ୟ ହାସଲ କରିବାର କୌଶଳ ସେ ଦିନ ଠାରୁ ବନ୍ଦ ହୋଇଥିଲା । ଏବେ ବି ପିଲା ବେଳର ସେ କଥା ମନ ପଡିଲେ ମୁଁ ହସି ହସି ଗଡି ଯାଏ ।



Rate this content
Log in