ଗୁରୁଦିବସର ଭିନ୍ନ ଏକ କାହାଣୀ
ଗୁରୁଦିବସର ଭିନ୍ନ ଏକ କାହାଣୀ
ଏମିତି ଏକ ଅଭାବନୀୟ ପରିସ୍ଥିତିକୁ ସାମ୍ନା କରିବି ବୋଲି ମୁଁ ଭାବି ନଥିଲି।
ଅନେକ ବର୍ଷ ପରେ ଗୁରୁ ଦିବସ ଉପଲକ୍ଷେ ,ନିଜ ପୁରୁଣା ବିଦ୍ୟାଳୟ ଯାଇ କିଛି ସ୍ମୃତି ସାଉଁଟିବା ଓ ବର୍ତ୍ତମାନ ସ୍କୁଲର ପରିସ୍ଥିତି ଦେଖିବା ପାଇଁ ସ୍ଥିର କରି ପହଞ୍ଚିଥିଲି।
ନିଜ ପିଲା ବେଳେ, ସ୍କୁଲ ପ୍ରାର୍ଥନା ସରିଲା ପରେ,ଗୁରୁ ବନ୍ଦନା ବୋଲି ସବୁ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରୁଥିଲୁ ।ତା ପରେ ଗୁରୁ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଓ ଶେଷରେ ବୁନ୍ଦିଆ ଲଡୁ।
ହେଲେ ଆଜି ସ୍କୁଲ ବାରଣ୍ଡାର ଦୃଶ୍ୟ ମୋତେ ହତବାକ କରିଦେଇଥିଲା।
ପାଖରେ ଠିଆହୋଇଥିବା ଜଣେ ପିଲାକୁ ପଚାରିଲି, "ଏ ସମସ୍ତେ କଣ ଏହି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ "?
ପିଲାଟି ମୁଣ୍ଡ ହଲାଇ କହିଲା "ହଁ।"
ମୋ ପାଟିରୁ ପୁଣି ବାହାରିଲା, "ସମସ୍ତେ ଏକାଠି !ଏମିତି କେମିତି ହେଲା ?ଆକ୍ସିଡେଣ୍ଟ ନା ଆତ୍ମହତ୍ୟା ?"
ମୋ ଆଖି ଛଳ ଛଳ ହୋଇଆସୁଥିଲା,ସ୍କୁଲ ବାରଣ୍ଡାରେ ଥୁଆ ହୋଇଥିବା ଲମ୍ବା ବେଞ୍ଚ ଉପରେ ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କ ଫୁଲମାଳ ଚଢା ଫଟ ସବୁକୁ ପିଲାମାନେ ମୁଣ୍ଡିଆ ମାରୁଥିବାର ଦେଖି।
ପଛପଟେ ଠିଆହୋଇଥିବା ସ୍କୁଲର ପିଅନ କହିଲା, "କେହି ମରିନାହାନ୍ତି।"
"ତା ହେଲେ ଏସବୁ...."
"ସବୁ,ସାର୍ ,ଦିଦିମାନେ ଭୁବନେଶ୍ଵରରେ ପିଏମ ଜି ପାଖରେ ଧାରଣାରେ ବସିଛନ୍ତି ମାସେ ହେଲାଣି । ଗୁରୁ ଦିବସ ରେପିଲା ମାନେ ଆଜି ଆଉ କଣ କରିଥାନ୍ତେ ?ଫଟ ରଖି ପୂଜା କରୁଛନ୍ତି ।ସରକାର ବି ସେ ଜାଗାର ନାଁ ମାଷ୍ଟର କ୍ୟାଣ୍ଟିନ କାହିଁକି ରଖିଛନ୍ତି କେଜାଣି ?ଯେତେବେଳେ ଦେଖ ଆମ ...."
କ୍ଷୋଭରେ ଭରିଗଲା ମୋ ମନ। ଫେରିଆସିଲି ଭୁବନେଶ୍ୱର। ଷ୍ଟେସନ ସ୍କୋୟାର ପାଖରେ ସନ୍ଧ୍ୟାବେଳେ ଶିକ୍ଷକମାନଙ୍କର ଏକ ମଶାଲ ରାଲି ଯାଉଥିବାର ଦେଖି ପାଖରେ ଠିଆ ହୋଇଥିବା ବୟସ୍କ ବ୍ୟକ୍ତି ଜଣେ ମୋତେ ପଚାରିଲେ,
"ଆଜ୍ଞା,କିଏ ମରିଗଲା କି ?"
ଅଜଣାତରେ ମୋ ପାଟିରୁ ବାହାରି ପଡ଼ିଲା, "ଶିକ୍ଷା "।
ଅରବିନ୍ଦ ଦାସ