Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

କପେ ଚା

କପେ ଚା

5 mins
11


ସକାଳର କପେ ଚା ସହିତ ଖବର କାଗଜ ନଥିଲେ ମନ ବୁଝେନା ବାପାଙ୍କର. ଆଜି ଦୁଇ କପ ଚା ପିଇବା ପରେ ମଧ୍ୟ ଖବର କାଗଜ ଆସିନଥିଲା ଘରକୁ. ଖବର କାଗଜ ଦେଉଥିବା ପିଲାଟିକୁ ବାପା ରାଧାମାଧବ ବାବୁ ଜାଣନ୍ତି. ଅନେକ ଥର ତାକୁ ଅଟକେଇ ଦେଇ ସୁଖ ଦୁଃଖ ଟିକେ ପଚାରିଦିଅନ୍ତି. ଆଜି ଏତେ ଡେରି ହେଲାଣି ଅଥଚ ରାଜୁ ଆସିନାହିଁ. ପେପର ପେପର କହି ଅଳସୁଆଙ୍କ ନିଦ ଭାଙ୍ଗିନାହିଁ ତ କାରଣ କଣ?ଖବର କାଗଜ ବିନା ଦୁଇ ଦୁଇଥର ଚା ପିଇସାରିଥିଲେ ମଧ୍ୟ ଅଧା ଅଧୁରା ଲାଗୁଥିଲା ରାଧାମାଧବ ବାବୁଙ୍କୁ. ଏଇ ସମୟରେ ନୂଆ ପିଲାଟିଏ ପେପର ଆଣି ପହଁଚିଲା ତ ରାଧାମାଧବ ବାବୁ ପଚାରିଦେଲେ ରାଜୁ ଖବର ସନ୍ତର୍ପଣରେ. ନୂଆ ପିଲାଟି କହିଲା ତା ମାଆକୁ ଗୋଟେ କିଡ଼ନୀ ଦେଇ ମଧ୍ୟ ରାଜୁ ବଞ୍ଚାଇ ପାରିଲାନି ମାଆକୁ. ନିଜେ ମଧ୍ୟ ଅସୁସ୍ଥ ଅଛି ତ ତା କାମଟା ମୁଁ ପାଇଛି ଆଜ୍ଞା କହି କହି ଫେରିପଡୁଥିଲା ନୂଆ ହକର. ଆଉ ଅନେକ କିଛି ପଚାରିବାକୁ ଚାଁହୁଥିଲେ ବି ପଚାରିପାରିନଥିଲେ ରାଧାମାଧବ ବାବୁ. ଲୁହ ଛଳ ଛଳ ହୋଇଗଲା ଆଖି. ମାଆଟି ରାଜୁର ସବୁକିଛି ଥିଲା. ବାପା ପଚାରେ ନାହିଁ. ଟ୍ରଲି ଭିଡି ଯାହା ପାଏ ମଦ ଖାଇ ମାତାଲ ହୁଏ. ସେଥିରେ ପୁଣି ନିଜ ସ୍ତ୍ରୀକୁ ସନ୍ଦେହ କରି ରାଜୁ ତାର ପୁଅ ବୋଲି ସ୍ୱୀକାର ନକରି ଆଉ କୋଉ ସ୍ତ୍ରୀ ଲୋକ ସହିତ ନୂଆ ସଂସାର ବସାଇଥିବା ବାପା ଦିନେ ଫେରାର ହୋଇଗଲା ସହରରୁ. ବାର ଦୁଆର ପାଇଟି କରି ମାଆ ଦେହ ଭଲ ରହୁନଥିଲା. ରାଜୁର ଅଳ୍ପ ରୋଜଗାରରେ ମାଆ ପୁଅ କଷ୍ଟରେ ଚଳୁଥିଲାବେଳେ ରାଜୁ ମାଆର ଦୁଃଖ ସହିନପାରି ମାଆ ଜାଗାରେ ବାବୁଘରମାନଙ୍କରେ କାମ କରୁଥିବା ଝିଅ ରୁପାକୁ ସ୍ତ୍ରୀ କରି ଘରକୁ ଆଣିବ ବୋଲି କଥା ଦେଇଥିଲା. ଏବେ ମାଆ ପାଇଁ ଗୋଟେ କିଡ଼ନୀ ଦେଇ ମାଆ ବିଚାରି ଚାଲିଗଲା ପରେ ବିଚରା ରାଜୁର ଅଧା ଅଧୁରା ସ୍ବପ୍ନ ପୁରଣ କେମିତି ହେବ ଭାବି ରାଧାମାଧବ ବାବୁ ଚିନ୍ତିତ ଦେଖା ଯାଉଥାନ୍ତି ।

   ରାଧାମାଧବ ବାବୁଙ୍କ ସ୍ତ୍ରୀ ଶକୁନ୍ତଳା ଚାଲିଯିବାପରେ ବୋହୁଟି ମାଆ ପରି ଓ ନିଜ ଝିଅ ପରି ତାଙ୍କର ସବୁ ଭଲ ମନ୍ଦ ବୁଝେ. ଆଜି ବାପାଙ୍କୁ ଦୁଇ କପ ଚା ଦେଇସାରିବା ପରେ ମଧ୍ୟ ବାପା ଉଠୁନାଁହାନ୍ତି କି ନାତି ସହ ବଲ ଖେଳୁନାହାଁନ୍ତି, କି କଣ ବଜାରରୁ ଆସିବ କହି ଉଭୟ ମର୍ଣ୍ଣିଙ୍ଗ ୱାକ ଓ ସଉଦା ଓ ପରିବା ଆଣିବା ପାଇଁ ବ୍ୟାଗ ମାଗୁନାହାଁନ୍ତି, କଥା କଣ?ଶାଶୁଙ୍କୁ ମୃତ୍ୟୁ ଶଯ୍ୟାରେ ସେ କଥା ଦେଇଛନ୍ତି ଶଶୁରଙ୍କ ସମସ୍ତ କଥା ସେ ଠିକ ଠିକ ବୁଝିବେ. ସ୍ୱାମୀ ବିଚିତ୍ର ମଧ୍ୟ ବାପାଙ୍କ ଅବହେଳା ବରଦାସ୍ତ କରିବେ ନାହିଁ ତ ଆଜି ଚା ଟା କଣ ଠିକ ଠାକ ଉତୁରିଲା ନାହିଁକି ଭାବି ବୋହୁ ଅଳକା ଭାବୁଥିଲା ନିଆଁ ପାଣିକୁ ଭରସା ନଥାଏ. ଶଶୁର ବାପାତ ତା ହାତ ତିଆରି ଚା କୁ ଖୁବ ତାରିଫ କରି କୁହନ୍ତି ଠିକ ଶକୁନ୍ତଳାଙ୍କ ହାତ ତିଆରି ଚା ପରି ଲାଗୁଛି.ତେବେ ଆଜି ଦୁଇଥର ଚା ପିଇସାରିବା ପରେ ମଧ୍ୟ ବାପା ଉଠୁନାହାଁନ୍ତି କାହିଁକି ଦେଖିବାକୁ ଆଗେଇ ଅଳକା ଦେଖିଲା ବାପା ତାଙ୍କ ଜାଗାରେ ନଥିଲେ. ତାଙ୍କୁ କିଛି ନକହି କୁଆଡେ ଚାଲିଗଲେ ବାପା?ବୋଧହୁଏ ପେନସନ ପାଇଁ ବାପା ଚାଲିଗଲେ ଭାବି ଅପେକ୍ଷା କଲା ଅଳକା.

   ସତକୁ ସତ ରାଧାମାଧବ ବାବୁ ପେନସନ ନେଇ ପହଞ୍ଚିଥିଲେ ରାଜୁ ଘରେ. ରାଜୁ ତାଙ୍କୁ ଦେଖି ଭୋ ଭୋ କାନ୍ଦି ଉଠିଥିଲା. ଆଶ୍ଵାସନା ଦେଇ ରାଜୁକୁ ଉଠେଇଲେ ରାଧାମାଧବ ବାବୁ ଆଉ କହିଲେ ମନ ଦୁଃଖ କରନା ରାଜୁ. ତୁ ମୋର ଆଉ ଗୋଟେ ପୁଅ. ମୋ ସାନ ପୁଅ. ଶକୁନ୍ତଳା ସବୁବେଳେ କହୁଥିଲେ ଆଉ ଗୋଟେ ପୁଅ ଥିଲେ ଖୁବ ଭଲ ହୋଇଥାନ୍ତା. ସେତେବେଳେ ସିନା ଶକୁନ୍ତଳାଙ୍କ ଉପରେ ବିରକ୍ତ ହୋଇ ମୁଁ କହୁଥିଲି ଯେ ହଁ ଆଉ ଗୋଟେ ପୁଅ ଥିଲେ ଜଣଙ୍କ ପାଖରେ ତୁମେ ରହିଲେ ଜଣଙ୍କ ପାଖରେ ମତେ ରହିବାକୁ ଦୁହେଁ ଭାଗ ବାଣ୍ଟି ଥାଆନ୍ତେ. ଶକୁନ୍ତଳା କୁହନ୍ତି ମୋ ପୁଅମାନେ ଜମା ସେମିତି କରିନଥାନ୍ତେ. କିନ୍ତୁ ତାଙ୍କ ଅଲକ୍ଷରେ ମୋର ଆଉ ଗୋଟେ ପୁଅ ଗୋପରେ ବଢୁଛି ବୋଲି ମୁଁ ଜାଣିନଥିଲି. ରାଜୁକୁ ଧରି ରାଧାମାଧବ ଘରକୁ ଫେରିଲେ. ସବୁଥର ପେନସନ ପାଇ ବାପା କିଛି ଭଲ ଜିନିଷ ଆଣିଥାଆନ୍ତି. ଆଜି ରାଜୁ ହିଁ ଥିଲା ଭଲ ଜିନିଷ ପରିବାର ପାଇଁ. ପୁଅ ବୋହୁ ନାତି ସମସ୍ତେ ଖୁସି.ରାଧାମାଧବ ବାବୁ ପାଉଥିବା ଦୁଇଟି ପେନସନରୁ ନିଜ ପେନସନ ପାଖରେ ରଖି ଶକୁନ୍ତଳାଙ୍କ ଅଧା ପେନସନରେ ରାଜୁର ଘର ଖଣ୍ଡକ ସଜାଡି ଥିଲେ, ମାଟ୍ରିକ ଫେଲ ରାଜୁକୁ ଘରୋଇ ଭାବେ ଗ୍ରାଜୁଏଟ କରିଥିଲେ. ରାଜୁ ମଧ୍ୟ ବସିନଥିଲା. ରାଧାମାଧବ ବାବୁଙ୍କ ସହ ବଗିଚାରେ ଫୁଲ ଓ ବାଡ଼ିରୁ ନାନା ଜାତି ପରିବା ଉତ୍ପନ୍ନ ହେଉଥିଲା. ଏମିତିକି ଆଜିକାଲି ଆଉ ବଜାରରୁ ଶାଗ କି ପନିପରିବା କିଣିବାକୁ ପଡୁନଥିଲା. ତା ସହିତ ଛତୁ ଓ କୁକୁଡ଼ା ପାଳନରୁ ଖୁବ ଦେଶୀ ଅଣ୍ଡା ମିଳୁଥିଲା.ନାତି ବାବାକୁ ସ୍କୁଲ ଛଡା ଅଣା ମଧ୍ୟ ରାଜୁ କରୁଥିଲା. ରାଧାମାଧବଙ୍କ ମୃତ୍ୟୁ ପରେ ତାଙ୍କ କିଡ଼ନୀ ରାଜୁ ଦେହରେ ଖଞ୍ଜି ତାକୁ ନୂଆ ଜୀବନ ଦେବା ସହ ତା ସ୍ୱପ୍ନର ସେଇ ଝିଅ ରୁପା ତାର ହାତ ଧରିଥିଲା.ରାଧାମାଧବଙ୍କ ମୃତ୍ୟୁ ଇଛାପତ୍ର ଅନୁଯାଇ ଆଜି ରାଜୁ ସବୁକିଛି ଫେରିପାଇ ମଧ୍ୟ କାନ୍ଦୁଥିଲା ରାଧାମାଧବଙ୍କୁ ସବୁଦିନ ପାଇଁ ହରେଇଥିବାରୁ.

    ବାପା ଚାଲିଯିବା ପରେ ପୁଅ ବିଚିତ୍ର ବୋହୁ ଅଳକା ଓ ନାତି ବାବା ସେ ଘରେ ଆଉ ରହିବାକୁ ଚାଁହୁ ନଥିଲେ,କାରଣ ବାପାଙ୍କ ଆବର୍ତ୍ତନରେ ଘରଟା ଜମା ଭଲ ଲାଗୁନଥିଲା.ହେଲେ ବାପା ରାଧାମାଧବ ବାବୁ ସାନପୁଅ କହି ରାଜୁକୁ ଘରେ ରହିବାକୁ ସ୍ୱୀକୃତି ଦେଇ, ପାଠ ଶାଠ ଦି ଅକ୍ଷର ପଢ଼େଇ, ନିଜ କିଡ଼ନୀ ଦାନ କରିବା ସହ ତାକୁ ରୁପା ସହ ହାତକୁ ଦୁଇହାତ କରାଇଥିଲେ ସେ ତାର ପୈତୃକ ଘର ଖଣ୍ଡିକୁ ଚାଲିଯିବାର ସିଦ୍ଧାନ୍ତ ସେଦିନ ବିଚିତ୍ରଙ୍କୁ ସକାଳୁ ସକାଳୁ ଚା ପିଇବା ସହ ଖବର କାଗଜ ପଢିବା ସମୟରେ ଶୁଣେଇଦେଇଥିଲା .ସେତେବେଳକୁ ବିଚିତ୍ରଙ୍କର ନଜର ଆଜିର ରାଶିଫଳ ଉପରେ ନିବଦ୍ଧ ଥାଏ. ନିଜ ରାଶିରେ ବନ୍ଧୁ ବିଚ୍ଛେଦ ଦେଖି ଓ ରାଜୁର ଘର ଛାଡ଼ିବା କଥା ଶୁଣି ବିଚିତ୍ର ଭାବିଲେ କି ବଡ଼ଭାଇର ସମ୍ମାନ ଦେଉଥିବା ଓ ବନ୍ଧୁ ପରି ପାଖେ ପାଖେ ରହିଥିବା ରାଜୁ ଯିବାକୁ ବାହାରିଲାଣି ମାନେ ଆଜିର ରାଶିଫଳ ଏକଦମ ସତ ହେବାକୁ ଯାଉଛି. ରାଜୁକୁ କିଛି ନକହି ଉଠିଗଲେ ଅମିତ. ରୋଷେଇ ଘରେ ଅଳକା ସୁଉଁ ସୁଉଁ ହେଉଥିଲେ. ସାନ ବୋହୁ, ରାଜୁର ସ୍ତ୍ରୀ ରୁପାର ମୁହଁ ଥମଥମ ଦେଖାଯାଉଥିଲା ଆଉ ବାବା ଦାଦା ଦାଦା ଡାକି ରାଜୁ ପାଖେ କେତେ ଫେରାଦି ହେଉଥିଲା.ବିଚିତ୍ର ଆଜି ରାଜୁର ପ୍ରଶ୍ନର ଉତ୍ତର ନଦେଇ ଅଫିସ ଚାଲିଗଲେ. ତାଙ୍କୁ ଲାଗୁଥିଲା ପାହାଡ଼ଟା ତାଙ୍କ ମୁଣ୍ଡ ଉପରେ ଭାଙ୍ଗି ପଡିଛି. ରାଜୁ ଯଦି ଚାଲିଯାଏ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯିବେ. ରାମାୟଣ କହେ ପାଖରେ ଥିଲେ ଭାଇ.. ବିପଦ ନାହିଁ. ତା ଛଡା ଭାଇକୁ କିଛି ଦେବି ନାହିଁ କହି ମହାଭାରତ ଯୁଦ୍ଧର ବିଭୀଷିକା କଥା ଶୁଣି ଓ ରାମାୟଣରେ ଭାଇଠୁ କିଛି ନେବିନାହିଁ ସତ୍ୟ ଉପରେ ଆଧାରିତ ପୌରାଣିକ କଥା ବସ୍ତୁ ପଢି,ବିଚିତ୍ର ମାଆ ବାପାଙ୍କୁ ପିଲାଦିନେ ପ୍ରଶ୍ନ କରନ୍ତି ମୋର କେହି ଭାଇ ନାହାଁନ୍ତି କାହିଁକି ମାଆ? ସେତେବେଳେ ପଚାରିଥିବା ସେହି ପ୍ରଶ୍ନର ଉତ୍ତର ନଦେଇ ମାଆ ଶକୁନ୍ତଳା ସିନା ଚାଲିଗଲେ ହେଲେ ବାପା ତାଙ୍କ ମଣିଷପଣିଆ ତଥା ମାନବ ସେଵା ହିଁ ମାଧବ ସେଵା ବୋଲି ସତ୍ୟକୁ ମାନି, ରାଜୁକୁ ଖାଲି ଘରକୁ ନେଇଆସିନଥିଲେ ବରଂ ତା ପୈତୃକ ଘର ଖଣ୍ଡିକ ତୋଳାଇବା, ତାକୁ ପାଠଶାଠ ପଢେଇ ବିଭା କରାଇବା ସହ ରାଜୁ ତାର ମାଆକୁ ଗୋଟେ କିଡ଼ନୀ ଦେଇ ଆଉ ଗୋଟିଏ କିଡ଼ନୀ ସାହାଯ୍ୟରେ ଜୀବନ ଜିଇଁ ଥିବାରୁ ମୃତ୍ୟୁ ପୂର୍ବରୁ ବାପା ତାଙ୍କ ନିଜ କିଡ଼ନୀ ରାଜୁପାଇଁ ଦାନ କରିଯାଇଥିଲେ. ଏବେ ରାଜୁ ଚାଲିଯିବ କହୁଛି ଶୁଣି ବିଚିତ୍ରଙ୍କ ମୁଣ୍ଡ ଖରାପ ହୋଇଯାଇଥିଲା. ବାପାଙ୍କ ବିନା ତାଙ୍କୁ ଘରେ ରହିବାକୁ ଭଲ ଲାଗୁନଥିବା ବେଳେ ରାଜୁ ଭିତରେ ବପାଙ୍କୁ ଦେଖି ସାନ୍ତ୍ୱନା ପାଇ ରହିଥିବା ବିଚିତ୍ରଙ୍କ ମନ ଆଜି ଭାରାକ୍ରାନ୍ତଥିଲା.

   ଅଫିସରେ ସମସ୍ତଙ୍କୁ ଦ୍ଵନ୍ଦ ଓ ସନ୍ଦେହ ମନ ନେଇ ଚାହିଁଲେ ବିଚିତ୍ର. କେହି ଅସୁସ୍ଥ ନାହାଁନ୍ତି ତ ପଚାରି ବୁଝିଲେ ତ ସମସ୍ତେ ଆଵାକାବା ହୋଇ ଚାହୁଁଥିଲେ ତାଙ୍କୁ. ପୁଣି ମଧ୍ୟାନ୍ନ ଭୋଜନ ବେଳେ ସୁସ୍ଥ ରହିବାର ସାର ଗର୍ଭକ ଭାଷଣ ଦେଉଥିଲେ ବିଚିତ୍ର କହିକି ଯେ ଆମିଷ ଅପେକ୍ଷା ସବୁଜ ପନିପରିବା ଖାଇବା ଉଚିତ. ପାଣି ପିଇବା ଦରକାର ପୁଣି କହୁଥିଲେ ସଜନା ପତ୍ର ରସ ଓ ଲାଜକୁଳି ଲତା ପତ୍ରର ରସ ପିଇବାର ଉପକାରିତା ତ କେହି କେହି ବିଚିତ୍ରଙ୍କର କଣ ହୋଇଛି ଆଜି ଭାବି ତାଙ୍କ ମନସ୍ତତ୍ଵ ପଢିବାକୁ ଚେଷ୍ଟା କରି ମଧ୍ୟ ପାରୁନଥିଲେ. ସେଦିନ ମଧ୍ୟ ବିଚିତ୍ର ଡରି ଡରି ଘରକୁ ଫେରିଥିଲେ ଯେ ରାଜୁ ପୁଣି ସେହି ଘରଛାଡ଼ି ଚାଲିଯିବାର ପ୍ରସ୍ତାବ ଉପସ୍ଥାପନ କରିବ ଯଦି କଣ କହିବେ ସେ ଭାବି ଭାବି ସନ୍ତୁଳିତ ହେଉଥିଲେ କିନ୍ତୁ ସେମିତି କିଛି ଘରେ ହୋଇନଥିଲା. ଅଳକା ଶାନ୍ତ ଥିଲେ ଓ ରୁପା ସହ ମିଶି ରାତି ଖାଇବା ପ୍ରସ୍ତୁତ କରୁଥିଲେ. ରାଜୁ ମଧ୍ୟ ସବୁଦିନ ଭଳି ବାବାକୁ ପାଠ ପଢ଼ାଉଥିଲେ. ବିଚିତ୍ର ଆଶ୍ୱସ୍ତ ଥିବା ଭିତରେ ଫୋନ ଆସିଥିଲା ତାଙ୍କ ସହକର୍ମୀ ମନୋଜଙ୍କ ବଦଳି ହୋଇଯାଇଛି. ମନୋଜ ତାଙ୍କର ଖୁବ ଘନିଷ୍ଠ ବନ୍ଧୁ. ତାର ବଦଳି ଖବରରେ ବିଚିତ୍ର କିନ୍ତୁ ଦୁଃଖ ନକରି ରିଷ୍ଟ କଟିଗଲା କହୁଥିବାର ଶୁଣି ଅଳକା ଚମକି ପଡ଼ିଥିଲେ. ରାତିରେ ଯେବେ କହିଥିଲେ ନାରୀର ଲୁହ କଣ ନକରିପାରେ କହିଲ? ବିଚିତ୍ର କହିଲେ କଣ କଲା ତୁମ ଲୁହ?ମୋ ଲୁହ ପାଇଁ ରାଜୁ ଏ ଘର ଛାଡ଼ି ରୁପାକୁ ନେଇ କୁଆଡେ ବି ଯିବେ ନାହିଁ ବୋଲି ଶପଥ କରିଛନ୍ତି. ଶାନ୍ତିରେ ଶୋଇ ବିଚିତ୍ର ଘୁଙ୍ଗୁଡ଼ି ମାରୁଥିଲେ. ସକାଳେ ବାମ୍ଫ ବାହାରୁଥିବା ଚା କପରେ ଓଠ ବୁଡ଼ାଇବା ବେଳେ ଅଳକା ପେପର ବଢେଇ ଦେଉଥିଲେ ତ ବିଚିତ୍ର ଘୁଞ୍ଚିଗଲେ କହୁଥିଲେ ପେପର ପଢିଲେ ଚା ପିଇବାର ମଜ୍ଜା ଆସିବନି.ଅଳକାଙ୍କ ଠାରୁ ରୁପା ମାଆ ହେବାକୁ ଯାଉଛି ଖବରରେ ଆତ୍ମବିଭୋର ବିଚିତ୍ର ଆଉ କପେ ଚା ପାଇଁ ବରାଦୀ ହେଉଥିଲେ ।



Rate this content
Log in

Similar oriya story from Drama