କର୍ତ୍ତବ୍ୟ ପଥେ
କର୍ତ୍ତବ୍ୟ ପଥେ
ମାନବ ଜାତି ପ୍ରତି ଯେଉଁ ଘୋର ବିପତ୍ତି ମାଡି ଆସିଛି ସେଥିରେ ସାରା ବିଶ୍ୱ କ୍ଷତି ଗ୍ରସ୍ତ l ଘନ ଅନ୍ଧକାର ସମୟରେ ଆଶାର କିରଣ ଧରି ଆଗ ଧାଡିରେ ସଂଗ୍ରାମ ରତ ଆମର ୱାର୍ଡ ବୟ ଠୁଁ ଆରମ୍ଭ କରି ଡାକ୍ତର ପଯ୍ୟନ୍ତ ସମସ୍ତ କୋଭିଡ ଯୋଦ୍ଧା ବୃନ୍ଦ l ସ୍ୱାଧୀନତା ନିମନ୍ତେ କେତେଯେ ବୀର ସୈନିକ ନିଜର ଜୀବନକୁ ଜଳାଞ୍ଜଳି ଦେଇ ଆମକୁ ଦେଇଥିଲେ ସ୍ୱାଧୀନତା l ସେତେବେଳେ ଶତ୍ରୁ ଆମ ସାମ୍ନାରେ ଥିଲା l ଏବେ ଏକ ଅଦୃଶ୍ୟ ଶତ୍ରୁ ସହ ଆମ ଲଢେଇ l
ଯିଏକି ଅକ୍ଳେଶରେ ଟାଣି ନେଉଛି କାଳ ଗର୍ଭକୁ l
ସ୍ଥାନେ ସ୍ଥାନେ ଅସ୍ଥାୟୀ ହସ୍ପିଟାଲ ମାନ ନିର୍ମାଣ ହେଲା ଯୁଦ୍ଧ କାଳୀନ ଭିତ୍ତିରେ l ସେମିତି ଏକ ହସ୍ପିଟାଲରେ କାର୍ଯ୍ୟ ରତ ସେବତୀ l ରୋଗୀ ମାନଙ୍କ ସେବାରେ ସେ ଏତେ ଉତ୍ସର୍ଗୀକୃତ ହୋଇଥିଲା ଯେ ଭୁଲି ଯାଏ ଘର ସଂସାର l ସେମାନଙ୍କ ଭଲ ମନ୍ଦ ବୁଝିବା ତାଙ୍କୁ ଔଷଧ, ଇଞ୍ଜେକ୍ସନ ଦେବା ଭଳି ବିଭିନ୍ନ କାମରେ l ଯେତେବେଳେ ମାନବ ସମାଜ ଗୋଟିଏ ରୋଗୀକୁ ନିଜର ସାହି ପଡିଶାରେ ଦେଖି ଆଶ୍ଚର୍ଯ୍ୟ ହୋଉଥିଲା ତା ପାଖକୁ ଯିବାକୁ ଡରୁଥିଲା ସେତେବେଳେ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ସେମାନଙ୍କ ସହ ବିତାଉ ଥିଲେ ଦିନରାତି l ତାଙ୍କୁ ଆରୋଗ୍ୟ କରିବା ନିମନ୍ତେ l
ମନରେ କଣ ପ୍ରଶ୍ନ ଉଠେନି, ସେମାନେ କଣ ମଣିଷ ନୁହନ୍ତି!
ମାନବ ସେବାକୁ ଯିଏ ପରମ ଧର୍ମ ରୂପେ ବାଛି ନେଇଛି ତା ପାଇଁ ଏ କିଛି ନୁହେଁ l ସତରେ ସମସ୍ତ ଚିକିତ୍ସକ ଗୋଷ୍ଠୀ ଆମ ପାଇଁ ଜୀବନ୍ତ ଠାକୁର ସଦୃଶ l ଏଥିପାଇଁ ବହୁ ବଳିଦାନ ଦେବାକୁ ପଡିଥାଏ ସେମାନଙ୍କୁ l ଯେମିତି ସେବତୀ......
ସେବତୀର ସ୍ୱାମୀ ଜଣେ ଡାକ୍ତର ଓ ଘରେ ଶାଶୁ ଦିଅର ଜା ' ଆଉ ତିନି ବରଷର ପୁଅକୁ ନେଇ ତାର ସଂସାର l ଏହି କୋଭିଡ ସମୟରେ ସେ ଯେବେ ନିଜ କର୍ମ ସାରି ଘରକୁ ଫେରେ ବଦଳି ଯାଇଥିଲା ସଭିଙ୍କ ବ୍ୟବହାର, ଅଜଣା ଅତିଥି ପରି l ପୁଅ ରୋହନ ମଧ୍ୟ ଛାଡ଼ନ୍ତି ନାହିଁ ତା କୋଳକୁ l କାହାକୁ ବା ସେ କହିବ ସ୍ୱାମୀ ମଧ୍ୟ ବ୍ୟସ୍ତ l ଘରକୁ ବି ଠିକରେ ଆସନ୍ତି ନାହିଁ l
ମାତୃ ହୃଦୟ ତାଙ୍କ ଗୁମୁରି ଗୁମୁରି କାନ୍ଦୁଥିଲା ପୁଅ ଟିକେ ଦେଖିବାପାଇଁ l ଏ ସମସ୍ତ ଭାବନା ବାଧକ ସାଜିନି ତାଙ୍କ କର୍ତ୍ତବ୍ୟ ପଥରେ l
ଶହ ଶହ ରୋଗୀ ପ୍ରତିଦିନ ଦାଖଲ ହୁଅନ୍ତି ହସ୍ପିଟାଲରେ l କର୍ମ ରତ ସେବତୀ ଲାଗିପଡ଼ନ୍ତି ସେମାନଙ୍କ ସେବାରେ l ସେ ନିଜର କାମରେ ଏତେ ବ୍ୟସ୍ତ ଥିଲେ ଯେ କେତେବେଳେ ସେ ମଧ୍ୟ ମହାମାରୀ କବଳକୁ ଚାଲିଗଲେଣି ଜାଣିପାରିଲେନି l ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରି ହେଲେ ଶଯ୍ୟାଶାୟୀ l ବୋଝ ଉପରେ ଲଳିତା ବିଡା ପରି ଘରୁ ଖବର ଆସେ ପୁଅ ଦେହ ଭୀଷଣ ଖରାପ ଘରକୁ ଆଶେ l କାହାକୁ କିଛି ନ କହି ହଁ ଭରେ l ଶତ ଶତ ମଣିଷକୁ ସେବାର ହାତ ବଢ଼ାଉଥିବା ହାତଟି ପହଂଚି ପାରିଲାନି ତାଙ୍କ ପୁଅ ନିକଟରେ l ସେ ହସ୍ପିଟାଲର ଏକ ବେଡ଼ରେ ଜୀବନ ଦୀପ ଲିଭିଗଲା ସେବତୀର l
ତାର ସତ କର୍ମର ଫଳ ଅବା ଠାକୁରଙ୍କ ଆଶୀର୍ବାଦ ଆରୋଗ୍ୟ ଲାଭ କରିଥିଲା ରୋହନ କିନ୍ତୁ ତିନି ବର୍ଷରୁ ହେଲା ମାତୃହରା l