Papu parida

Drama Horror Others

4  

Papu parida

Drama Horror Others

ମେଣ୍ଢା ଚାଲି

ମେଣ୍ଢା ଚାଲି

3 mins
390



    ଘଟଣା ଆଜିର ନୁହଁ। ଠିକ ତିନି ବର୍ଷ ତଳର କଥା। ଯେହେତୁ ଶିକ୍ଷାଦାନ ସଦାସର୍ବଦା ମୋର ମନର ଆବେଗ ସହ ଜଡିତ ଏକ ବିଷୟ। ତେଣୁ ଯେଉଁଠି ଯେପରି ସୁଯୋଗ ମିଳେ ମୁଁ ଚାଲିଯାଏ। ମୋ ଘରଠୁ ବ୍ରହ୍ମପୁର ପ୍ରାୟ ୨୫ କିଲୋମିଟରର ରାସ୍ତା। ସେଦିନ ଥିଲା ସେପ୍ଟେମ୍ବର ୫ ଅର୍ଥାତ ଗୁରୁଦିବସ।ମୋର ଦୁଇ ଜଣ ଛାତ୍ର ଯେଉଁମାନେ ନିଜ ପରିବାର ସହ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଯାଇଥିଲେ, ସେମାନଙ୍କ ଆଗ୍ରହ କ୍ରମେ ମୁଁ ଯାଇଥିଲି ଗୁରୁ ଦିବସ ପାଳନ ଲାଗି। ଏପଟେ ପ୍ରକୃତି ମଧ୍ୟ ନିଜ ତାଣ୍ଡବ ଲୀଳା ରଚନା କରୁଥାନ୍ତି। ଦିନସାରା ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଇନ୍ଦ୍ରଦେବ ନିଜ ପ୍ରଭାବକୁ କମାଉ ନ ଥାନ୍ତି। ଅତି କଷ୍ଟରେ ମୁଁ ସେମାନଙ୍କ ପାଖରେ ପହଞ୍ଚିଲି। ସେମାନଙ୍କ ଠାରୁ ଯଥେଷ୍ଟ ଶ୍ରଦ୍ଧା ସାଉଁଟିବା ପରେ ମୁଁ ଭାବିଲି ମୋତେ ଏଥର ଫେରିବାକୁ ହେବ। କାରଣ ସେପଟେ ଗାଆଁରେ ମଧ୍ୟ ଛାତ୍ରଛାତ୍ରୀ ମାନେ ଅପେକ୍ଷା କରିଥିବେ। ବର୍ଷାର ପ୍ରକୋପ ଦେଖି ସମସ୍ତେ ମନା କରୁଥିଲେ ଫେରିବା ପାଇଁ କାରଣ ପ୍ରବଳ ବର୍ଷା, ଚାରିଆଡେ ଜଳମଗ୍ନ ପରିସ୍ଥିତି, କେଉଁଠି ପାଦେ ତୋ କେଉଁଠି ଆଣ୍ଠୁଏ। ତଥାପି ପିଲାମାନଙ୍କ ଆଗ୍ରହକୁ ସମ୍ମାନ ଦେବା ପାଇଁ ମୁଁ ବାହାରି ପଡ଼ିଲି।


      ଅତି କଷ୍ଟରେ ଯାତ୍ରା ଚାଲିଥାଏ । ଗ୍ରାମଠୁ ଦଶ କିଲୋମିଟର ଦୂରରେ ପୋଚିଲିମା ଛକ ବୋଲି ଗୋଟିଏ ଜାଗା ଅଛି,ଅପେକ୍ଷାକୃତ ଖାଲୁଆ ଅଞ୍ଚଳ। ରୋଡ଼ ର ଗୋଟିଏ ପାର୍ଶ୍ଵରେ ଥିଲା ଅମାପ ଅମାପ ବର୍ଷା ଜଳ ,ମଝିରେ ରୋଡ଼ ଡିଭାଇଡର ଏବଂ ଅନ୍ୟ ପାର୍ଶ୍ବରେ ଥିଲା ଏକ ନାଳ। ଏହି ଅବସ୍ଥା ପ୍ରାୟ ୧୦୦ ମିଟର ରାସ୍ତା ପର୍ଯ୍ୟନ୍ତ ଥିଲା।ସେ ପାଖରୁ ଏ ପାଖକୁ ଡିଭାଇଡର ଉପର ଦେଇ ଜଳ କ୍ଷିପ୍ର ବେଗରେ ନିଷ୍କାସିତ ହେଉଥାଏ।ମୁଁ ଅଟକି ଗଲିମ ସେ ପାଣି ଭିତରକୁ ଯିବା ପାଇଁ ମୋର ସାହସ ହେଉନଥାଏ, କିନ୍ତୁ ଘରେ ତ ପହଞ୍ଚିବାର ହିଁ ଥିଲା। କିଛି ସମୟ ଦ୍ଵନ୍ଦରେ ରହିବା ପରେ ଯେତେବେଳେ ମୋ ଆଗ ଦେଇ କିଛି ଗାଡି ସେଇ କମ ପାଣି ଥିବା ପାର୍ଶ୍ଵରେ ଚାଲିଗଲେ । ମୁଁ ମଧ୍ୟ ସାହସ ଜୁଟାଇ ମେଣ୍ଢା ପଲ ପରି କିଛି ନବୁଝି ନଶୁଝି ସେ ପାଣି ଭିତରକୁ ବାଇକ ଯୋଗେ ପ୍ରବେଶ କଲି।

     

      ପ୍ରଥମେ ପ୍ରଥମେ ପାଦେ ପାଦେ ପାଣି ଥିଲା କିନ୍ତୁ ଯେପରି ମୁଁ ଆଗକୁ ଆଗକୁ ବଢିଲି ଧୀରେ ଧୀରେ ପାଣିର ଗଭୀରତା ବଢି ଚାଲୁଥିଲା। ମୋ ମନରେ ଭୟର ବାତାବରଣ ସୃଷ୍ଟି ହେଲା। ତା ସାଙ୍ଗକୁ ମୋତେ ପହଁରା ପହଁରି ବି କିଛି ଆସୁନଥିଲା। ଇଚ୍ଛା ହେଲା ପଛକୁ ଫେରିଯିବା ପାଇଁ, କିନ୍ତୁ ସେତେବେଳେ କୁ ମୁଁ ପ୍ରାୟ ମଧ୍ୟକୁ ଚାଲିଆସିଥାଏ। ଆଗକୁ ଯେତିକି ପଛକୁ ସେତିକି। ଫେରିବାର ପ୍ରୟାସ ଧୃଷ୍ଟତା ମାତ୍ର। ତେଣୁ ଜଗନ୍ନାଥଙ୍କୁ ସ୍ମରଣ କରି ଧୀରେ ଧୀରେ ଡରି ଡରି ଆଗକୁ ବଢୁଥାଏ। କିଛି ସମୟ ମଧ୍ୟରେ ମୁଁ ସେହି ନାଳର ମୁହଁରେ ପହଞ୍ଚି ଯାଇଥିଲି ଯେଉଁ ପଟେ ଜଳ ନିଷ୍କାସନ ହୋଉଥିଲା। ଜଳର ଗର୍ଜନ ମୋ ମନ ପ୍ରାଣ ସବୁକୁ ଥରେଇଦେଉଥିଲା। ଏହି ସମୟରେ ଡିଭାଇଡର ସେପଟେ ଏକ ବିରାଟ ବସ ପୂର୍ଣ୍ଣ ବେଗରେ ଚାଲିଗଲା। ଯାହାର ପ୍ରଭାବରେ ସେପଟର ସବୁ ପାଣି ଏପଟେ ପୂର୍ଣ୍ଣମୀ ସମୁଦ୍ରର ଜୁଆର ଭଳି ମାଡି ଆସିଲା ଏବଂ ମୋତେ ମୋ ଗାଡି ସହ ଓଲଟାଇ ଦେଲା।ମୁଁ ଧୀରେ ଧୀରେ ସେଇ ନାଳ ଆଡକୁ ଭାସି ଯାଉଥାଏ। ଚାରିଆଡେ ଅନ୍ଧକାର ମୟ ହେଇଯାଉଥାଏ। ଆଖି ବୁଜି ହୋଇଯାଉଥାଏ। ତାପରେ ଭଗବାନଙ୍କୁ ସ୍ମରଣ କରି ହାତ ଟାକୁ ଉପର ଆଡକୁ ବଢ଼େଇ ଦେଲି......। ବାସ, ତା ପରେ ଆଉ କିଛି ଜାଣି ପାରିଲି ନାହିଁ। କିଛି ସମୟ ପରେ ଯେତେବେଳେ ମୁଁ ସେ ବିପତ୍ତିରୁ ବାହାରି ଆସିଥିବା ଅନୁଭବ କଲି ଭୟରେ ବନ୍ଦ ହୋଇଯାଇଥିବା ମୋ ଆଖି ଧୀରେ ଧୀରେ ଖୋଲିଲି। ମୁଁ ପାଣି ବାହାରେ ଥିଲି ଏବଂ ମୋ ଚାରି ପାଖରେ ଲୋକ ରୁଣ୍ଡ ହୋଇଥିଲେ। ସମସ୍ତଙ୍କ ଅନୁସାରେ ସେଠାରେ ନିୟୋଜିତ ଏକ ସ୍ବେଚ୍ଛାସେବୀ ଦଳରୁ ଦୁଇ ଜଣ ମୋତେ ଆଉ ମୋ ବାଇକ କୁ ରକ୍ଷା କରିଥିଲେ। ନହେଲେ ନା ମୁଁ ଥାଆନ୍ତି ନା ମୋ ଲେଖା।

 

    ଭୟଭୀତ ରୂପକ ମୋର ପ୍ରଥମ ଇଚ୍ଛା ହେଲା ମୋ ପରିବାରକୁ ଦେଖା କରିବି। ଏଥି ମଧ୍ୟରେ ସେ ଦି ଜଣ ଦେବଦୂତ ପୁନଃ ପାଣିରେ ନିୟୋଜିତ ହୋଇ ସାରିଥାନ୍ତି। ତେଣୁ ସେମାନଙ୍କ ସହ ସାକ୍ଷାତ ମଧ୍ୟ ହୋଇ ପାରିନଥିଲା।


     ସେ ଘଟଣାର ଭୟାନକ ଅନୁଭୂତିରୁ ନିଜକୁ ବାହାର କରିବା ପାଇଁ ମୋତେ ବହୁତ ସମୟ ଲାଗି ଯାଇଥିଲା। କିନ୍ତୁ ଉକ୍ତ ଅନୁଭୂତି ମୋ ଜୀବନରେ ଦୁଇଟି ପରିବର୍ତ୍ତନ ଆଣି ପାରିଥିଲା। ପ୍ରଥମରେ ମୁଁ ସେ ଦିନ ଜୀବନର ଏକ ମହାଶିକ୍ଷା ପାଇଥିଲି ଯେ ଗଭୀରତା ନ ଜାଣି, ପହଁରା ନ ଜାଣି , ମେଣ୍ଡା ପଲ ପରି ଅନ୍ୟକୁ ଆନୁକରଣ କରି ନଈକୁ ଡେଇଁ ଯିବା ମୋ ମୂର୍ଖାମୀର ସର୍ବୋଚ୍ଚ ନିଦର୍ଶନ ଥିଲା। ଯଦିଓ ମୋର ଏପରି କରିବା ପଛରେ କାହାର ଶ୍ରଦ୍ଧା ଓ ପ୍ରେମ ରହିଥିଲା। ତଥାପି ମୋତେ ସେପରି କରିବାର ନଥିଲା। ସେଇ ଦିନ ଠାରୁ ମୁଁ ସବୁକ୍ଷେତ୍ରରେ ମେଣ୍ଢା ଭଳି ଅନ୍ୟକୁ ଅନୁକରଣ ନକରି ଆସନ୍ନ ବିପତ୍ତି ମାପିଲା ପରେ ହିଁ କୌଣସି ଘଟଣା ମଧ୍ୟରେ ନିଜର ପ୍ରତିପତ୍ତି ସ୍ଥାପନ କରେ। ଦ୍ଵିତୀୟ ରେ ସେ ଦୁଇଜଣ ଦେବଦୂତରୂପୀ ସ୍ବେଚ୍ଛାସେବୀଙ୍କ ନିଷ୍କାମ୍ୟ ସେବା ମୋ ଭଳି ଏକ ସ୍ବେଚ୍ଛାଚାରି ଯୁବକକୁ ସ୍ବେଛାସେବୀରୂପେ ଗଢି ପାରିଥିଲା। ଯଦ୍ୱାରା ଆଜିକା ସମୟରେ ମୋ ମଧ୍ୟରେ ସୃଷ୍ଟି ହୋଇଛି ଏତେ ପରିବର୍ତ୍ତନ...........।



Rate this content
Log in

Similar oriya story from Drama