Prasanta kumar Hota

Others

3  

Prasanta kumar Hota

Others

ମନେପଡେ ସେହି ପିଲାଦିନ

ମନେପଡେ ସେହି ପିଲାଦିନ

7 mins
8.3K


ମନେପଡେ ସେହି ପିଲାଦିନ

😂

ମନେପଡେ ସେହି ପିଲାଦିନ। ଆରାମ ଚେୟାର ଉପରେ ନିଜକୁ ଆଉଜାଇ ଭାବୁଥିଲା ରବି। କିଛି କ୍ଷଣ ଆଗରୁ ପୁଅ ରାଜୁ ଏମିତି ଭାବରେ ବାହାରିଗଲା ଯେ ରବି ଡାକୁ ଡାକୁ ରହିଗଲା। ଭିତରୁ ତାଗିଦା ମିଳିଲା ପୁଅଟାକୁ ପଛରୁ କାହିଁକି ଡାକୁଛି। ରବି ମନେ ମନେ ଚିନ୍ତା କରିବାକୁ ଲାଗିଲା ସେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯାଉନାହିଁ ତ! କିନ୍ତୁ ଗଲେ ବି ତାକୁ କହି ଯିବାରେ ଅସୁବିଧା କଣ? ରବି ପ୍ରଶ୍ନ କୁ ଆଗକୁ ନ ବଢାଇ ନିଜ ଭିତରେ ସମାହିତ କରିଦେଲା। ପରିବର୍ତ୍ତିତ ପରିସ୍ଥିତିରେ ଜୀବନଶୈଳୀ ନୂତନ ଦିଶାରେ ଅଗ୍ରସର ହେଉଛି। ଶୃଙ୍ଖଳା ର ନୂତନ ସଂସ୍କରଣ ଯେମିତି ପିଲାମାନେ କରି ସାରିଲେଣି। ରବିର କୌଣସି ପ୍ରଭାବ ପିଲାମାନଙ୍କ ଉପରେ ପଡି ପାରୁ ନ ଥାଏ । ପିଲାମାନଙ୍କ ଜୀବନଶୈଳୀ ଦେଖି ମନେ ମନେ ରବିର ବିରକ୍ତି ଭାବ ଆସି ଯାଉଥାଏ। ସମୟ ମଣିଷକୁ ଏମିତି ଏକ ଅଧ୍ୟାୟରେ ଆଣି ପହଞ୍ଚାଇ ଦେଇଛି ଯେ କାହାର ଭୁଲ କାହାକୁ କହିଦେଲେ ତାକୁ ପ୍ରଚଣ୍ଡ ଦୁଃଖବୋଧ ହେଉଛି। କେହି ସହଜରେ ନିଜର ଭୁଲ ସ୍ଵୀକାର କରିବାକୁ ନାରାଜ । କାହାର ସୁଚିନ୍ତିତ ଉପଦେଶ ଗ୍ରହଣ କରିବାରେ କେହି ଯେମିତି ଆଗ୍ରହାନ୍ୟୁତ ନୁହନ୍ତି। ନିଜର ପରିବାର ମଧ୍ୟ ଗୁରୁଜନଙ୍କ ଠାରୁ କିଛି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଯେମିତି ସବୁ ସେମାନେ ଜାଣିଛନ୍ତି। ଭଲ ଶ୍ରୋତା ହେବାର ଆଗ୍ରହ କାହା ପାଖରେ ନାହିଁ। ରବିର ମନଦୁଃଖ ସେ ବହୁତ ଚେଷ୍ଟା କରିବା ପରେ ବି ଘରେ କାହାର ଜୀବନରେ ଶୃଙ୍ଖଳା ଆଣି ପାରିଲା ନାହିଁ। ନିଜକୁ ଅସମର୍ଥ ଅପାରଙ୍ଗମ ଭାବି ଧିକ୍କାରୁଥାଏ। ଏସବୁ ଭାବିଲା ବେଳେ ତାର ମନେ ପଡିଯାଉଥାଏ ନିଜ ପିଲାଦିନ କଥା। ଜଳଜଳ ହେଇ ଆଖି ଆଗରେ ଦୃଶ୍ୟ ପରେ ଦୃଶ୍ୟ ସ୍ଵତଃ ଆସି ଯାଉଥାଏ।

ସେଦିନର କଥା, ସ୍କୁଲ ରେ ବକ୍ତୃତା ପିରିୟଡ ଥାଏ। ଶେଷ ପିରିୟଡ ବୋଲି ଭିନ୍ନ ଥିଲା ପରିବେଶ। ସମସ୍ତେ ଉତ୍ସୁକତାର ସହ ବସିଥାନ୍ତି। ଜଣେ ବିଖ୍ୟାତ ଗାଳ୍ପିକ ଓ ବକ୍ତା ଆସି ଶୃଙ୍ଖଳା ବିଷୟରେ କିଛି କହିବାର ଥାଏ । ଆଲୋଚ୍ୟ ବିଷୟ ଉପରେ କଥା କେମିତି ଉତ୍ଥାପନ କରାଯାଏ ସେ ମଧ୍ଯ ସମସ୍ତଙ୍କୁ କହିବେ । କୁହାଯାଇଥିବା ସମୟ ଅନୁସାରେ ସେ ଆସି ପହଞ୍ଚି ଗଲେ। ସାମାନ୍ୟ ପରିଚୟର ଆଦାନ ପ୍ରଦାନ ପରେ ସେ କହିବା ଆରମ୍ଭ କଲେ। ବତ୍କୃତା ଦେବାର ବିଷୟ ଥିଲା ଜୀବନରେ ଶୃଙ୍ଖଳାର ଉପାଦେୟତା । କିଛି ସମୟ କହିବାର ଶୈଳୀ ଉପରେ ଆଲୋକପାତ କରି ସେ ମୂଳ ବିଷୟବସ୍ତୁକୁ ଫେରି ଆସିଲେ।

ଯାହା ସେଦିନ ସେ ଆରମ୍ଭ କଲେ ତାହା ଆଜି ପର୍ଯ୍ୟନ୍ତ ରବିର ମଥାରେ ଅଲିଭାଗାର ହେଇ ରହି ଯାଇଛି। ଭାଷାର ଶବ୍ଦ ଗୁଡ଼ିକ ଏବେବି ସ୍ପଷ୍ଟ ମନେ ପଡୁଛି - ସଜୀବ ହେଉ କି ନିର୍ଜୀବ ହେଉ ବିଶ୍ୱ ର ପ୍ରତ୍ୟେକ ବସ୍ତୁ ଶୃଙ୍ଖଳା ରେ ବନ୍ଧା। କହିବା ବାହୁଲ୍ୟ ସମସ୍ତେ ଅନୁଶାସନ ର ଅନୁବର୍ତ୍ତୀ। ଏକମାତ୍ର ମନୁଷ୍ୟ ଏହାର ବ୍ୟତିକ୍ରମ। ନଚେତ୍ ଜୀବ ଜଗତ ଠାରୁ ଆରମ୍ଭ କରି ପ୍ରାଣୀ ଜଗତ ପର୍ଯ୍ୟନ୍ତ ସମସ୍ତେ ନିୟମ ମାନି ଚଳନ୍ତି। ଯଦି ନିୟମକୁ କିଏ ଲଂଘନ କରେ ସେ ହେଉଛି ଏହି ମଣିଷ। ଅର୍ଥାତ୍ ମନୁଷ୍ୟ ସବୁଠାରୁ ଅଧିକ ବିଶୃଙ୍ଖଳାକାରି।

ସମସ୍ତେ ଅତ୍ୟନ୍ତ ଆଗ୍ରହରେ ଶୁଣୁଥାନ୍ତି। କଥାଟା କିଞ୍ଚିତ ପରିମାଣରେ ନୂଆ ନୂଆ ଲାଗୁଥାଏ। ବକଧ୍ୟାନରେ ସମସ୍ତଙ୍କ ଲୟ ବକ୍ତାଙ୍କ ଉପରେ ଥାଏ। ଯାହାର ଶୁଣିବାକୁ ଆଗ୍ରହ ନଥାଏ ସାର୍ ଙ୍କୁ ଡରି କେହି ଉଁ ଚୁଁ ବି କରୁ ନଥାନ୍ତି।

ସେ ଅନର୍ଗଳ କହି ଚାଲିଥାନ୍ତି - ତୁମେ ଶୁଣି ଆଶ୍ଚର୍ଯ୍ୟ ହେବ ଏ ମଣିଷ ମାନେ ନିଜ ଇଛା ଅନୁସାରେ ଜୀବନ ଯାପନ କରି ସ୍ଵାସ୍ଥ୍ୟର ନିୟମ ଭାଙ୍ଗନ୍ତି ଓ ନିରୋଗ ଶରୀରକୁ ରୋଗଯୁକ୍ତ କରନ୍ତି। ଖାଲି ସେତିକି ନୁହେଁ ସେ କିଛି ନଜାଣିଲା ପରି ବିସ୍ମୟ ପ୍ରକାଶ କରି କହେ ତାର କାହିଁକି ଏମିତି ରୋଗ ହେଉଛି। ଉପଚାର ପାଇଁ ଡାକ୍ତର ପାଖକୁ ଯାଏ। ପ୍ରଭୁଙ୍କୁ ମିନତୀ କରେ। ପୁଣି ଭଲ ହୋଇଗଲା ପରେ ସେ ପୂର୍ବ ଅଭ୍ୟାସକୁ ଫେରି ଆସେ।

ଆହୁରି ଶୁଣିଲେ ଆଶ୍ଚର୍ଯ୍ୟ ହେବ ଏହି ମଣିଷ ଯେଉଁ ପଶୁ ମାନଙ୍କୁ ନିଜ ଘରେ ଗୃହପାଳିତ କରି ରଖେ ସେମାନେ ମଧ୍ୟ ମଣିଷ ସହ ସଂସ୍ପର୍ଶରେ ଆସି ବିଶୃଙ୍ଖଳିତ ହୋଇ ଯାଆନ୍ତି। ଆମେମାନେ ଜାଣି ରଖିବା ଉଚିତ ଯେ ଶୃଙ୍ଖଳା ଆମ ଜୀବନର ବହୁତ ବଡ ଆବଶ୍ୟକତା। ଶୃଙ୍ଖଳିତ ବ୍ୟକ୍ତିର ସଙ୍ଗ ଯେମିତି ଅନ୍ୟଜଣକୁ ଶୃଙ୍ଖଳାରେ ବାନ୍ଧି ପାରିଥାଏ ବିଶୃଙ୍ଖଳିତ ବ୍ୟକ୍ତିର ସଙ୍ଗ ଠିକ୍ ସେହିପରି ବିଶୃଙ୍ଖଳା ଆଚରଣରେ ଭରି ଦେଇଥାଏ। ଖାଲି ସେତିକି ନୁହେଁ କ୍ରିୟାଶୀଳ ବ୍ୟକ୍ତି ପାଖରେ ରହିଲେ ଯେମିତି କ୍ରିୟାଶୀଳ ହେବାରେ ସାହାଯ୍ୟ କରେ ନିଷ୍କ୍ରିୟ ବ୍ୟକ୍ତିର ସଙ୍ଗ ଲାଭ କଲେ ସିଏ ସେହି ପରି ଅଳସୁଆ ପାଲଟି ଯାଇପାରେ।

ଆଜି କାଲି ଚାରିଆଡ଼େ ଯଦି ଲକ୍ଷ କରି ଦେଖିବ ସମସ୍ତେ ଆଳସ୍ୟ ନିଦ୍ରା ଓ ଜଡତା ଭିତରେ ଖୁନ୍ଦି ହୋଇ ରହିବା ପାଇଁ ଭଲ ପାଉଛନ୍ତି। ଏହା ଫଳରେ ଆମ ମାନଙ୍କ ଆହାର ବିହାର ଆଚାର ବିଚାର ଆଦି ସବୁଥିରେ ବିପର୍ଯ୍ୟସ୍ତ ହେବାର ପ୍ରଭାବ ପଡୁଛି।

ଆମର ଜୀବନଶୈଳୀ ଆମ ପ୍ରଗତି ପଥରେ ବାଧକ ସୃଷ୍ଟି କରୁଛି। ନିଜେ ନିଜକୁ ତର୍ଜମା କଲେ ସମସ୍ତେ ବୁଝି ପାରିବେ। ସାମାନ୍ୟ କ୍ଷଣ ଭର ଖୁସି ପାଇଁ ଆମେ ଆମ ଜୀବନର କେତେ ଅନର୍ଥ ସୃଷ୍ଟି କରୁଛୁ। ଯାହା ଆମ ଜୀବନରେ ଅନେକ ପ୍ରକାରର ଦୁଃଖ ଆଣି ଦେଉଛି। ତମେମାନେ ଯଦି ମହାଭାରତ ବିଷୟରେ କିଛି ଜାଣିଥିବ ମୁଁ ତୁମକୁ ଗୋଟିଏ ବଢିଆ କଥା କହିବି -।

ପିଲାମାନେ ସମସ୍ତେ ମନଧ୍ୟାନ ଦେଇ ଶୁଣୁଥିଲେ। କଥା ଆରମ୍ଭ କରିବାର ଶୈଳୀ ଓ ମଝିରେ ମଝିରେ ସମସ୍ତଙ୍କ ଆଡକୁ ଦେଖି ଯେପରି ନିଖୁଣ ଭାବରେ କହୁଥାନ୍ତି ତାହା ଅତି ଚମତ୍କାର ଲାଗୁଥାଏ। ମନରେ ଆକାଂକ୍ଷା ପୁରି ରହିଥାଏ ଆଗକୁ ଆଗକୁ ଜାଣିବା ପାଇଁ । ପିଲାମାନେ ନିଜ ଭିତରେ କଥା ନହେଲେ ବି ପରସ୍ପରକୁ ଚାହିଁ ମୁଖଭଙ୍ଗୀ ଦ୍ଵାରା ଏହାର ସ୍ବୀକୃତି ଦେଉଥିଲେ।

କଥା ଯେତିକି ଅଗ୍ରସର ହେଉଥିଲା ସେତିକି ଉତ୍ସାହିତ ଲାଗୁଥିଲା। ମହାଭାରତ କଥା ଯେତେବେଳେ ସେ ଆରମ୍ଭ କଲେ ସମସ୍ତଙ୍କ ଉତ୍ସାହ ଶୁଣିବାକୁ ଶତଗୁଣା ହେଇଗଲା।

ବକ୍ତା କହି ଚାଲିଥାନ୍ତି - ଶୃଙ୍ଖଳାର ଆବଶ୍ୟକତା ଆମ ପାଇଁ କେତେ ଅଧିକ। ପବିତ୍ର ଧର୍ମଗ୍ରନ୍ଥ ଗୀତାରେ ଭଗବାନ ଶ୍ରୀକୃଷ୍ଣ ସାଧାରଣ ଜନତାଙ୍କ ସମାଜରେ ଚଳଣିକୁ ଲକ୍ଷ ରଖି କହିଛନ୍ତି -ହେ ଅର୍ଜୁନ ଅଧିକ ଭାବରେ ଭୋଜନ କରୁଥିବା ବ୍ୟକ୍ତି କେବେ ହେଲେ ସିଦ୍ଧି ପ୍ରାପ୍ତ ହୁଏ ନାହିଁ। କାରଣ ବେଶି ଖାଇଲେ ବା ଭୋକ ନଥାଇ ଖାଇଲେ ଅଥବା ଯଦି ଆବଶ୍ୟକତା ଠାରୁ ଅଧିକ ଖାଇଲେ ତାହେଲେ ଶରୀରରେ ତାହାର ବିପରୀତ ପ୍ରକ୍ରିୟା ଆରମ୍ଭ ହୁଏ। ଯେମିତି ପେଟ ଭାରି ଲାଗେ। ଶରୀର ବୋଝ ପରି ଲାଗେ। ଅଳସପଣ ବଢିବା ଆରମ୍ଭ ହୁଏ। ଶୋଇ ରହିବାକୁ ଇଛା ହୁଏ। ପରିଶ୍ରମ ପାଇଁ ମନ ଡାକେ ନାହିଁ। ବଦହଜମି ଚର୍ବି ବୃଦ୍ଧି ଇତ୍ଯାଦି ଇତ୍ୟାଦି। ତାପରେ ଭୋଜନ ନକଲେ ମଧ୍ୟ ଯେ ଭଲ ତା ନୁହେଁ। କାରଣ ଭୋଜନ ନକରିବା ଦ୍ଵାରା ମନରେ ବାରମ୍ବାର ଭୋଜନର ଚିନ୍ତା ଚାଲି ଆସେ। ଆଦୌ ନଖାଇଲେବି ଦୁର୍ବଳତା ରୋଗ ଆଦି ବ୍ୟତିବ୍ୟସ୍ତ କରେ। ଏହା ଦ୍ଵାରା ନିଦ ଚାଲି ଆସେ। ଦେହ ଧିରେ ଧିରେ ଅଳସୁଆ ହେଇଯାଏ। ଉପଯୁକ୍ତ ଖାଇବା ଯେପରି ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ମଧ୍ୟ ଆବଶ୍ୟକ। ଠିକ୍ ସେହିପରି ଆବଶ୍ୟକ ପରିମାଣର ବ୍ୟାୟାମ ମଧ୍ୟ ଆବଶ୍ୟକ। ଏସବୁ ହେଉଛି ଦୈନନ୍ଦିନ ଶୃଙ୍ଖଳା।

ଆମର ଭୁଲ ଅଭ୍ୟାସ ପାଇଁ ଆହାର ବିହାର ଆଚାର ବିଚାର ରେ ବିକୃତି ଘଟେ। ପ୍ରକୃତି ଏହି ଚାରିଟି ମାର୍ଗ ଆମକୁ ଦେଇଛି। ଏସବୁ ଠିକ୍ ରେ କାମ ନକଲେ ପ୍ରକୃତି ପଞ୍ଚମ ମାର୍ଗ ସ୍ଥିର କରିଥାଏ। ଯାହା ଅନ୍ୟ ଅର୍ଥରେ ଶରୀର ଶୋଧନ। ଏଥିରେ ବି ଯଦି ବିଶୃଙ୍ଖଳା ହୁଏ ଜୀବନଧରା ନିଷ୍କ୍ରିୟ ହେଇଯାଏ।

ଏକ ସକ୍ରିୟ ଜୀବନ ଧାରା ଗ୍ରହଣ କରିବାକୁ ହେଲେ ଶୃଙ୍ଖଳାର ବହୁତ ଆବଶ୍ୟକ। ଏଇଟା ତ ମାତ୍ର ଜୀବନଧାରା ଉପରେ। ଏମିତି ଅନେକ ଅଛି।

ରବି ଭାବନାରେ ପୂର୍ଣଛେଦ ପକାଇ ବର୍ତ୍ତମାନ କୁ ଦେଖିବାକୁ ଲାଗିଲା। ନିଜ ସ୍ତ୍ରୀ ନିଜ ପିଲା ସମସ୍ତେ ଯେମିତି ଶୃଙ୍ଖଳାର ସୀମା ବାହାରେ। ନିଜ ଇଛା ପୂର୍ତ୍ତି ପାଇଁ ବିଶୃଙ୍ଖଳିତ ହେବା ଯେମିତି ଶୃଙ୍ଖଳାର ଏକ ଲକ୍ଷଣ ବୋଲି ଭାବୁଛନ୍ତି ।

ସ୍କୁଲ ସମୟର ଯେଉଁ କେତେପଦ କଥା ମାତ୍ର ତାର ଏତେବଡ଼ ପରିବର୍ତ୍ତନ ଆଣି ତାକୁ ଆଜି ପର୍ଯ୍ୟନ୍ତ ଶୃଙ୍ଖଳିତ କରି ରଖିଛି। ଅଥଚ ଆଜି ସେ ଅନ୍ୟ ମାନଙ୍କୁ ପ୍ରଭାବିତ କରିବାରେ ସମ୍ପୂର୍ଣ୍ଣ ଅସମର୍ଥ।

ତାମାନେ କଣ ଶୃଙ୍ଖଳିତ ହେବା ପାଇଁ ମଣିଷ କୁ ପ୍ରଭାବିତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।

ପିଲା ଦିନର ସେ କଥା ମନେ ପଡିଗଲେ ଏବେ ବି ସେ ନିଜକୁ ଭାଗ୍ୟବାନ ମନେକରେ। କାରଣ ନିଜକୁ ଶୃଙ୍ଖଳିତ କରି ତୋଳିବା ପାଇଁ ସେ ବହୁବାର ଅନ୍ୟମାନଙ୍କ ଦ୍ଵାରା ହତୋତ୍ସାହିତ ହେଇଛି।

ଶୃଙ୍ଖଳା ଯେତେବେଳେ ଅଭ୍ୟାସ ରେ ପରିଣତ ହେଲା ସେ ଅନ୍ୟ ମାନଙ୍କର ଆଦର୍ଶ ହେଇଗଲା। କେତେ ବିଚିତ୍ର ଲାଗେ ମଣିଷର ବ୍ୟବହାର। ଚେଷ୍ଟିତ ବ୍ୟକ୍ତିର ଆଦର ନାହିଁ। ଆଦର କେବଳ ସଫଳତାର। ସେଥିପାଇଁ ବୋଧହୁଏ କେହି କୌଣସି କାର୍ଯ୍ୟରେ ହାତ ଦେଲା ପୂର୍ବରୁ ପଚାଶ ଥର ଭାବୁଛନ୍ତି ବା ଚେଷ୍ଟା ହିଁ କରୁ ନାହାନ୍ତି । ଯାହା ଚାଲିଛି ଚାଲିଥାଉ ଏହି ନ୍ୟାୟରେ ଆଗକୁ ବଢୁଛନ୍ତି। ଏଥିରେ କେବଳ ଅପରିପକ୍ଵ ମାନସିକତା ଥାଏ। ଅନ୍ୟ କୁ ଦେଖି ଚାଲିବାର ଦୂର୍ବଳ ଇଛା ଥାଏ। ନିଜର ଅଧ୍ୟବସାୟ ରହେ ନାହିଁ। ଏତିକିବେଳେ ପୁଅ ଆସି କହିଲା ବାପା ମୁଁ ମାଂସ ନେଇ ଆସିଛି। ମା ଡାକୁଛି ଆସ ଖାଇବା।

- ଆରେ ରାତିଟାରେ କାହିଁକି ଯାଇଥିଲୁ ଆଣିବା ପାଇଁ । ରବି ପଚାରିଲା ।

- ରାତି କଣ ଦିନ କଣ। ଆମର ଖାଇବାର ଇଛା ଅଛି ଖାଇବା।

- ହେଉ ହେଲା। ତମେମାନେ ଖାଅ। କିନ୍ତୁ ରାତିରେ ଅଳ୍ପ ଖାଇଲେ ଭଲ।

ପୁଅ ରାଜୁ ବାପାଙ୍କ ଆଡକୁ ଅନାଇ କହିଲା -ବାପା ଏମିତି ଯଦି ହେଉଥାନ୍ତା କେହି ଆଉ ରାତିରେ ଭୋଜି କରନ୍ତେ ନାହିଁ। ତମର ସଦାବେଳେ ପୁରୁଣା କାଳିଆ କଥା।

- ଆରେ ବାବା ହେଲା ମୋ କଥା ଯଦି ପସନ୍ଦ ଆସୁନି ତମେମାନେ ପେଟଭରି ଖାଇନିଅ। ମୁଁ କଣ ଖାଇବାକୁ ଅଟକାଉଛି।

- ନାଇ ଯେ ମା ଖାଇବନି କହୁଛି ତ। ତମେ ନଖାଇଲେ ଆଉ କିଏ ଖାଇବ।

- ତୁ ଜାଣିଛୁ କି ମା କଣ ପାଇଁ ଖାଇବନି ?

-ହଁ ସେ କହୁଥିଲା ଡାକ୍ତର ମନା କରିଛି। ଦେହର ଓଜନ ବଢି ଯାଉଛି। ସେ ଅଧା ଖାଇବ ବୋଲି ରାଜି ହୋଇଛି। ବାକି ଅଧା ତମେ ଖାଇଦେଲେ ସରିଯିବ।

- କିନ୍ତୁ ଯାହା ଠିକ୍ ନୁହେଁ ତାକୁ ପାଳନ କରିବାରେ ତମେମାନେ ଏତେ ବ୍ୟସ୍ତ ଆଉ ଖୁସି କାହିଁକି।

ରବି ମିନି ପାଖକୁ ଯାଇ ପଚାରିଲା - ପୁଅ କଣ କହୁଛି ତମେ ମଟନ ଖାଇବ ବୋଲି କହିଛ।

- ନେଇ ଆସିଛି ଖୁସିରେ ତ, ମନାକଲେ ଖରାପ ଲାଗିବ ତାକୁ ।

- ଆରେ କଣ ଆପେ ନେଇ ଆସିଲା। ଟଙ୍କା ତ ତମେ ଦେଇଥିବ ଆଣିବା ପାଇଁ। ରବି ସାମାନ୍ୟ ବିରକ୍ତିରେ କହିଲା- ହେଉ ଖାଅ। ମୋତେ କାହିଁକି ତମ ଇଛାରେ ବାଧ୍ୟ କରୁଛ।

-ମୁଁ କରି ନଥାନ୍ତି ଯେ। ଆଜି ତମ ପାଇଁ କିଛି କରିନି ତ ସେଥିପାଇଁ କହିଦେଲି। ମିନି ଦୃଢତାର ସହ କହିଲା।

-ମୁଁ ତ କହିଛି। ମୋ ପାଇଁ ବ୍ୟସ୍ତ ହେବ ନାହିଁ। ମୋର ରାତି ଖାଇବା ଅତି ସାମାନ୍ୟ। ତମେ କରି ନପାରିଲେ ମୁଁ ଡାଲି ପରିବା ସିଝେଇ ଖାଇଦେବ। କିନ୍ତୁ ତମ ମାନଙ୍କ ଭଳି ଅଖାଦ୍ୟ ଖାଇ ପାରିବି ନାହିଁ କି ମୋଟା ହେବାର ଦୁଃସାହାସ କରି ପାରିବି ନାହିଁ।

ରବି ରୋଷେଇ ଘର ଆଡ଼େ ଚାଲିଗଲା କିଛି ଗୋଟାଏ ବ୍ୟବସ୍ଥା କରିବା ପାଇଁ।

ରାଜୁ ମାକୁ ଅନାଇ କହିଲା -ବାପା ଏମିତି ପୁରୁଣା କାଳିଆଙ୍କ ପରି କଣ ହେଉଛନ୍ତି।

-ହେଉଥାନ୍ତୁ। ତୁ ମୋ ଧନଟା। ତୋର ଯେତିକି ଇଛା ହେଉଛି ତୁ ଖାଇଦେଲୁ। ଅବଶିଷ୍ଟ ମୁଁ ଖାଇଦେବି।

ରବି ଗ୍ୟାସଚୁଲା ଉପରେ ଡେକଚି ବସାଉ ବସାଉ କହିଲା-ପୁଅ ଯେମିତି ତମ ପାଇଁ ଆଗ୍ରହରେ ମଟନ୍ ଆଣି ଦେଉଛି ତମେ ସେମିତି ଆଗ୍ରହରେ ତାକୁ ସକାଳୁ ଉଠେଇ ଟିକିଏ ଚାଲିବାକୁ ଯାଉନ। ଉଭୟଙ୍କ ସ୍ଵାସ୍ଥ୍ୟ ଠିକ୍ ରୁହନ୍ତା।

ଉଭୟେ ମା ପୁଅ ଏକା ସ୍ଵରରେ କହିଲେ ଆମେ ଯାଇ ପାରିବୁନି।

ରବି ଉଭୟଙ୍କ ଦୃଷ୍ଟି କୋଣରେ ଆଉ ବାଧା ଦେଲା ନାହିଁ। ମାନସିକତାରେ ଯେପର୍ଯ୍ୟନ୍ତ କାହାର ପରିବର୍ତ୍ତନ ଆସି ନାହିଁ ସେ ପର୍ଯ୍ୟନ୍ତ କୌଣସି ଉପଦେଶ ତାର ପୂର୍ଣକ୍ଷମ ହେଇପାରେ ନାହିଁ।

ଶିକ୍ଷାଳୟ ଯଦି ଶିକ୍ଷାରେ ଉପଯୁକ୍ତ ମାନସିକତା ଦେଇ ନପାରିଲା, ମା ପାଖରୁ ଯଦି ସଂସ୍କାର ଆସି ନପାରିଲା ସେଠି ଆଉ କାହାର ଅନୁପ୍ରବେଶ ଯେ କାର୍ଯ୍ୟକାରୀ ହେଇପାରିବ ରବି ଚିନ୍ତା କରିବାକୁ ଲାଗିଲା। ନିଜ ପିଲାଦିନର କଥା ଧିରେ ଧିରେ ମାନସ ପଟରୁ ଅପସରି ଯାଉଥିଲା ଓ ବର୍ତ୍ତମାନର ସତ୍ୟ ଭିତରେ ସେ ଅଣନିଃଶ୍ଵାସୀ ହୋଇ ପଡୁଥିଲା।

ପ୍ରଶାନ୍ତ କୁମାର ହୋତା


Rate this content
Log in