Gayatri Singh

Inspirational

4  

Gayatri Singh

Inspirational

ମୋ ଦେଶ

ମୋ ଦେଶ

2 mins
544



ଭାବଗ୍ରାହୀ ବାବୁ ନିଜ ବେଡରୁମରୁ ବାହାରି ଗେଷ୍ଟରୁମରେ ଯାଇ ବସିଲେ । ସବୁଦିନ ସେ ସେଇଠି ହିଁ ବସନ୍ତି । ସେଠି ବସିଲେ ବାହାର ଗାର୍ଡେନ ସହିତ ଗେଟ୍ରାସ୍ତା ପର୍ଯ୍ୟନ୍ତ ତାଙ୍କ ଦୃଷ୍ଟି ପଡେ । ଯୁଦ୍ଧରେ ଗୋଟିଏ ଗୋଡ ହରାଇବା ପର ଠାରୁ ଚାରି କାନ୍ଥ ଭିତରେ ହିଁ ତାଙ୍କର ସମୟ କଟେ । ଝିଅ ଜୋଇଁ ପୁଅ ବୋହୁ ନାତି ନାତୁଣୀ ସବୁ ଘରକୁ ଆସିଗଲେ ତାଙ୍କର ମନ ବଳ ଶାରିରୀକ ବଳ ଦ୍ୱିଗୁଣିତ ହୋଇଯାଏ । ସେମାନେ ସବୁରହିବା ଭିତରେ ବାପାଙ୍କୁ ସବୁଆଡେ ବୁଲାଇ ନିଅନ୍ତି । ହସ ଖୁସି ଥଟ୍ଟା ମଜାରେ ସମୟ ଚାଲିଯାଏ । ସତରେ ଭଲ ସମୟ ସବୁ ଶୀଘ୍ର ସରିଯାଏ । ଆଉ ଖରାପ ସମୟ ବହୁତ ଲମ୍ବା ଲାଗେ । ଏଇଟା ହେଉଛି ମନୁଷ୍ୟର ମାନସିକତା ।


ପାଖରେ ସ୍ତ୍ରୀ ଚାରୁ ଯେତିକି ପାରେ ସେତିକି କରେ । ତାର ଆଜି ଅଂଟା ତ କାଲି ଆଣ୍ଠୁ । ଘରକୁ ସବୁ ଆସିଗଲେ ସ୍ୱାମୀ ସ୍ତ୍ରୀ ଉଭୟ ଖୁସି ହୋଇଯାଆନ୍ତି । ହେଲେ ସମସ୍ତଙ୍କର କର୍ମମୟ ଜୀବନ ଅଛି ।ଭାବଗ୍ରାହୀ ବାବୁରାସ୍ତା ଆଡକୁ ଚାହିଁଲେ, ଆଜିରାସ୍ତା ଗହଳି ଲାଗୁଛି । ପିଲାମାନେ ହାତରେ କପ୍ ଆଉ ସାର୍ଟିଫିକେଟ ଧରି ଯାଉଛନ୍ତି । କାନ୍ଥରେ ଟଙ୍ଗା ଯାଇଥିବା କ୍ୟାଲେଣ୍ଡରକୁ ଚାହିଁଲେ । ଆଜି ଅଗଷ୍ଟ ଚଉଦ । ପିଲାମାନଙ୍କର କମ୍ପିଟିସନ ଥିଲା ନିଶ୍ଚୟ । ପ୍ରାଇଜ ନେଇ ଫେରୁଛନ୍ତି । ତାଙ୍କର ମନ ହଜିଗଲା ସେଇ ଅପାସୋରା ଅତୀତରେ ।


ସେ ଯେତେବେଳେ ସ୍କୁଲରେ ପଢୁଥିଲେ ଜାନୁୟାରୀ ଛବିଶ ଅଗଷ୍ଟ ପନ୍ଦର କମ୍ପିଟିସନରେ ଭାଗ ନେଉଥିଲେ । ଡିବେଟ,ଗୀତ, ନାଚ, ସାଧାରଣଜ୍ଞାନ ସବୁଥିରେ ଭାଗ ନେଉଥିଲେ । ତାଙ୍କର ମନେ ଅଛି ‘ମୋ ଦେଶ’ ଟପିକରେ ସେ ଦେଶର କଥା ଉତ୍ସର୍ଗୀକୃତ ଜୀବନର ଗାଥା,ବଳିଦାନର କଥାକୁ ଉପସ୍ଥାପନା କରି ପ୍ରାଇଜ ପାଇଥିଲେ । ଡ୍ରଇଂରେ ମହାତ୍ମା ଗାନ୍ଧୀ,ଜବାହାରଲାଲ ନେହେରୁ, ଲାଲବାହାଦୁର ଶାସ୍ତ୍ରୀଙ୍କର ତିନୋଟି ମୁଣ୍ଡ ସହିତ ଜାତୀୟ ପତକା ଓ ଅଶୋକ ସ୍ତମ୍ଭର ଚିତ୍ର ଆଙ୍କି ପ୍ରଥମ ହୋଇଥିଲେ । ପ୍ରାଇଜ ଆଣି ବାପା, ମାଆ,ଜେଜେ ସମସ୍ତଙ୍କୁ ଦେଖାଇଥିଲେ । ପିଲାମାନଙ୍କର ଖୁସିରେ ବାପା ମାଆଖୁସି ହେବା ସ୍ୱାଭାବିକ କଥା ।


ସବୁ ବର୍ଷ ସେ ଘରକୁ ପ୍ରାଇଜ ଆଣନ୍ତି । ଦେଶପ୍ରୀତି ତାଙ୍କର ବହୁତ । ପାଠ ପଢା ସରିବା ପରେ ମିଲିଟାରି ଚାକିରୀ ପାଇଁ ବାହାରି ପଡିଲେ । ବାପାଙ୍କ ଅନିଚ୍ଛା ସତ୍ୱେ ଚାକିରୀରେ ଜଏନ କଲେ । ସବୁ କଥା ତାଙ୍କର ଗୋଟି ଗୋଟି ମନେ ପଡିଯାଉଛି । ପାଖ ଘର ନାତି ହିସାବ ହେବ ପିଲା ଟି ଧାଇଁ ଆସି କହିଲା ଜେଜେ ଜେଜେ ଦେଖ ଆଜି ମୁଁ ପ୍ରାଇଜ ପାଇଛି । ଭାବଗ୍ରାହୀ ବାବୁ ତାକୁ ଖୁସିରେ କୋଳେଇ ନେଲେ । ତାଙ୍କ ଜୀବନ ସରି ଆସିଲାଣି । ସେ ସିନା ଗୋଡ ହରେଇ ଘରେ ବସିଛନ୍ତି ତାଙ୍କ ପରି ଆହୁରି କେତେ ଭାବଗ୍ରାହୀ ଦେଶ ପାଇଁ ଶହୀଦ ହେଉଛନ୍ତି ଓ ଜନ୍ମ ନେଉଛନ୍ତି । ବାଡିରେ ଭରା ଦେଇ ନିଜ ବେଡରୁମ ଆଡକୁ ଆଗେଇଲେ । କେତେବେଳେ ଆଖି ଲାଗିଯାଇଛି । ଗାନ୍ଧିଜୀଙ୍କ ପ୍ରିୟ ଭଜନରେ ତାଙ୍କ ନିଦ ଚାଉଁ କି ଭାଙ୍ଗିଗଲା । ବାହାରୁ ଶୁଭୁଛି ବୈଷ୍ନବ ଜନତେ.....



Rate this content
Log in

Similar oriya story from Inspirational