Lokanath Rath

Tragedy Inspirational

4.7  

Lokanath Rath

Tragedy Inspirational

ମୁକ୍ତ ବିହଙ୍ଗ (ପ୍ରଥମ ଭାଗ )

ମୁକ୍ତ ବିହଙ୍ଗ (ପ୍ରଥମ ଭାଗ )

7 mins
390



ମମତା ଆଜି ବସି ତା ଚିତ୍ରକୁ ସମ୍ପୂର୍ଣ କରିବାରେ ଲାଗିଛି। ଦୀର୍ଘ ପନ୍ଦର ବର୍ଷ ର ବାହାଘର ପରେ ପଇଁଚାଳିଶ ବର୍ଷ ବୟସରେ ନିଜର ମନରେ ଦବି ହୋଇ ରହି ଯାଇଥିବା ଇଚ୍ଛା କୁ ସେ ପୁର୍ଣ କରିବାକୁ ଯାଉଛି। ଏସବୁ ସମ୍ଭବ ହେଇ ପାରିଲା ତାର ପିଲାଦିନର ସାଙ୍ଗ ସଙ୍ଗୀତା ପାଇଁ। ମମତା ର ସ୍ୱାମୀ ଅବିନାଶ ଜଣେ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ। ଭଗବାନଙ୍କ କୃପାରୁ ସେ ଗୋଟିଏ ପୁଅ ଆକାଶ ଓ ଝିଅ ଆରତୀ କୁ ପାଇଛି। ଆକାଶ ସପ୍ତମ ଶ୍ରେଣୀରେ ଓ ଆରତୀ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ଦିନ ଦଶଟା ପରେ ଅବିନାଶ ତାଙ୍କ କାମରେ ଓ ପିଲାମାନେ ତାଙ୍କ ବିଦ୍ୟାଳୟ କୁ ବାହାରି ଯାଆନ୍ତି। ମମତା ଘରର ବାକି ସବୁ କାମ ସାରୁ ସାରୁ ପ୍ରାୟ ଦିନ ବାରଟା ହେଇଯାଏ। ତାପରେ ସେ ବସି ଘର ଭିତରେ ନିଜର ଅତୀତର ପୁରୁଣା ୟାପୂର୍ଣ ଇଚ୍ଛା ଓ ଆଶା କୁ ନେଇ ଭାବି ଭାବି କେତେବେଳେ ଶୋଇପଡ଼େ ତ କେତେବେଳେ ଆଖିରୁ ଲୁହ ଝରାଇ କାନ୍ଦେ। ବେଳେ ବେଳେ ଖରାବେଳେ ଘରର କିଛି ଜିନିଷ କିଣିବାକୁ ନିଜେ ବଜାରକୁ ଯାଏ। ତାକୁ ଲାଗେ ଯେମିତି ସେ ଗୋଟିଏ ଜାପାନୀ କଣ୍ଢେଇ। ଚାବି ମୋଡି଼ଦେଲେ ଚାଲେ ଓ ପୁଣି ଆପେ ଆପେ ବନ୍ଦ ହେଇଯାଏ। ପିଲାଦିନୁ ତା ସାଙ୍ଗରେ ଏ ପର୍ଯ୍ୟନ୍ତ ତାହା ହିଁ ଘଟି ଚାଲିଛି। ପିଲାଦିନେ ସେ ଚାହୁଁଥିଲା ନାଚ ଶିଖିବାକୁ, ହେଲେ ତା ଜେଜେ ମା ଓ ବାପା ବିକାଶ ବାବୁଙ୍କ ଘୋର ଆପତ୍ତି ଓ ବିରୋଧ ବିରୁଦ୍ଧରେ ମା ସୁଜାତା ଯାଇ ପରି ନ ଥିଲେ ମମତାର ମନର ଇଚ୍ଛା ପୂରଣ କରିବାକୁ। ଭଲ ପାଠ ପଢୁଥିଲା ଓ ଖେଳ କୁଦ ରେ ବି ଭଲ କରୁଥିଲା ମମତା। ରାଜ୍ୟ ସ୍ତରରେ ଖେଳ ପାଇଁ ପୁରସ୍କୃତ ବି ହେଇଛି, କିନ୍ତୁ ଆଉ ଆଗକୁ ବଢିବାକୁ ଘରର ନିୟମ ତାକୁ ଦେଇ ନଥିଲା। ମନେ ମନେ ବହୁତ କାନ୍ଦେ। ବେଳେ ବେଳେ ତା ମା ସୁଜାତାଙ୍କୁ ପଚାରେ କାହିଁକି ତାକୁ ସବୁ କଥାରେ ଆଗକୁ ବଢିବାକୁ ଦିଆ ଯାଉନାହିଁ ?ତା ଭାଇ ମାନସ ର ସବୁ ଇଚ୍ଛା ପୂରଣ କରିବାରେ ଜେଜେ ମା ଓ ବାପା ବିକାଶ ପଛାଉ ନାହାନ୍ତି, କିନ୍ତୁ ତା ଇଛାର କୌଣସି ମୂଲ୍ୟ ନାହିଁ। ସେ ସବୁ ଶୁଣି ସୁଜାତା ତାକୁ ବୁଝାଇ କହୁଥିଲେ, "ଆମ ଘରର ଭିନ୍ନ ନିୟମ। ଏହି ଘରେ ଝିଅ ମାନଙ୍କୁ ବହୁତ କଟକଣାରେ ରହିବାକୁ ହୁଏ। ଘରର ସମ୍ମାନ କାଳେ ତଳେ ପଡ଼ିଯିବ ବୋଲି ତୋ ବାପା ଓ ଜେଜେ ମା ଭାବନ୍ତି। ମୁଁ ବି ମୋର ସବୁ ମନର ଇଚ୍ଛା କୁ ବାନ୍ଧି ଅଲଗା କରି ରଖି ଦେଇଛି। ତୁ କାନ୍ଦି କାନ୍ଦି ନିଜକୁ କଷ୍ଟ ଦେଲେ ତୋର କ୍ଷତି ହେବ। କେହି ଶୁଣିବେ ନାହିଁ। "ସେସବୁ ଶୁଣି ମମତାର ମନ ବହୁତ ଥର ବିଦ୍ରୋହ କରିବାକୁ ଚାହିଁଛି, କିନ୍ତୁ କରିବାର ସାହସ ପାଇନାହିଁ। ତେବେ ସେ ଘରେ ବସି ନିଜ ବଳକା ସମୟରେ ମା ଠାରୁ ଘର କାମ ଶିଖେ ଓ ନିଜ ଭାବନାକୁ ତୁଳିରେ ଆଙ୍କି ଚିତ୍ର କରେ। ସୁଜାତା ଦେଖି ବହୁତ ଖୁସି ହୁଅନ୍ତି। ତାର ସାଙ୍ଗ ସଙ୍ଗୀତା ତା ଆଙ୍କିଥିବା ଛବି କୁ ବହୁତ ପ୍ରଶଂସା କରେ। ଦିନ ବିତିଗଲା। କଲେଜ ପାଠ ପଢାର ତିନି ଚାରି ବର୍ଷ ପରେ ତାର ବାହାଘର ହେଇଗଲା। ତା ସ୍ୱାମୀ ତାକୁ ଚାକିରୀ କରିବାକୁ ଦେଲେ ନାହିଁ। ସେ ଅଧ୍ୟାପିକା ଭାବରେ କିଛିବର୍ଷ ବାହାଘର ଆଗରୁ କାମ କରୁଥିଲା ବେସରକାରୀ ମହାବିଦ୍ୟାଳୟରେ। ଏବେ ଏଇ କିଛି ଦିନ ତଳେ ବଜାର ଯାଇ ଘର ଜିନିଷ କିଣିଲା ବେଳେ ମମତା ର ସଙ୍ଗୀତା ସହିତ ଦେଖା ହେଇଗଲା। ସେତେବେଳେ ମମତା ସବୁ କଷ୍ଟ ଭୁଲିଯାଇ ସଙ୍ଗୀତା କୁ କୁଣ୍ଢାଇ ପକାଇଲା। ତାକୁ ଘରକୁ ନେଇ ଆସିଲା ମମତା। ଉଭୟ ବସି ବହୁତ କଥା ହେଲେ। ସଙ୍ଗୀତା ବାହା ହୋଇ ଏହି ସହରରେ ରହୁଛି। ତା ସ୍ୱାମୀ ଜଣେ ବଡ଼ କଳାକାର। ସଙ୍ଗୀତା ନିଜେ ବଡ଼ ବଡ଼ କଳା ଓ ସାହିତ୍ୟ ପ୍ରଦର୍ଶନୀ ର ଆୟୋଜକ। ସେ ମମତାଠାରୁ କିଛି ଜାଣିବାକୁ ପାଇଲା ଯେ ମନ ଭିତରେ ବହୁତ ଇଚ୍ଛା କୁ ଚାପିଧରି ସେ ପ୍ରକାଶ କରିବାକୁ ଚାହୁଁନାହିଁ। ସଙ୍ଗୀତା ମମତା କୁ କହିଲା ଯେ ଆଉ ମାସକ ପରେ ଗୋଟିଏ ବଡ଼ ଚିତ୍ରକଳା ପ୍ରଦର୍ଶନୀ ର ଆୟୋଜନ ସେ କରିବାକୁ ଯାଉଛି। ସେଥିରେ ମମତା ବି ଭାଗ ନେବା ଦରକାର। ମମତା ଟିକେ ଡରିଗଲା। କହିଲା, " ଆରେ ମୁଁ କେମିତି ଭାଗ ନେବି ?ମୋ ସ୍ୱାମୀ ମୋତେ ଅନୁମତି ଦେବେ ନାହିଁ। ତାପରେ ଚିତ୍ରକଳା ପାଇଁ ଦରକାର ତୁଳି, ରଙ୍ଗ ଓ କାନଭାସ କୋଉଠୁ ଆଣିବି ?"ସଙ୍ଗୀତା ଟିକେ ହସିଦେଇ କହିଲା, "ସେସବୁ ଆଣି ମୁଁ ତତେ କାଲି ଦେଇଯିବି। ତୁ ଏଇ ଖରାବେଳେ ସମସ୍ତେ ଗଲାପରେ ତୋର ଅଙ୍କିବା କାମ କରିବୁ। ଆଉ ସେ ପ୍ରଦର୍ଶନୀ ରେ କେମିତି ତୁ ଭାଗ ନେବୁ ମୁଁ ରାସ୍ତା କରିଦେବି। ତୁ ଆଙ୍କିଲା ପରେ ମୋତେ ଦେଇଦେବୁ। ମୁଁ ଜାଣିଛି ତୋର ଅଙ୍କା ଛବିକୁ ସମସ୍ତେ ପସନ୍ଦ କରିବେ ଓ ନିଶ୍ଚୟ ପୁରସ୍କୃତ ହେବୁ। ମୁଁ ଆଉ କିଛି ଶୁଣିବିନି, ତୋତେ ଆଙ୍କିବାକୁ ହେବ। "ଏତକ କହି ସଙ୍ଗୀତା ବାହାରି ଚାଲିଗଲା ଓ ତାପର ଦିନ ତୁଳି, ରଙ୍ଗ ଓ କ୍ୟାନଭାସ ଆଣି ମମତାକୁ ଦେଇଗଲା। 

ମମତା ବହୁତ ଖୁସି ହେଇଗଲା। ତୁଳି ଓ ରଙ୍ଗ ଧରି ସେ କିଛି ସମୟ ଭାବିଲା। ତାପରେ କ୍ୟାନଭାସ ରେ ଆଙ୍କିବାକୁ ଲାଗିଲା। ସେ ସବୁଦିନେ କିଛି କିଛି ଆଙ୍କେ ଓ ତାକୁ ଲୁଚାଇ ଖଟ ତଳେ ରଖିଦିଏ। ଘରେ କେହି ଦେଖି ପାରନ୍ତି ନାହିଁ। ପ୍ରଥମେ ସେ ଗୋଟିଏ ଛବି ରେ ଗୋଟିଏ ନାରୀ କୁ ପିଞ୍ଜରା ଭିତରେ ବନ୍ଦୀ କରି ତା ଆଖିରୁ ବୋହୁଥିବା ଲୁହ କୁ ନେଇ ସୁନ୍ଦର ଛବି ଆଙ୍କିଲା। ତାର ନାମ ଦେଲା ବନ୍ଦିନୀ। ତାପରେ ଏବେ ସେ ଆଙ୍କୁଛି ନିଜ ର ମନ ଭିତରେ ଶୋଇ ରହିଥିବା ତାର ସବୁ ଇଚ୍ଛା କୁ ନେଇ। ଗୋଟିଏ ବଡ଼ ମସ୍ତିଷ୍କ ର ହାଲୁକା ଛବି ଉପରେ କେତୋଟି ପଞ୍ଜୁରୀ। ପ୍ରଥମ ପଞ୍ଜୁରୀରେ ଛୋଟ ଝିଅଟିଏ ନାଚୁଛି ଓ କାନ୍ଦୁଛି। ବାହାରେ ପିତା ମାତା ଦେଖୁଛନ୍ତି, ତାପର ପଞ୍ଜୁରୀରେ ଟିକେ ବଡ଼ ଝିଅ ଦୌଡୁଛି ଓ ତା ପାଦରେ ଶିକୁଳି ଓ ଆଖିରେ ଲୁହ, କିଛି ଲୋକ ଚୁପ ଚାପ ଦେଖୁଛନ୍ତି। ତାପର ପଞ୍ଜୁରୀରେ ଝିଅଟି ବାହା ହେଇ ବିବାହ ବନ୍ଧନରେ ବାନ୍ଧି ହେଇ କାନ୍ଦୁଛି। ଶେଷ ପଞ୍ଜୁରୀରେ ଜଣେ ଅର୍ଦ୍ଧବୟସ୍କା ନାରୀ ଗୋଟିଏ ଛବି ଓ ତୁଳି ଧରି ହସି ହସି ପଞ୍ଜୁରୀରୁ ବାହାରୁଛି। ସେଇଟା ଏବେ ଶେଷ କରିବାକୁ ଯାଉଛି ମମତା ସେଇ ନାରୀ କୁ ତାର ଅନ୍ୟ ହାତରେ ଏକ ପକ୍ଷୀକୁ ହାତରେ ଧରି ଉଡାଇବା ଛବି ଆଙ୍କି। ପ୍ରାୟ ଶେଷ ହେଇଗଲା। ତାର ନାମ ଦେଲା "ମୁକ୍ତ ବିହଙ୍ଗ "। ଏତକ ସାରି ମମତା ବହୁତ ଖୁସି ହେଇଗଲା। ତାକୁ ଲାଗିଲା ଯେମିତି ଆଜି ତାର ମନଟା ବହୁତ ହାଲୁକା ହେଇ ଯାଇଛି। ତାକୁ ଲାଗିଲା ଏଇ ଛବିକୁ ଆଙ୍କି ସେ ନିଜର ସବୁ କିଛି ଅକୁହା କଥା ଓ ଭାବନା କୁ ମନରୁ ମୁକ୍ତ କରି ଦେଇଛି। ସେତିକିବେଳେ ଘଣ୍ଟି ବାଜିଲା ଓ କାହାର ଆଗମନର ସୂଚନା ଦେଲା। ସମୟ ମାତ୍ର ଚାରିଟା ବାଜିଥାଏ। ସେ ଯାଇ କବାଟ ଖୋଲିଲା। ଦେଖିଲା ତାର ବାନ୍ଧବୀ ସଙ୍ଗୀତା। ତାକୁ ଡାକି ବସାଇଲା। ଚାହା କରି ଆଣିଲା ଓ ଦୁହେଁ ପିଇଲେ। ସଙ୍ଗୀତା କୁ ଲାଗିଲା ମମତା ବହୁତ ଖୁସି ଅଛି। ସେ ପଚାରିଲା ଛବି କଥା। ମମତା ଆଣି ତାର ଦୁଇଟି ଆଙ୍କିଥିବା ଛବି ତାକୁ ଦେଖାଇଲା। ସଙ୍ଗୀତା ତାକୁ ଦେଖି କହିଲା, "ନିଶ୍ଚୟ ଏଇ ଦିଟା ପୁରସ୍କାର ପାଇବ। କେତେ ଜୀବନ୍ତ କରି ଆଙ୍କିଛୁ ତୁ। ଏବେ ମୁଁ ନେଇ ଯାଉଛି। ହଁ ମୁଁ କାଲି ଆସି ସନ୍ଧ୍ୟାରେ ତୋ ସ୍ୱାମୀଙ୍କୁ ନିମନ୍ତ୍ରଣ କରିବି ଆମ ପ୍ରଦର୍ଶନୀ ର ଜଣେ ଅତିଥି ହେବାକୁ ଓ ତୁମ ସମସ୍ତଙ୍କୁ ଆସିବାକୁ ନିମନ୍ତ୍ରଣ ଦେବି। ଏହି ଆସନ୍ତା ରବିବାର ଦିନ ପ୍ରଦର୍ଶନୀ ହେବ। "ଏତକ କହି ସଙ୍ଗୀତା ଉଠିଲା ଓ ମମତା କୁ କୁଣ୍ଢାଇ ତା ଆଖିରୁ ଖୁସିର ଲୁହ ପୋଛିଦେଲା। ମମତା ଲୁହ ମିଶା ହସ ରେ ସଙ୍ଗୀତା କୁ ବିଦା କଲା। 

ତାପର ଦିନ ସନ୍ଧ୍ୟା ସାତଟା ସମୟରେ ସଙ୍ଗୀତା ତାର ଦୁଇ ଜଣ କର୍ମଚାରୀଙ୍କ ସହିତ ମମତା ଘରକୁ ଆସିଲା। ସେ ଅଵିନାଶଙ୍କୁ ଭେଟି ପ୍ରଦର୍ଶନୀ ରେ ଜଣେ ଅତିଥି ହେବାକୁ ବିଧିବଧ ଭାବେ ଚିଠି ଦେଇ ନିମନ୍ତ୍ରଣ କଲା ଓ ତାଙ୍କ ପରିବାର କୁ ବି ଆମନ୍ତ୍ରିତ କଲା। ଅବିନାଶ ବହୁତ ଖୁସି ହେଲେ ଓ ନିମନ୍ତ୍ରଣ ସ୍ୱୀକାର କଲେ। ସେହି ପ୍ରଦର୍ଶନୀକୁ ମନ୍ତ୍ରୀ ମୁଖ୍ୟ ଅତିଥି ଓ ସଂସଦ ମୁଖ୍ୟ ବକ୍ତା ଭାବରେ ଆସୁଛନ୍ତି। ସଙ୍ଗୀତା କିନ୍ତୁ ଅଵିନାଶଙ୍କୁ ତାର ଓ ମମତାର ବନ୍ଧୁତା ସମ୍ପର୍କରେ କିଛି କହିଲା ନାହିଁ। ଅବିନାଶ ଖୁସି ଖୁସି ସଙ୍ଗୀତା କୁ ବିଦା କଲେ। ଏଣେ ଘର ଭିତରେ ମମତା ରହି ଡରି ଯାଇଥିଲା କାଳେ ସଙ୍ଗୀତା କିଛି କହିବ ଓ ଅବିନାଶ ରାଗିଯିବେ। ସଙ୍ଗୀତା ଗଲା ପରେ ଅବିନାଶ ଆସି ମମତା କୁ କହିଲେ ଆଗାମୀ ରବିବାର ସେହି ପ୍ରଦର୍ଶନୀ କୁ ସମସ୍ତେ ଏକା ସାଙ୍ଗରେ ଯିବେ ବୋଲି। ରବିବାର ଦିନ ସକାଳୁ ଉଠି ମମତା ଘରର ସବୁ କାମ ସାରିଦେଲା। ଦିନ ଦୁଇଟାରେ ପ୍ରଦର୍ଶନୀ କୁ ଯିବାର ଅଛି। ମମତା ଖୁସିରେ ଉତ୍ସାହିତ ହେଉଥାଏ ଓ ତାକୁ ଡର ବି ଲାଗୁଥାଏ। ସମସ୍ତେ ଖାଇବା ସାରି ବାହାରିଲେ ପ୍ରଦର୍ଶନୀ ଜାଗାକୁ। ସେଠାରେ ପ୍ରଥମ ଧାଡିରେ ମମତା, ଆକାଶ ଓ ଆରତୀ ବସିଲେ। ପୁରା ସେଇ ହଲ ଟା ଭରି ରହିଥାଏ। ମନ୍ତ୍ରୀ, ସଂସଦ ଓ ଅବିନାଶ ଯାଇ ଫିତା କାଟି ଉଦଘାଟନ କଲେ। ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିଲେ। ବିଚାରକ ମଣ୍ଡଳୀ ବୁଲି ସବୁ ଚିତ୍ରକୁ ଦେଖୁଥାନ୍ତି ଓ ନିଜର ମୂଲ୍ୟାଙ୍କନ କରୁଥାନ୍ତି। ଶେଷରେ ଆସିଲା ପୁରସ୍କାର ର ପାଳି। ସଙ୍ଗୀତା ବିଚାରକ ମଣ୍ଡଳୀ ଙ୍କୁ ଅନୁରୋଧ କଲେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପାଇଁ ବିବେଚିତ ହୋଇଥିବା ଚିତ୍ର ର ନାମ ଘୋଷଣା କରିବାକୁ। ବିଚାରକ ମଣ୍ଡଳୀ ପଢିବା ଆରମ୍ଭ କଲେ, "ପ୍ରଥମ ପୁରସ୍କାର ପାଇଁ 'ମୁକ୍ତ ବିହଙ୍ଗ ', ଦ୍ଵିତୀୟ ପୁରସ୍କାର ପାଇଁ 'ବନ୍ଦିନୀ 'ଓ ତୃତୀୟ ପୁରସ୍କାର ପାଇଁ 'ଆକାଶ ର ଛାତି '। "କର ଧ୍ୱନି ରେ ସେ ହଲ ପ୍ରକମ୍ପିତ ହେଲା। ମନ୍ତ୍ରୀ, ସଂସଦ ଓ ଅବିନାଶ ସେହି ତିନୋଟି ଛବି ଦେଖିବାକୁ ଗଲେ। ସେମାନେ ଦେଖୁ ଦେଖୁ ତଳେ ଲେଖା ହୋଇଥିବା ଶିଳ୍ପୀଙ୍କର ନାମ ସଙ୍ଗୀତା ଦେଖାଇ ଦେଉଥାନ୍ତି। ଟିକେ ମୌକା ପାଇ ସଙ୍ଗୀତା ଅବିନାଶ କୁ କହିଲେ, "ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ର ବିଜେତା ଯେଉଁ ମମତା, ସେ ହେଉଛନ୍ତି ଆପଣଙ୍କର ପତ୍ନୀ। ସେ ମୋର ପିଲାଦିନର ସାଙ୍ଗ। ହଠାତ ତା ସହିତ ଦେଖା ହେଲା ଓ ତାକୁ ଆଙ୍କିବାକୁ ମୁଁ ବାଧ୍ୟ କଲି। ମୁଁ ପିଲାଦିନେ ତାର ଏହି ପ୍ରତିଭା ବହୁତ ଭଲ ଭାବରେ ଦେଖିଛି। ସେ ମନା କରୁଥିଲା। ଏବେ ଆପଣ କୁହନ୍ତୁ ମୁଁ କଣ ଭୁଲ କରିଛି?ମୋତେ କ୍ଷମା କରିଦେବେ। "ଅବିନାଶ ଆଶ୍ଚର୍ଯ୍ୟ ହେଲେ ତାଙ୍କ ପତ୍ନୀ ମମତା ର ଚିତ୍ରର ଯାଦୁ ଦେଖି। ଖୁସି ହେଲେ, କିନ୍ତୁ ଦୁଃଖରେ କହିଲେ, "ନା ଆପଣ ବହୁତ ଭଲ କରିଛନ୍ତି। ମୁଁ ମମତା କୁ ଏ ପର୍ଯ୍ୟନ୍ତ ଉଚିତ ମୌକା ଦେଇନି। ମୁଁ ମମତାର ମନର ଇଚ୍ଛା କୁ ବୁଝି ପାରି ନ ଥିଲି। ଆପଣଙ୍କୁ ବହୁତ ଧନ୍ୟବାଦ ମୋର ଆଖି ଖୋଲିଦେଲେ। "ତାପରେ ପୁରସ୍କାର ମନ୍ତ୍ରୀଙ୍କ ଠାରୁ ନେବାକୁ ଡକା ହେଲା। ମମତା ବସି କାନ୍ଦୁଥିଲେ ଖୁସିରେ ଓ ଡରରେ। ସେତିକିବେଳେ ଅବିନାଶ ଆସି ମମତାଙ୍କ ହାତ ଧରି ତାଙ୍କୁ ଅଭିନନ୍ଦନ ଦେଲେ ଓ ପୁରସ୍କାର ନେବା ପାଇଁ ନେଇଗଲେ। ମମତା ବୁଝି ପାରିଲେ ନାହିଁ। ପୁରସ୍କାର ନେବାବେଳେ ଅବିନାଶ ବହୁତ ଖୁସିରେ କହିଲେ, "ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପାଇଥିବା ଚିତ୍ର ର ଶିଳ୍ପୀ ମୋର ପତ୍ନୀ ମମତା। ମୁଁ ତାଙ୍କ ପାଇଁ ଆଜି ଗର୍ବିତ। "ଏତକ ଶୁଣି ସମସ୍ତେ ତାଳି ମାରିବାକୁ ଲାଗିଲେ। ଆକାଶ ଓ ଆରତୀ ଦୌଡ଼ି ଆସି ମମତାଙ୍କୁ କୁଣ୍ଢାଇ ପକାଇଲେ। ମମତା ପୁରସ୍କାର ନେଇ ଅବିନାଶ ଙ୍କୁ ଦେଇ ପ୍ରଣାମ କରିବାକୁ ଯାଉଥିଲେ, ଅବିନାଶ ତାଙ୍କୁ ଧରି ପକାଇ କହିଲେ, "ମୋତେ କ୍ଷମା କର ମୁଁ ଆଜି ଯାଏ ତୁମ ପ୍ରତିଭା କୁ ଚିହ୍ନି ପାରି ନ ଥିଲି। ତୁମ ମନ ଓ ଇଚ୍ଛା କୁ ଜାଣି ପାରି ନ ଥିଲି। କିନ୍ତୁ ଆଜିଠାରୁ ତୁମେ ଏହି ନୀଳ ଆକାଶ ତଳେ, ଏହି ଦୁନିୟାରେ ଗୋଟିଏ ମୁକ୍ତ ବିହଙ୍ଗ। ଏବେ ତୁମେ ତୁମର କଳା କୁ ଆହୁରି ପ୍ରକାଶ ହେବାକୁ ଦିଅ। ମୁଁ ସବୁଥିରେ ତୁମ ସାଙ୍ଗରେ ଅଛି। "ଏତକ ଶୁଣି ମମତା ଅବିନାଶ ଙ୍କୁ ଜାବୁଡି ଧରିଲେ। ଦୂରରୁ ସଙ୍ଗୀତା ଦେଖୁଥିଲା। ସେ ପାଖକୁ ଆସିଲା ଓ ମମତାକୁ ଅଭିନନ୍ଦନ ଦେଇ କୁଣ୍ଢାଇ କହିଲା, "ଏଣିକି ତୁ ମୁକ୍ତ ବିହଙ୍ଗ ପରି ଉଡିବା ଆରମ୍ଭ କର। "ସବୁ ଲୋକମାନେ ପ୍ରଦର୍ଶନୀ ବୁଲି ଦେଖି ଯିବା ବେଳେ ମମତା କୁ ଅଭିନନ୍ଦନ ପୂର୍ବକ ନମସ୍କାର କରୁଥାନ୍ତି। ତାଙ୍କ ଦୁଇଟି ଛବି କିଣିବାକୁ କିଛି ଲୋକ ବହୁତ ଅର୍ଥ ଦେବାକୁ ଇଚ୍ଛା ପ୍ରକାଶ କଲେ , କିନ୍ତୁ ଅବିନାଶ ବିକ୍ରି କରିବାକୁ ମନା କରିଦେଲେ। କହିଲେ, "ଆଉ କିଛି ଦିନ ଅପେକ୍ଷା କରନ୍ତୁ, ଆହୁରି ଅନେକ ଚିତ୍ର ମମତାର ଏକା ସାଙ୍ଗରେ ସଙ୍ଗୀତା ଦେବୀ କରିବେ। ସେତବେଳେ ଚିନ୍ତା କରିବା। "

ଶେଷରେ ମମତାଙ୍କ ଦୁଇଟି ଛବି କୁ ଧରି ନିଜେ ଅବିନାଶ ଆଣି ବଡ଼ ଯତ୍ନରେ ଗାଡ଼ିରେ ରଖିଲେ ଓ ସଙ୍ଗୀତା ଠାରୁ ବିଦାୟ ନେଇ ମମତା ଓ ପିଲାଙ୍କ ସହିତ ଘରକୁ ଫେରିଲେ। ଘରେ ପହଞ୍ଚି ସେ ମମତାକୁ କହିଲେ, "ଏବେ ତୁମେ ମୁକ୍ତ ବିହଙ୍ଗ ର ଆହୁରି କିଛି ଚିତ୍ର ଆଙ୍କ। ଆମେ ସଙ୍ଗୀତା ଙ୍କୁ କହି ତୁମ ସବୁ ଛବିର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କରିବା। "ଏସବୁ ଶୁଣି ମମତାଙ୍କୁ ଲାଗିଲା ସତରେ ସେ ଏବେ ଯେମିତି ଗୋଟିଏ "ମୁକ୍ତ ବିହଙ୍ଗ "ପରି ଉଡିବାରେ ଲାଗୁଛନ୍ତି। ତାଙ୍କ ମନରେ ଦବି ହୋଇ ରହିଥିବା ସବୁ ଅକୁହା ଯନ୍ତ୍ରଣା ଯେମିତି ଆଜି ତାଙ୍କ ମନରୁ ବାହାରି ମୁକ୍ତ ହୋଇ ଯାଇଛନ୍ତି। 


Rate this content
Log in

Similar oriya story from Tragedy