Rabinarayan Senapati

Inspirational Children

4  

Rabinarayan Senapati

Inspirational Children

ପରୀ

ପରୀ

5 mins
216


ଐଶ୍ୱର୍ଯ୍ୟା ପାଠ ଖାତାରେ କଣ ଗୋଟାଏ ଗାରାଗାରି କରୁଛି ଏକ ଭଙ୍ଗା ପେନସିଲର ଅଭଙ୍ଗା ମୁନରେ । ମାଆ କହିଲେ ପାଠ ସରିଲା ଐଶ୍, ରୋଷେଇ ଘର ଭିତରୁ ଥାଇ । କିଛି ଉତ୍ତର ପାଇଲେ ନାହିଁ । ଦୁଇଥର ଡାକିଲା ପରେ ବହାରକୁ ଆସି ଝିଅକୁ ନିଘା କଲେ, ସେ ହଜି ଯାଇଛି ତା ଚିତ୍ର ଦୁନିଆରେ । ମାଆଙ୍କ ଉପସ୍ଥିତି ସମ୍ପର୍କରେ ସଚେତନ ହୋଇ ପାରୁନାହିଁ । 

ଠିକ ଅଛି ତା’ର ତନ୍ମୟତାରେ ବ୍ୟାଘାତ ନକରିବା ଭଲ । 

ମାତ୍ର ପନ୍ଦର କୋଡିଏ ମିନିଟ ପରେ ଐଶ୍ୱର୍ଯ୍ୟା ତା ନୂତନ ଚିତ୍ରକୁ ଧରି ମାଆଙ୍କ ପାଖରେ ହାଜର୍ । -ମାମା ଦେଖିଲ ଦେଖିଲ ମୋ ପରୀ’କୁ । 


ପୁଣି ପରୀ!


ଏମିତି ସେମିତି ନୁହେଁ ମାମା, ଇଏ ଶପଥ କରିଛି ମୋ ସହ କଥା ହେବ, ଖେଳିବ, ମୋତେ ନାଚ ଶିଖାଇବ, କେତେ ନୂଆ ରାଇଜ ବୁଲାଇ ନେବ, ତାଙ୍କ ଘରକୁ ବି ନେବ । 

ଛୋଟିଆ ଛୁଆ, ମାତ୍ର ସାତ ବର୍ଷ ବୟସ ତା’ର ପୁଣି ଏତେ କଥା । ସମାନ୍ୟ ବିଚଳିତ ହେଲେ କିନ୍ତୁ ଚିତ୍ରଟିକୁ ଦେଖିଲା ପରେ ସେ ବିଶ୍ୱାସ କରି ପାରିଲେ ନାହିଁ, ଐଶ୍ୱର୍ଯ୍ୟା ଏତେ ସୁନ୍ଦର ଆଙ୍କି ପାରିବ ବୋଲି । ସତରେ ତ ଏହା ଜୀବନ୍ତ । 

ମାମା! ସେ ମତେ ସତରେ ବୁଲାଇ ନେବନା?!

ମା ବୁଝି ପାରିଲେ ନାହିଁ, ହଁ କହିଲେ ଭଲ’ କି ନା କହିଲେ ଭଲ । କେବଳ ଆଦରରେ କୋଳାଇ ନେଇ କହିଲେ, ଅତି ସୁନ୍ଦର । 

 ଐଶ୍ୱର୍ଯ୍ୟା ଏବେ ବାପାଙ୍କ ପାଖକୁ ଦୌଡିଲା, ହୁଏତ ବାପା ଏ ବାବଦରେ ଠିକ କଥା କହିବେ । 

ବାପା କହିଲେ, ହଁ ସେ ତୋ ସହ ସାଥି ହେବ’ଯେ କିନ୍ତୁ ତାଙ୍କ ରାଇଜର ନିୟମ କାନୁନ ହିସାବରେ, କେବଳ ସମୟେ ସମୟେ, ତାହାପୁଣି ସ୍ୱପ୍ନରେ । ତୁ ଯେଉଁ ସୁନ୍ଦର ସ୍ୱପ୍ନ ଗୁଡିକ ଦେଖୁ ସେ ସବୁତ ଏହି ମାନେ ଦେଖାନ୍ତି । ପରୀଟି ନିଶ୍ଚେ ତୋ ସହ କେତେ ଖେଳ ଖେଳିବ ଦେଖୁନୁ ଏହା କେତେ ସୁନ୍ଦର ହୋଇଛି, ସେ ଯଦି ସତରେ ତୋ ଆଗକୁ ଆସି ତୋ କଳ୍ପନାରେ ଦେଖା ଦେଇ ନଥାନ୍ତା ତାହେଲେ ତୁ କଣ ତୋ ଟିକି ହାତରେ ଏମିତି ଆଙ୍କି ପାରିଥାନ୍ତୁ । 

ଐଶ୍ୱର୍ଯ୍ୟା ଭାବିଲା ତା ଚିତ୍ରାଙ୍କନ ଆଜି ବୋଧହୁଏ ଭଲ ହୋଇଛି । 


ଠିକ ଅଛି, ଆଜି ଅମେ ଆମ ଏଠିକା ପରୀ ରାଇଜ ଡିସ୍ନି ଲ୍ୟାଣ୍ଡ୍ ବୁଲିଯିବା ଅପରାହ୍ନରେ । ତା ବାପା କହିଲେ । 

ଏ କଥା ଶୁଣି ଐଶ୍ୱର୍ଯ୍ୟାର ମନ ବଦଳି ଗଲା ସେ ଖୁସିରେ ମାଆ ପଖକୁ ଦୌଡି ଯାଇ ମାଆଙ୍କୁ କହିଲା, ମାଆ ଶୀଘ୍ର ଶୀଘ୍ର କାମ ସାରିପକା ନହେଲେ ଡେରି ହେବ,ଆମେ ସବୁ କିଛି ଦେଖି ପାରିବା ନାହିଁ । ମାଆ ବି ବୁଲିଯିବା କଥା ଶୁଣି ବେଶ ଖୁସି ହେଲେ । 

.....................................

ସହରର ଅଦୂରରେ ଗଢି ଉଠିଛି ପିଲାଙ୍କ ମନୋରଞ୍ଜନ ପାଇଁ ଚମତ୍କାର କୃତ୍ରିମ ପାର୍କଟି, ନାମ ଯାହର ଡିସ୍ନି ଲ୍ୟାଣ୍ଡ୍, ମେଟ୍ରୋ ରେଳଗାଡିରେ ଗଲେ ତିନୋଟି ଷ୍ଟେସନ ପରେ ପଡିବ ଏବଂ ଏହି ଭୂତଳ ରେଳଗାଡି’ର ମଜା’ବି ଐଶ୍ୱର୍ଯ୍ୟା ନେବା ଦରକାର । 

ସଜବାଜ ହୋଇ ବାହରି ପଡିଲେ, ଆଜି ରବିବାରର ମଜା ନେବା ପାଇଁ । ଐଶ୍ୱର୍ଯ୍ୟା ତା ପରୀକୁ ଏକ ଫ୍ରେମ ମଧ୍ୟରେ ବନ୍ଧାଇ, ସାଥିରେ ଧରି ଚାଲିଲା । 

ରେଳଗାଡି ଅଲଗା ପ୍ରକାରର, ଭାରି ଚିକ ମିକ୍, କେତେ ଢଙ୍ଗରେ ସଜା ହୋଇଛି, କେତେ ଚିତ୍ର ଲାଗିଛି, ସବୁଚିତ୍ର ତଳେ ଡିସ୍ନି ଲେଖାଯାଇଛି । ଐଶ୍ୱର୍ଯ୍ୟା ଦେଖିଲା ତା ପରୀ ଚୁପ୍ କିନା ତା ହାତରୁ ଖସିଯାଇ ଗୋଟିଏ ଚିତ୍ରର ଏକ କୁନି ଛୁଆ ମଧ୍ୟରେ ମିଶିଗଲା ପୁଣି କିଛି ସମୟ ପରେ ସେହି ଏକା ପ୍ରକାର ସତସତିକା ଝିଅଟିଏ ଆସି ତାଙ୍କ ସିଟରେ ତା ପାଖରେ ଥିବା ଖାଲି ଜାଗାରେ ବସିପଡି ତା’ଆଡେ ଚାହିଁ ହସିଦେଲା । ସାମ୍ନାରେ ବସିଛନ୍ତି ତିନି ଜଣ, ଝରକା ପାଖକୁ ବସିଛନ୍ତି ଜଣେ ଗମ୍ଭୀର ଦିଶୁଥିବା ଏବଂ ନିରବ ରହୁଥିବା ଦରବୁଢା ବ୍ୟକ୍ତି । ତା କଡକୁ ସମ୍ଭବତଃ ଦୁଇଜଣ ସାଙ୍ଗ । ଜଣେ କରିମ ଚାଚା ଭଳି ଦେଖାଯାଉଛନ୍ତି, ଆଉଜଣେ ହରିକକା ଭଳି । ଏତେ ସୁନ୍ଦର ବଗିଟିକୁ ସେମାନେ ବାଦାମ ଖାଇ, ତା ଚୋପାଗୁଡା ତଳେ ପକାଇ ଅସନା କରୁଥିବା ଦେଖି ଐଶ୍ୱର୍ଯ୍ୟା ମନେ ମନେ ଖପ୍ପା ହେଲା, ତେବେ ବାପା ଓ ମାଆଙ୍କ ଆଡକୁ ଥରେ ଥରେ ବୋଧଗମ୍ୟ ଚାହାଣୀ ଦେବା ବ୍ୟତୀତ କଣ ବା ସିଏ ଅଧିକା କରି ପାରିଥାନ୍ତା?

ସେମାନେ ନିଜ ନିଜ ଧର୍ମ ବାବଦରେ ଯେତେ ସବୁ ଭଲ ଭଲ କଥା ବଖାଣୁଥିଲେ ଏବଂ ମଝିରେ ମଝିରେ ବାଦ ବିବାଦରେ ଲାଗି ଯାଉଥିଲେ,ପୁଣି ସାଥିରେ ବାଦାମ ଖାଇ ଚୋପାଯାକ ବେପରୁଆ ପକାଇ ଚାଲୁଥିଲେ । କେତେ ସମୟ ପରେ ଛୋଟ ପିଲା ଦୁଇ ଜଣଙ୍କ ଉପସ୍ଥିତି ପ୍ରତି ସଚେତନ ହୋଇ ସେମାନେ ଉଭୟଙ୍କୁ କିଛି ବାଦାମ ଦେଲେ,ଐଶ୍ୱର୍ଯ୍ୟା ମୁହଁ ମୋଡି ତାର ମନର ଅବସ୍ଥା ଅନୁସାରେ ବାଦାମ ନେବାକୁ ମନା କଲା, ପରୀ କିନ୍ତୁ ବେଶ ଆଦରରେ ସେ ସବୁକୁ ଖାଇ ତା’ର ଚୋପା ଗୁଡାକ ତା ଅଣ୍ଟିରେ ରଖିଲା ଏବଂ ସବୁ ଖାଇ ସାରିଲା ପରେ ସେ ସବୁକୁ ବଗିରେ ଥିବା ଡଷ୍ଟବିନରେ ପକାଇଲା । ପରୀର ଏତାଦୃଶ ଆଚରଣରେ ସାଙ୍ଗ ଦୁଇଜଣ ମଧ୍ୟ ଆଉ ଅସନା ନକରି ଠିକ ହିସାବରେ ଚୋପାକୁ ରଖିଲେ, ତେବେ ସେମାନଙ୍କ ଏ ପରିବର୍ତ୍ତନ ଯେ ସେମାନେ ପରୀଠୁ ଶିଖିଲେ ଏ କଥା ଗ୍ରହଣ ନ କରିବା ପାଇଁ ସେମନେ ଅଧିକ ମତ୍ରାରେ ଧର୍ମ, ଅଧର୍ମ ବାବଦରେ ଚର୍ଚ୍ଚା ଜାରି ରଖିଲେ । 

ପରୀ ଐଶ୍ୱର୍ଯ୍ୟା କାନରେ ଚୁପ୍ କିନା କହିଲା ରହ ବ୍ୟସ୍ତ ହୋ’ନା ମୁଁ ଏସବୁ ସଫା କରି ଦେଉଛି ତୋ ମନକୁ ଭଲ ଲାଗିବ । ଏହା କହି ସେ ଉଠି ଚଲିଗଲା, କିଛି ସମୟ ପରେ ହାତରେ ଝାଡୁ ଧରି ଛୋଟ ଝିଅଟିଏ ବଗିକୁ ଝାଡୁ କରି ଚାଲିଲା । ବେଶ ଅଲଗା ଥିବା ପରୀକୁ ଆଉ ସିନା କେହି ଚିହ୍ନି ପାରିଲେ ନାହିଁ ହେଲେ ଐଶ୍ୱର୍ଯ୍ୟା ଠିକ ଚିହ୍ନି ପାରି ଖୁସିହେଲା ଏବଂ ତା ମନ ବଦଳିଗଲା । ବଗିଟି ଝାଡୁ କରି ସାରିଲା ପରେ ପରୀ ସମସ୍ତଙ୍କ ପାଖରୁ ପାରିଶ୍ରମିକ ସଂଗ୍ରହ କରିବା ଦେଖି ପୁଣି ଐଶ୍ୱର୍ଯ୍ୟା ଚିନ୍ତିତ ରହିଲା, କିଛି ରହସ୍ୟ ଥିବ ନିଶ୍ଚୟ । 

ବାଦାମଖିଆ ଲୋକ ଦୁଇ ଜଣ ପରୀକୁ ଚାହିଁଲେ କିନ୍ତୁ କିଛି ଦେଲେ ନାହିଁ । ଐଶ୍ୱର୍ଯ୍ୟା ଟିକେ ହସିଦେଲା, ବାପା ଆଉ ମାଆଙ୍କ ଆଡକୁ ଚାହିଁଲା, ସବୁଠୁ ବେଶି ଅସନା କରିଥିବା ଲୋକ ଦୁଇଜଣ ସଫେଇ କାମ କରିଥିବା ପରୀକୁ କିଛି ଦେଉନାହାନ୍ତି । ସେମାନେ ନିଜ ନିଜ ମଧ୍ୟରେ ପୁଣି ଧର୍ମ ବାବଦୀୟ ଯୁକ୍ତିତର୍କ ଆରମ୍ଭ କରିଦେଲେ । 

ଝାଡୁଦାରବେଶୀ ପରୀ ଏକ ପାଞ୍ଚଶହ ଟଙ୍କାର ନୋଟ ବାହାର କରି କହିଲା ଯେ ସେ ଟଙ୍କା ସେ ବାଦାମ ଚୋପା ମଧ୍ୟରୁ ପାଇଥିଲା ଏଣୁ ତାଙ୍କର କାହାର ହୋଇଥିବ । ଉଭୟ ନିଜର ଆଲୋଚନା ବନ୍ଦ କରି ପକେଟ ମୁଣି ଅଣ୍ଡାଳି ପକାଇଲେ, ତଥା ନିଜର ଟଙ୍କା ପଇସା ଗଣି ପକାଇଲେ ଏବଂ କହିଲେ ସେଇଟା ତାଙ୍କ ନିଜର ବୋଲି । ଧୀରେ ଧୀରେ ନିଜ ସପକ୍ଷରେ ନାନାଦି ପ୍ରମାଣ ଦେଖାଇବାକୁ ଲାଗିଲେ । ପରୀ ଐଶ୍ୱର୍ଯ୍ୟା କାନ ପାଖରେ ତୁନି କରି କହିଲା, ସେଇଟା ନକଲି ନୋଟଟିଏ, ତୁ ଖାଲି ମଜା ଦେଖ୍ ।  

"ମାନ୍ୟବରଃ ମାନ୍ୟବରଃ, ଝଗଡା ଲାଗିବା ଭଲ ନୁହେଁ, ନିଅ ପେଡା ଖାଅ", କହୁଁ କହୁଁ ଶୂନ୍ୟରୁ ଏକ ପରେ ଏକ ପେଡା ବାହାର କରି ସମସ୍ତଙ୍କୁ ଧରାଇ ଚାଲିଲେ ଝରକା ପାଖରେ ବସିଥିବ ସେହି ମହତୀ ଜଣକ । “ଆମ୍ଭେ ଜଣେ ଈଶ୍ୱର ସତ୍ତାଧରୀ ମଣିଷ, ଆମ୍ଭେ ମତ ଦେଉଛୁ ଧର୍ମ ଅତି ସାଧାରଣ କଥା, ତୁମ୍ଭେ ବଗିଟିକୁ ଚୋପା ପକାଇ ଅସନା କରିବା ଅଧର୍ମ, ଛୁଆ ଦୁଇଜଣକୁ ବାଦାମ ଦେବା ଧର୍ମ, ସଫା ସୁତର କରିଥିବା ଛୋଟ ପିଲାଟିକୁ କିଛି ନଦେବା ଅଧର୍ମ, ଟଙ୍କା ନିଶ୍ଚେ ଜଣକର ହୋଇଥିବ, ଯିଏ ମିଛ କହୁଛି ସେ ଅଧର୍ମ କରୁଛି, ବ୍ରହ୍ମଚାରୀର ବଚନ ଅନ୍ୟଥା ନ ହୋଇପରେ । “

ଏତିକି କଥା କହି ସେ ପୁଣି ଏକ ରାଉଣ୍ଡ ପେଡା ବାଣ୍ଟିବା ଆରମ୍ଭ କଲେ । 

ଲୋକ ଦୁଇଜଣ ଗଦଗଦ ହୋଇପଡିଲେ ଏବଂ ଅତି ଆଦରରେ ସେ ଟଙ୍କା ଏହି ଏବେ ଆବିଷ୍କୃତ ଯୋଗୀବାବାଙ୍କୁ ଦାନ କଲେ । 

ମାନ୍ୟବରଃ ମାନ୍ୟବରଃ, ଅର୍ଥ ସମସ୍ତ ଅନର୍ଥର ମୂଳ, ତଥାପି ଯେଯାବତ ଏହା ସ୍ଥିର ନ ହୋଇଛି ନୋଟଟି କାହାର ସେ ଯାବତ ଆମ୍ଭେ ଏହାକୁ ସାଇତି ରଖିବାର କଷ୍ଟ ସ୍ୱୀକାର କରୁଛୁ । 

ଏକଥା କହି ମାନ୍ୟବର ଜଣକ ତାଙ୍କ ବଟୁଆ ମଧ୍ୟରେ ନୋଟଟି ରଖିଦେଲେ । ତେବେ ସେ କାହିଁକି ବହୁତ ବିଚଳିତ ହୋଇ ପଡିଲେ । 

ପରୀ ଐଶ୍ୱର୍ଯ୍ୟାକୁ ଚିମୁଟି ଦେଲା, ଏ କଣ ସେ ଛିଡା କପଡା ପିନ୍ଧିଥିବା ପରୀ ଗଲା କୁଆଡେ । ଇଏତ ଚିକିମିକିଆ ପରୀ, ଐଶ୍ୱର୍ଯ୍ୟା ଆଶ୍ଚର୍ଯ୍ୟ ଚକିତ ହୋଇ ଟିକେ ମାଆଙ୍କ ଆଡକୁ ଚାହିଁଲା । 

ମାନ୍ୟବର ଦେଖାଯାଉଥିଲେ ଅତି ବିଚଳିତ । ପରୀ ଖିଲିଖିଲି ହସି କହିଲା କଣ ଖୋଜୁଛକି ମାନ୍ୟବର ମଉସା । ତୁମ ପେଡା ମୁଣି ନିଅ । 

ପରୀ ହାତରେ ଥିଲା ଏକ ବିଚିତ୍ର ଓ ବିଶେଷ ପ୍ରକାରର ମୁଣି । 

ଆରେ ଆରେ, ଇଏ ଗୋଟେ ଭଣ୍ଡ ମାନ୍ୟବର, ଯାଦୁ ବଳରେ ପେଡା ଦେଉଥିଲା । ବଗିଟିରେ କୋଳାହଳ ଆରମ୍ଭ ହୋଇଗଲା । ରେଳ ପୋଲିସ ଆସି ସମସ୍ତ ଘଟଣା ସନ୍ଧାନ କଲେ । ମାନ୍ୟବରଙ୍କ ପାଖରେ ଥିବା ସେ ନୋଟଟି ନକଲି ଜଣା ପଡିବା ଏବଂ ସେ ଲୋକଙ୍କୁ ଠକୁଥିବା ଦୋଷରୁ, ପୋଲିସ ତାଙ୍କୁ ବାନ୍ଧିନେଲା, ବଗିଟିକୁ ଅସନା କରିବା ଅଭିଯୋଗରେ ସେହି ଦୁଇଜଣ ବ୍ୟକ୍ତିଙ୍କୁ ଜୋରିମାନା ଦେବାକୁ ପଡିଲା । 

ଐଶ୍ୱର୍ଯ୍ୟା ଖୁସିରେ ହସି ଉଠି କହିଲା, ସାବାସ ପରୀ ସାବାସ୍ । 


ଚାଉଁକିନା ଐଶ୍ୱର୍ଯ୍ୟାର ଏ ଖରାବେଳିଆ ନିଦଟା ଭାଙ୍ଗିଗଲା, ଦେଖିଲା ମାମା ପାଖରେ ଠିଆ ହୋଇଛନ୍ତି ଏବଂ ତା’କୁ ଡାକୁଛନ୍ତି, ଉଠ ଉଠ, ଆମେ ଡିସ୍ନି ଲ୍ୟାଣ୍ଡ ବୁଲିଯିବା ପରା । ଐଶ୍ୱର୍ଯ୍ୟାର ମୁହଁରେ ତଥାପି ସେ ହସଟି ଲାଖି ରହିଥିଲା, ସେ ଦେଖା ଯାଉଥିଲା ଖୁବ ସୁନ୍ଦର । 


 



Rate this content
Log in

Similar oriya story from Inspirational