Narayan chandra Senapati

Tragedy

4.2  

Narayan chandra Senapati

Tragedy

ସ୍ୱପ୍ନଟିଏ

ସ୍ୱପ୍ନଟିଏ

5 mins
1.1K



ସେଦିନ ମାମୁଁଙ୍କ ସହ ଇଭିନିଙ୍ଗ ସୋ ଫିଲ୍ମ ଦେଖିସାରି ଖାଇ ପିଇ ମହାନନ୍ଦରେ ଶୋଇଲା ପଲ୍ଲବୀ। ନିଘୋଡ଼ ନିଦ୍ରାବସ୍ଥାରେ ସେ ଦେଖିଲା ସେ ବିଦ୍ୟାଳୟର କୃତୀ ଶିକ୍ଷକ ସୁଶାନ୍ତ ସାର୍ ଙ୍କ ସହ ସେ ଯାଇଛି ସିଲିଗୁଡି,ସାଥିରେ ବି ଯାଇଛନ୍ତି ତା ବାପା ତା ଜୀବନ,କାରଣ ସେ ଥିଲା ତା ବାପାଙ୍କର ଏକମାତ୍ର ସ୍ବପ୍ନ ।ସିଲିଗୁଡିର କାଞ୍ଚନଜଙ୍ଘା ଷ୍ଟାଡିୟମ ରେ ହେଉଛି ଦୌଡ଼ ପ୍ରତିଯୋଗୀତା, ଆଉ ଦୁଇ ହଜାର ମିଟର ଦୌଡ଼ ପ୍ରତିଯୋଗୀତାରେ ପାଞ୍ଚ ନମ୍ବର ଟ୍ରାକ ରେ ରହି ସେ ଅଛି ସବୁଠୁ ଆଗରେ। ସମସ୍ତଙ୍କ ଉତ୍ସାହପୂର୍ଣ୍ଣ ଡାକ ପଲ୍ଲବୀ.....ପଲ୍ଲବୀ ଧ୍ଵନିରେ ପ୍ରାଙ୍ଗଣ କମ୍ପି ଉଠୁଛି ଆଉ ତା ଛାତି ଫୁଲିଉଠୁଛି। ଶେଷରେ ଶେଷ ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ସେ ହୋଇଛି ଚମ୍ପିୟାନ। କି ପ୍ରଶଂସା ! ସମସ୍ତଙ୍କ ମୁହଁରେ ଗୋଟିଏ ନାଁ, ଦୌଡ଼ ରାଣୀ ପଲ୍ଲବୀ।ବାପାଙ୍କ ମନ ଉଡୁଥାଏ ଗଗନରେ।


 ସେଦିନ ରାତିରେ ଆୟୋଜିତ ହେଲା କ୍ରୀଡା ଉଦଯାପନୀ ଉତ୍ସବ। ସ୍ୱାଗତ ସଙ୍ଗୀତ ପରେ ପଲ୍ଲବୀକୁ ସ୍ୱାଗତ କରାଗଲା ସ୍ୱାଗତ ଓଡିଶୀ ନୃତ୍ୟ ପାଇଁ। ମଞ୍ଚ ଖୋଲାହେଲା,ଆଲୋକର ତରଙ୍ଗରେ ଝଲସି ଉଠିଲା ମଞ୍ଚ,ସୂର୍ଯ୍ୟରଶ୍ମି ପରି ଚକ୍ ଚକ୍ କରୁଥିଲା ପଲ୍ଲବୀର ଓଡିଶୀ କଷ୍ଟ୍ୟୁମ। ତା ଭିତରେ ଜ୍ୱଳନ୍ତ ଆଗ୍ନେୟଗିରି ପରି ଚିକ୍ ମିକ୍ କରୁଥାଏ ତା ସୁନ୍ଦର ମୁଖମଣ୍ଡଳର ଅନୁପମ ଜ୍ୟୋତି। ଦଶ ଅବତାର ସଂଙ୍ଗୀତରେ ଭିନ୍ନ ଭିନ୍ନ ଭାବଭଙ୍ଗୀ ଓ ଅଙ୍ଗ ସଞ୍ଚାଳନ। ଦର୍ଶକ ମାନଙ୍କର ମନମୁଗ୍ଧ ସହ ତାଳି ବର୍ଷଣ ଓ ସଭିଙ୍କ ବାହାବା ଆଜି ତାର ପ୍ରତିଭାକୁ ଅଭିନନ୍ଦନ କରୁଛି। ଆଢୁଆଳରେ ବାପାଙ୍କ ଠାର। ଆରମ୍ଭ ହେଲା ପୁରସ୍କାର ବିତରଣ କାର୍ଯ୍ୟକ୍ରମ। ଏବର୍ଷ କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ପଲ୍ଲବୀକୁ ଜିଲ୍ଲାପାଳ କଲେ ପୁରସ୍କୃତ। ତା ବାପା ମା',ଶିଷକ ଶିକ୍ଷୟିତ୍ରୀ ,ସାଙ୍ଗ ସାଥି ଓ ଦର୍ଶକ ଦର୍ଶିକାଙ୍କର ପ୍ରଶଂସାର ସ୍ୱର ଶୁଣି ତା ଆଖିରୁ ଆପେ ଆପେ ଝରି ଆସିଥିଲା ଆନନ୍ଦାଶ୍ରୁ। ଟ୍ରଫି ଓ ପ୍ରଶଂସା ପତ୍ର ଧରି ମଞ୍ଚର ମାଇକ୍ ସମ୍ମୁଖକୁ ଗଲା ସେ,ଆଉ କହିଲା...ଏସବୁ ପ୍ରଶଂସାର ଅସଲ ହକଦାର ମୋ ବାପା। ଯିଏ ମୋତେ ବାରମ୍ବାର ସାହସ,ଧୈର୍ଯ୍ୟ ଓ ଉତ୍ସାହିତ କରି,ମୋ ପାଇଁ ଅନେକ କଷ୍ଟ କରି ଆଣିଦେଇଛନ୍ତି ଏ ସଫଳତା। ମଞ୍ଚକୁ ତାଙ୍କୁ ଡକାଯାଉ।ମଞ୍ଚରେ ବାପା ସଞ୍ଜୟ ବର୍ମାଙ୍କ କେଇ ପଦ କଥା ଯଥା"ଏଇ ପଲ୍ଲବୀ ମୋ ଜୀବନ...ଏଇ ପଲ୍ଲବୀ ମୋ ସପନ"ସମସ୍ତଙ୍କୁ ଟାଣିନେଇଥିଲା ଆଖି ଛଳଛଳ ଆଡକୁ।ଆଜି ତାର ବାପା ଭାବେ ମୁଁ ଗର୍ବ ଅନୁଭବ କରେ କାହିଁକି ନା,ଏଯାଏ କୌଣସି କଥାକୁ ସେ ଅସମ୍ମାନ କରିନାହିଁ। ତା ପରି ଝିଅ ପାଇ ସେ ନିଜକୁ ଗର୍ବିତ ମନେକରୁଛନ୍ତି।ଶେଷରେ ଟ୍ରଫି ଧରି ରାତିରେ ଫେରିଲେ ସେମାନେ,ଜରୁରୀ କାମରେ ରହିଗଲେ ଶିକ୍ଷକ ସୁଶାନ୍ତ।


ଜଙ୍ଗଲ ରାସ୍ତାରେ ଆସୁ ଆସୁ ଅସାମାଜିକଙ୍କ ବାଟ ଓଗାଳିବା ଓ ତାକୁ ଖରାପ ନଜର ରଖିବାରେ ସେ ହୋଇଥିଲା କ୍ଷୁବ୍ଧ। ଆତ୍ମରକ୍ଷା ପାଇଁ କରାଟେ ଶିଖିଥିବା ପଲ୍ଲବୀ ଘାଇଲା କରିଦେଇଥିଲା ଦୁର୍ବୃତ୍ତଙ୍କୁ। ତାଙ୍କ କ୍ଳାନ୍ତ ସମୟରେ ଆସି ପହଞ୍ଚିଥିଲେ ଅମ୍ଳାନ ମହାନ୍ତି ନାମିତ ଏକ ଦିବ୍ୟ ସୁନ୍ଦର ସୁଶୀଳ ସାହସୀ ଯୁବକ ଓ ଦୁହେଁ ମିଶି ଘଉଡାଇଦେଇଥିଲେ ଅସାମାଜିକମାନଙ୍କୁ। ସେଇ ଦେଖା ସାକ୍ଷାତ ଓ ମୁହୂର୍ତ୍ତ ଗଢାଇ ଦେଇଥିଲା ତା ମଧୁମୟ ଜୀବନ। ଏଇମିତି ପ୍ରେମ ପ୍ରଣୟର ଲୁଚକାଳି ଖେଳ ଭିତରେ ସେ ବିବାହ ବନ୍ଧନରେ ଛନ୍ଦି ହୋଇ ଆଜି ନିଜ ଗାଁ,ବାପା ମା,ଜନ୍ମମାଟି ଛାଡି ଯାଉଛି ଅନ୍ୟ ଗାଁକୁ ବୋହୁ ହୋଇ । ତା ବାପା ଯିଏ ଥିଲେ ଜୀବନ,ବୁଡି ଯାଉଛି ତାଙ୍କର ଚେତା ଥରକୁ ଥର। ସମସ୍ତଙ୍କୁ ଛାଡି ଦଉଡି ଆସୁଛି ତା ବାପା ପାଖକୁ ଆଉ କହୁଛି, ବାପା...ଏ ବାପା..ଆଖି ଖୋଲ। ଏଇ ଦେଖୁନ.. ମୁଁ ପରା ତୁମ ପଲ୍ଲବୀ କୁଆଡେ ଯାଇନି ତୁମକୁ ଛାଡି,ତୁମ ପାଖରେ ପରା ଅଛି।ଦଉଡି ଦଉଡି ପାଣି ଗ୍ଲାସଟା ଆଣୁ ଆଣୁ ସେ ଝୁଣ୍ଟି ପଡିଛି । ତା ପାଟି ଶୁଣି ବାପାର ଚେତା ଫେରିଆସିଛି।ସେ ହାତଧରି ଉଠାଉଛନ୍ତି ପଲ୍ଲବୀକୁ। ପଲ୍ଲବୀକୁ ନେଇ ଯାଉଛନ୍ତି ସେହି ସଵାରୀ ପାଖକୁ। ଆଖିରୁ ଝରି ପଡୁଛି ସେଇ ସମ୍ପର୍କର ଅମାନିଆ ଲୁହ। ହଠାତ୍ ନିଦ ଭାଙ୍ଗିଗଲା ପଲ୍ଲବୀର।ବିଚଳିତ ହୋଇ କହିଲା, କାହାନ୍ତି ମୋ ବାପା,କାହାନ୍ତି ଅମ୍ଳାନ,କାହିଁ ମୋ ଟ୍ରଫି,କାହିଁ ମୋ ପ୍ରଶଂସା ପତ୍ର। ମନକୁ ମନ କହିଲା,ଏକଣ ଥିଲା ସ୍ବପ୍ନ !


  ବିଛଣାରୁ ଉଠିବାକୁ ଯେତେ ଚେଷ୍ଟା କଲା କିନ୍ତୁ ପାରିଲା ନାହିଁ,କାରଣ ତାର ଗୋଟିଏ ଗୋଡ଼ ସେ ହରାଇଥିଲା। ଭୋ ଭୋ ହୋଇ କାନ୍ଦିଲା ପଲ୍ଲବୀ। ମନେ ପକାଇଲା ତା ଅତୀତ ଓ ଲକ୍ଷ୍ୟ ହାସଲ କରିବାର ପ୍ରତିଜ୍ଞା।


 ପଲ୍ଲବୀ ଏବେ କଲେଜର +୩, ୨ୟ ବର୍ଷର ଛାତ୍ରୀ। ଛୋଟ ବେଳୁ ଆଞ୍ଚଳିକ ଓ ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ପାରଦର୍ଶୀତା ହାସଲ କରିଥିବା ସେ ଝିଅଟି ଥିଲା ଏକ ଅସାଧାରଣ ଓଡିଶୀ ନୃତ୍ୟ ଶିଳ୍ପୀ। ଏକ ଉତ୍ସବରେ ଯୋଗଦାନ କରି ଫେରୁଥିଲା ତା ବାପାଙ୍କ କାର୍ ରେ।ହେଲେ ସଡକ ଦୁର୍ଘଟଣାରେ ଆର ପାରିକୁ ଚାଲିଗଲେ ତା ବାପା ଓ ଗାଡିଚାଳକ। ଈଶ୍ୱରଙ୍କ ବିଡମ୍ବନା,୧୦୦ଫୁଟ ତଳକୁ ଖସି ପଡିଥିବା ଗାଡି ଭିତରୁ ପଲ୍ଲବୀ ଉଦ୍ଧାର ହେଲା ଅଚେତ ଅବସ୍ଥାରେ। ୧୨ଦିନ ପରେ ଆସିଲା ଚେତା ସେ ସିନା ଚିକିତ୍ସାରେ ଭଲ ହୋଇଗଲା ହେଲେ ହରେଇଦେଲା ତା ଦକ୍ଷିଣ ଗୋଡ଼ଟି। ମା ସେଇଦିନୁ ହରାଇଲା ଭାରସାମ୍ୟ। ମାମୁଁ ମାଈଙ୍କର ଆନୁଗତ୍ୟ ରେ ସେ ବଞ୍ଚିଛି ଶୁଖିଲା ଜୀବନକୁ ଜୀଇଁ ଜୀଇଁ।


 ଆଉ କଣ ଅଛି, ଯେ ଥିଲେ ତା ପଥ ପ୍ରଦର୍ଶକ ତା ବାପା, ସେ ତ ଚାଲିଗଲେ। ଯେଉଁ କ୍ରୀଡା ଥିଲା ତା ଜୀବନ,ଯେଉଁ ନୃତ୍ୟ ଥିଲା ତା ସ୍ପନ୍ଦନ ସେ ବି ଚାଲିଗଲା ଶ୍ମଶାନକୁ। ଏବେ ସେ ଏକ ଦରଭଙ୍ଗା ଡ଼ଙ୍ଗା । ଖାଲି ଚାବି କି ଚିତ୍ରଟିଏ ଭଳି ସବୁ ଦେଖି ଜାଣିବେ ହେଲେ ନଦୀରେ କଣ ତା ସାହାଯ୍ୟରେ ପାରି ହୋଇପାରିବେ ? ପଲ୍ଲବୀ ଠିକ୍ ସେହିପରି। ତାକୁ ଦେଖି କେହି କେହି କହନ୍ତି, ଏ ଥିଲା ଦୌଡ଼ ରାଣୀ,ଆମ ଖଣ୍ଡ ମଣ୍ଡଳର ଓଡିଶୀ ନୃତ୍ୟ କୁଇନ।କିନ୍ତୁ...। ସେ ତାର ପ୍ରତିଭା ଆଜି ଅତୀତ ପୃଷ୍ଠାର ଏକ ପ୍ରଶଂସା ଚିତ୍ରଲେଖା।


 ଦୀର୍ଘଶ୍ଵାସଟାଏ ପକାଇ ଆଖିରୁ ଝରୁଥିବା ଲୁହକୁ ନିଜ ଓଢଣୀରେ ପୋଛି ନିଜକୁ ସାନ୍ତ୍ୱନା ଦେଲା ସେ। ଆଜି ତା ପାଇଁ ସବୁ ଅତୀତ,ସବୁ ଅତୀତ ବି ଶୁନ୍ୟ,ବର୍ତ୍ତମାନ ବି ଶୁନ୍ୟ ଆଉ ଭବିଷ୍ୟତ ବି ହେବ ଶୁନ୍ୟ। ଯାହାର ମୂଲ୍ୟ ଅଦୃଶ୍ୟ,କିନ୍ତୁ ନିରର୍ଥକ। ତାର କ୍ରୀଡା ହୋଇଗଲା ସ୍ବପ୍ନ, ତା ନୃତ୍ୟ ହୋଇଗଲା ସ୍ବପ୍ନ,ତା ଭଲପାଇବା ହୋଇଗଲା ସ୍ବପ୍ନ।ଯେଉଁଦିନରୁ ଗୋଡ଼ ଭାଙ୍ଗିଗଲା, ତା ଭଲ ପାଇବା ବି ଧୀରେ ଧୀରେ ଦୁରେଇଗଲା। ଅମ୍ଳାନ ଥିଲା କୋଟିପତି ସମ୍ଭ୍ରାନ୍ତ ଘରର ପୁଅ। ଏ ଗୋଡ଼ ବିହୀନ,ଗୁଣ ଲୋପ ପାଇଥିବା ପଲ୍ଲବୀ ଅର୍ଥାତ ଶୁଷ୍କ ପଲ୍ଲବୀ କୁ କାହିଁକି ପଚାରିବ।


 ସତରେ ସେ କଣ ଜନ୍ମ ନେଇଥିଲା କେବଳ ଦିବା ସ୍ବପ୍ନ ଦେଖିବାକୁ,ମରୀଚିକା ପଛରେ ଦୌଡ଼ିବାକୁ,ଉଦାହରଣ ଓ ଆଙ୍ଗୁଳି ନିର୍ଦ୍ଦେଶ ଦେଖି କିଛି ଶୁଣିବାକୁ।ଯେଉଁ ବାପା ତାର ଦିବାରାତ୍ର ସ୍ବପ୍ନ ଦେଖୁଥିଲେ ତା ଭବିଷ୍ୟତ ପାଇଁ ସେ ଭବିଷ୍ୟତ ତା ପାଇଁ ସ୍ବପ୍ନ ହୋଇଗଲା। ଯେଉଁ ପ୍ରତିଭାରେ ସମସ୍ତଙ୍କ ସ୍ବପ୍ନ ହଜିଯାଉଥିଲା ଆଜି ସ୍ବପ୍ନ ବି ତା ପ୍ରତିଭାକୁ ତାଛଲ୍ୟ କରୁଛି। ଏ ସଂସାରରେ ଭଗବାନ କଣ ନାହାନ୍ତି।ଆଖିରୁ ଝରିପଡୁଥିଲା ପଲ୍ଲବୀର ଅମାନିଆ ଅଝଟିଆ ଅଭିମାନୀ ଅଶ୍ରୁ ଟୋପାଗୁଡ଼ାକ।


 ହଠାତ୍ ଗାଡିର ଏକ ହର୍ଣ୍ଣ ଶୁଣି ସେ ଭୟ କରିଗଲା କାରଣ ଲାଗୁଥିଲା ତା ବାପାଙ୍କ ସେହି ନିତିଦିନିଆ ପରିଚିତ ଗାଡ଼ିର ହର୍ଣ୍ଣ। ଆଖିକୁ ଵିଶ୍ଵାସ କରିପାରିଲା ନାହିଁ। ଅମ୍ଳାନ ତା ପିତା ମାତା ଆସିଛନ୍ତି ତାକୁ ବଡ ଡାକ୍ତରଖାନାରେ ଅପରେସନ କରାଇବାକୁ। ଅମ୍ଳାନ ଓ ତାର ବାପା ମାଆଙ୍କୁ ଦେଖି ଭୋ ଭୋ କାନ୍ଦିଲା ଯେ ସେ କାନ୍ଦ ତ ବନ୍ଦ ହେଲାନାହିଁ,ତା ପାଟିରୁ କଥା ପଦୁ ଟିଏ ବି ବାହାରିଲା ନାହିଁ। ଫ୍ଲାଇଟ୍ ରେ ଚାଲିଲା ଦିଲ୍ଲୀ। ଅପରେସନ ପରେ ସେ ପାଇଲା ତା ଆଦରର ସ୍ବପ୍ନକୁ ଲୁଚାଇଥିବା ଗୋଡ଼।କିଛିଦିନ ପରେ ଅମ୍ଳାନ ଓ ତାର,-- ମର୍ଣ୍ଣିଂ ୱକ,ଅଭ୍ୟାସ ଓ ତା ଘରେ ନାଚର ମହକ, ନିଦାଘ ପରେ ସାମାନ୍ୟ ବର୍ଷାରେ ଥୁଣ୍ଟା ଗଛଟିରେ ପତ୍ର କଅଁଳିଲା ପରି ଲାଗିଲା।ଖୁବ୍ କମ୍ ଦିନ ଭିତରେ ପଲ୍ଲବୀ ହେଲା ପଲ୍ଲବିତ।ଯେଉଁଦିନ ନବ ଜୀବନରେ ପୁଣି ମଞ୍ଚକୁ ଉଠିଲା,ତାକୁ ଲାଗୁଥିଲା ତା ବାପା ମଞ୍ଚ ଉଢାଳରେ ଛିଡା ହୋଇ ଠାରି କହୁଛନ୍ତି, ଆରେ ପଲ୍ଲବୀ ଆଗକୁ ଚାହଁ,ଟିକେ ହସହସ ମୁହଁ କର। କଲେଜର ଦୌଡ଼ ପ୍ରତିଯୋଗୀତାରେ ଟ୍ରାକରେ ଛିଡ଼ାହୋଇ ସେ ପଡିଆ କୋଣକୁ ଦେଖୁଥିଲା,ତାକୁ ଲାଗୁଥିଲା ତା ବାପା ଯେମିତି ତାଳିମାରି କହୁଛନ୍ତି, ଆହୁରୁ ଜୋରରେ ଦୌଡ ପଲ୍ଲବୀ ଆହୁରି ଜୋରରେ। ଆଉ ପହଞ୍ଚିଲା ପରେ ଖୋଜୁଛି ତା ବାପାର ହାତ ଆଉଁସା ଓ ପାଟିରେ ଦେବା ଗ୍ଲୁକୋଜ ଆଉ ମୁହଁରେ ମାରୁଥିବା ପାଣି।


  ଯେଉଁ ଦିନ ଅମ୍ଳାନ ଘରକୁ ସେ ଗଲା ବୋହୁହୋଇ ପାଗଳି ପରି ଖୋଜୁଥିଲା ତା ବାପାର ହାତର ସ୍ପର୍ଶ ।କାନ୍ଦି କାନ୍ଦି ସ୍ମରଣ କରି ଖାଲି ଏତିକି କହୁଥିଲା, ଦେଖ ବାପା ତୁମ ସ୍ବପ୍ନ ସତ ହୋଇଛି,ମୋତେ ଟିକେ ସ୍ୱପ୍ନରେ ହେଲେ ବି ଆଶୀର୍ବାଦ କରନା । ସେଦିନ ସିନା ତୁମ ସ୍ବପ୍ନ ହଜିଯାଇଥିଲା,ଏଇ ଦେଖ..."ମୁଁ ପରା ତୁମ ସେଦିନର ସେଇ କଅଁଳିଆ ସ୍ୱପ୍ନଟିଏ।"



Rate this content
Log in

Similar oriya story from Tragedy