ସାହାଯ୍ୟ
ସାହାଯ୍ୟ
ସେଦିନ ଘରକୁ ଫେରିବାର ଥାଏ । ଉତ୍କଳରୁ ବାହାରୁ ବାହାରୁ ଟିକେ ଡେରି ହୋଇଗଲା । ଡେରି ହୋଇଗଲା ମାନେ ସଂଧ୍ୟା । ଶେଷକୁ ଶେଷ ବସ୍ କୁ ଆଶ୍ରା କରିବାକୁ ପଡିଲା । ମୋ ଭାଗ୍ୟ ଭଲ ଥିଲା ସେଇ ସେଇ ପହଞ୍ଚିଛି ତ ବସ୍ ଛାଡ଼ିବା ଛାଡ଼ିବା ହେଉଥିଲା । ଘରକୁ ଫୋନ୍ କରି ଜଣାଇ ଦେଲି ମୁଁ ବାହାରିଲି ବୋଲି । ବାପା କହିଲେ ମନୁ ଭାଇ କୁ ଛକ ପାଖକୁ ପଠାଇ ଦେବେ ଗାଡ଼ିରେ ମୋତେ ନେବା ପାଇଁ । ଗାଁ ପାଖ ଛକ ରେ ପହଞ୍ଚିବାକୁ ଆହୁରି ଦୁଇ ଘଣ୍ଟା , ମୁଁ ଏଥର ଆରାମ ସେ ଆଖି ବନ୍ଦ କରି ଶୋଇ ପଡ଼ିଲି ।
ମଙ୍ଗଳପୁର... ମଙ୍ଗଳପୁର ... ମଙ୍ଗଳପୁର କିଏ ରହିଲେ ମଙ୍ଗଳପୁର ... କଣ୍ଡକ୍ଟର ଡାକ ଆଉ ଗାଡ଼ି ହର୍ଣ୍ଣ ରେ ମୋ ନିଦ ଭାଙ୍ଗିଗଲା , ବ୍ୟାଗ୍ ଧରି ଓହ୍ଲେଇ ପଡ଼ିଲି । ସମୟ ରାତି ଆଠ ଟା । ଶୀତ ରାତି ସବୁ ଦୋକାନ ବଜାର ବନ୍ଦ ନହୋଇ ଥିଲେ ବି ସମସ୍ତେ ପ୍ରାୟ ବନ୍ଦ କରିବାର ଆୟୋଜନ କରୁଥାନ୍ତି । ଆଖି ବୁଲେଇଲି ଚାରି ଆଡେ଼ ମନୁ ଭାଇ କାଇଁ କୋଉଠି ଦେଖା ଯାଉନି । କଣ ଆସିନି କି ମୋତେ ନେବାକୁ ? ଡେରିରେ ବାହାରିଥିବ ଆସୁଥିବ ବୋଧେ ବାଟରେ । ମୋ ସାଙ୍ଗରେ ଯେତେ ଜଣ ଓହ୍ଲାଇଥିଲେ ସମସ୍ତେ ତାଙ୍କ ପ୍ରିୟଜନ ଙ୍କ ସହ ସବୁ ବାଇକ୍ ପଛରେ ବସି ସବୁ ଗୋଟେ ପରେ ଗୋଟେ ଚାଲି ଯାଉଥାନ୍ତି ।
ଏକଲା ଠିଆ ହୋଇ ଅପେକ୍ଷା କରି କି ବିରକ୍ତି ଲାଗିଲା ଶେଷ ରେ ବାପାଙ୍କୁ ଫୋନ୍ କଲି ।ବାପା ଙ୍କ ନମ୍ବର ବି ସ୍ବିଚ୍ ଅଫ୍ କହିଲା , ଏବେ ଆହୁରି ଟେନସନ୍ ବଢ଼ିଗଲା । କଣ କରିବି କଣ ନାଇଁ କିଛି ଚିନ୍ତା କରି ପାରିଲିନି କେହି ବି ଦେଖା ଯାଉନଥାନ୍ତି ଗାଁ ଫେରନ୍ତା ଲୋକ ଜଣେ । କେମିତି ଯିବି କଣ କରିବି ଏମିତି ଭାବୁ ଭାବୁ ସାମ୍ନା ଜଳଖିଆ ଦୋକାନରୁ ଜଣେ ୩୮/୪୦ ବର୍ଷର ଲୋକଟି ବାହାରି ମୋ ଆଡ଼କୁ ଚାଲି ଚାଲି ଆସି ପଚାରିଲେ ମୋତେ -" କୁଆଡେ ଯିବୁ ଝିଅ ? "
ଭଲକି ନିରିଖେଇ ଦେଖିଲି ଆମ ପାଖ ଗାଁ ଲୋକ ଜଣେ , ଥରେ ଅଧେ ଆମ ଗାଁ ରେ ବି ଦେଖିଛି ୟାଙ୍କୁ , ମୁଁ କହିଲି -" ମୁଁ ଗୋଜାବନ୍ଧ ଯିବି । ଆପଣ ? "
ସେ କହିଲେ -- " ମୋର ତମ ଗାଁ ପରେ ଆଉ ..ଆମ ଘର ଗୋଖାଖଟି । ତୁ ଏଇ ଗମେଣ୍ଟେ ବସ୍ ରେ ମୋ ସାଙ୍ଗରେ ଓହ୍ଲେଇଲୁ ବୋଧେ ? "
-" ହଁ , ଠିଆ ହେଲିଣି କେତେ ବେଳୁ , ବାପା ଜଣେ ଭାଇ ଙ୍କୁ ପଠାଇଥିଲେ ଯେ ତା'ର ଏ ପର୍ଯ୍ୟନ୍ତ ଦେଖା ନାହିଁ । ବାପାଙ୍କ ନମ୍ବର ବି ଲାଗୁନି । "
-" ଆଛା ଠିକ୍ ଅଛି ତୁ ବ୍ୟସ୍ତ ହଅନା ଦେଖିବା ଜଣେ ଦୁଇଜଣ ଗାଁ ପାଖ ଲୋକ କିଏ ଜୁଟିଗଲେ ଆମେ ଦୁହେଁ ପଳେଇବା "
ଢେର୍ ବେଳ ଯାଏ ଠିଆ ହେଲୁ ଦୁହେଁ କିନ୍ତୁ କେହି ଜଣେ ହେଲେ ବି ଗାଁ ପାଖ ଲୋକ ଦିଶିଲେନି ଯିଏ ଗାଡ଼ି ଵାଲା ଦିଶିଲେ ସମସ୍ତେ ତିନି ଜଣିଆ । ଗଲା ଆଜି ବେଳ ଖରାପ ପଡ଼ିଛି ଲାଗୁଛି ସେଥିପାଇଁ ଏ ପରିସ୍ଥିତି । ସମୟ ସାଢ଼େ ନଅଟା ହୋଇ ଗଲାଣି ସେତେବେଳକୁ । ଗୋଟେ ବାଇକ୍ ବାଲା ଆସିଲା କେତେ ବେଳକରେ ।
-" ଓଇ ...ପଞ୍ଚୁ କିରେ... ଶୁଣୁ .. ରହ ।
ମୋ ପାଖରେ ଛିଡା ହୋଇଥିବା ସେ ଲୋକଟି ଡାକିଲେ ।
ସେ ବାଇକ୍ ବାଲା ଟି ରହିଲା । ଯୋଗକୁ ସେ ଦୁଇ ଜଣ ଥିଲେ । କିନ୍ତୁ ଏ ଲୋକଟି ଯଦି ତା ସହ ଚାଲି ଯାଏ ତେବେ ମୁଁ ତ ପୁରା ଏକଲା ହୋଇଯିବି ଏଠି । ଭୟ ବି ଲାଗିଲା ମନରେ । କିନ୍ତୁ ସେ ଲୋକଟି ବାଇକ୍ ବାଲା କୁ କହିଲା -" ଆରେ ଏ ଝିଅକୁ ଗୋଜାବନ୍ଧ ରେ ଛାଡି ଦେବୁ ଟିକେ । "
ମୁଁ କହିଲି -" ଆପଣ ?"
ସେ କହିଲେ -" ମୁଁ ଚାଲି ଯିବିନି କାହା ସହ ତୁ ମୋ କଥା ଚିନ୍ତା କରନା , ତୁ ଯାଆ ଆଗ ଝିଅ ପିଲାଟା .. ।
ଏ ପଞ୍ଚୁ ରେ .. ଝିଅ ଟିର ଘର ପାଖ କୁ ଗାଡ଼ି ଟିକେ ଗଡ଼େଇ ଦେବୁ । "
ମୁଁ ମନେ ମନେ ଧନ୍ୟବାଦ ଦେଇ ଗାଡ଼ି ରେ ବସିଲି । ଘରେ ପହଞ୍ଚି ବୁଝିବା ବେଳକୁ ସେଠି ଗୋଟେ ଅଘଟଣ ଘଟି ଯାଇଛି । ମନୁ ଭାଇ ର ଗାଡି ଅଧା ବାଟରେ ଖରାପ ହୋଇ ଯାଇଥିଲା ଯେ ...ସେ ଗଡ଼େଇ ଗଡ଼େଇ ଆଣି ଏବେ ଘରେ ପହଞ୍ଚୁଛି , ସେ ବି ଫୋନ୍ ନେଇ ନଥିଲା ଏଣେ ବାପା ଙ୍କ ମୋବାଇଲ୍ ବେଟାରୀ ଡାଉନ୍ କରେଣ୍ଟ ବି ନାହିଁ ।ମୋ କଥା ସବୁ ଘରେ ଶୁଣି ସେ ଲୋକଟି ଉଦ୍ଦେଶ୍ୟ ରେ କହିଲେ, ଯାହା ହେଉ ଭଲ ଲୋକଟି ଉପକାର କଲା ।
××××××××××××××××
ଏ ଘଟଣା ର କିଛି ଦିନ ପରେ ସେ ଲୋକଟିକୁ ଦେଖିଲି କାଳିଆ ଦୋକାନ ରେ କଣ ଗୋଟେ କିଣୁଥିଲା । ମୁଁ ବି ଯାଇଥିଲି ଆଳୁ ପିଆଜ ଆଣିବାକୁ ତ ପଚାରି ଦେଲି -- " ସେଦିନ ମଙ୍ଗଳପୁରରୁ କେତେବେଳେ ଫେରିଲେ ?"
ସେ ତାଙ୍କ ବ୍ୟାଗ୍ ରେ ସଉଦା ପୁରାଇବା ସହ ଉତ୍ତର ଦେଲେ -" ଓ.. ସେଦିନ .. , ଆରେ କେହି ଆଉ ଜୁଟିଲେନି ସେଦିନ ଚାଲି ଚାଲି ଆସିଲି ଆଉ ... ।
ଆଶ୍ଚର୍ଯ୍ୟ ହେଲି , ଶୀତ ରାତି ସାଢ଼େ ନଅ ଦଶ ରେ ଏକଲା ଚାରି କିଲୋମିଟର ଚାଲି ଚାଲି ଆସିବା କିଛି ସହଜ କଥା ନୁହେଁ । ତାଙ୍କ କଥା ଶୁଣିବା ପରେ ତାଙ୍କ ପ୍ରତି ମୋ ହୃଦୟ ରେ କୃତଜ୍ଞତା ଆଉ ସମ୍ମାନ ଢେର୍ ବଢ଼ି ଯାଇଥିଲା ।