ଆଦ୍ୟ ଆଷାଢ଼
ଆଦ୍ୟ ଆଷାଢ଼
ଅନ୍ତରୀକ୍ଷେ ଚାହିଁ ଅନିମେଷ ନୟନରେ
ବେଦନା ବଖାଣିଲା ବିଶ୍ବମ୍ଭରା ଯେବେରେ
ଭରିଗଲା ଦୁଃଖ ମେଘବର୍ତ୍ମ ଅନ୍ତରରେ
ଭିଜିଲା ପୃଥିବୀ ବକ୍ଷ ତା'ର ଅଶ୍ରୃ ନୀରେ।
ଆଦ୍ୟ ଆଷାଢର ପାଇ ଶୀତଳ ପରସ
ନିଃଶେଷ ହୋଇଲା ବିଶ୍ବ ଭୂବନର କ୍ଲେଶ
ମହୀ ମଣ୍ଡଳେ ବର୍ଷଣର ଆତ୍ମପ୍ରକାଶ
ତାପକ୍ଲିଷ୍ଟା ବସୁଧାକୁ ଦେଲା ଯେ ଆଶ୍ବାସ।
କଜ୍ଜ୍ବଳ ଲୋଚନା ବରଷାର ଆଗମନ
ପୁଲକିତ କରିଦେଲା ଅବନୀର ମନ
ପ୍ରବାହିତ ହୋଇ ସୁଶୀତଳ ସମୀରଣ
ଦୂରିଭୂତ କଲା ନିଦାଘର ନିପିଡନ।
ସାଜି କଳା ବାଦଲର ପରାଣ ସଂଗିନୀ
କ୍ଷଣପ୍ରଭା ପ୍ରକାଶରେ ହୋଇଣ ରଙ୍ଗୀନି
ବରୁଣ ଦେବ ସୁକୁମାରୀ ରାଜ ନନ୍ଦିନୀ
ମର୍ତ୍ତେ ସଭିଙ୍କୁ କରିଲେ ପ୍ରେମରେ ବନ୍ଦିନୀ।
ଘନ ମେଘମାଳା ଶୂନ୍ୟ ପଥେ ଭାସି ଆସି
ଧରଣୀରେ ଢାଳିଲେ ଅଜସ୍ର ବାରି ରାଶି
ସଲୀଳ ଧାରା ପ୍ରବାହ ଭରିଲା ହରସ
ମାଟି ମୌସୁମୀ ମିଳନେ ସର୍ବେ ହେଲେ ତୋଷ।
ପିନ୍ଧି ପ୍ରକୃତି ରାଣୀ ସପ୍ତ ବର୍ଣ୍ଣି ବସ୍ତ୍ରକୁ
ଅର୍ଘ୍ୟଥାଳୀରେ ଘେନି ନାନା ବର୍ଣ୍ଣ ପୁଷ୍ପକୁ
ମଧୁର ସୁରେ ଗାଇଲା ମଙ୍ଗଳ ଗୀତକୁ
ପ୍ରଫୁଲ୍ଲିତ କରିଲା ସ୍ଥାବର ଜଙ୍ଗମକୁ।
ନୂତନ ସୃଜନ ସ୍ବପ୍ନେ ହେଲା ଅଭିଭୂତା
ପୂର୍ଣ୍ଣ ଯଉବନ ପ୍ରାପ୍ତ ବସୁମତୀ ମାତା
କଲ୍ୟାଣ କାରିଣୀ ରୂପେ ହୋଇ ଆର୍ବିଭୂତା
ହୋଇଲା ଶ୍ୟାମଳ ସୁଷମାରେ ବିମଣ୍ତିତା।
ଦେଖି ଚକ୍ଷୁ ଯୁଗଳେ ସୃଷ୍ଟି କାରିଣୀ ବେଶ
କୃଷକ ଭାଇର ଓଠରେ ଫୁଟିଲା ହସ
ଉଦ୍ୟାନ ପାଇଲା ନବ ପଲ୍ଲବ ଆଶ୍ଳେଷ
ଚତୁର୍ଦ୍ଦିଗେ ଭରିଲା ସବୁଜ ଦୁବ ଘାସ।
ଶୁଣି ମୃଦୁ ମନ୍ଦ୍ର ଧ୍ବନି ମେଘ ମହ୍ଲାରର
ମୟୂରୀ ହୃଦେ ଭରିଲା ଆନନ୍ଦ ଅପାର
ଦୂର ହେଲା ମନସ୍ତାପ ଚାତକ ପକ୍ଷୀର
ପାଇଲା କି ସତେ ସେ ସ୍ପର୍ଶ ସଞ୍ଜିବନୀର।
ଶିରାବଣ ବାରି ଧାରା ସଙ୍ଗୀତ ମୂର୍ଚ୍ଛନା
ସୌନ୍ଦର୍ଯ୍ୟ ପ୍ରୀତି ଭରିଲା ମନେ ବାସନା
କବି ହୃଦୟକୁ କରିଦେଇ ଆନମନା
ଉଦ୍ଭଟ କଲା ଅଦ୍ୱିତୀୟ ପରିକଳ୍ପନା।