ଅଂଶୁଘାତ
ଅଂଶୁଘାତ
ଜଳୁଛି ଆକାଶ ଜଳୁଛି ବତାସ
ସରିତା ସରଣୀ ଧରା,
ତାପ ତପନର ପ୍ରଖରୁ ପ୍ରଖର
ଅତିଷ୍ଠ ସଂସାର ସାରା।
ସରିନି ଚଇତ ମରିନି ବସନ୍ତ
ପଳାସ ଓଠରେ ହସ,
ଫିକା ହେବା ଆଗୁଁ ଫଗୁଣର ରଙ୍ଗ
ଅଂଶୁମାଳୀ ଅଟ୍ଟହାସ୍ୟ।
ବିକଶିବା ଆଶା ଝୁଲୁସା ଝୁଲୁସା
ଡେମ୍ଫର ଶୁଖିଲା ଲୁହ
କୋମଳ କଳି ର କଅଁଳିବା ଆଗୁଁ
ମଉଳିଯିବାର ଭୟ।
ଏ'କି ଅପଗତି ଅବା କି ଦୁର୍ଗତି
କେଉଁ କୁକରମ ଫଳ,
ବିକାଶ ପୀୟୂଷ ପାତ୍ରେ କି ଦ୍ରବିତ
ବିନାଶର ହଳାହଳ।
ପ୍ରକୃତିକୁ ଚିରି କ୍ଷୀନ୍ନଭିନ୍ନ କରି
ପ୍ରଗତି ପାଇବା ଆଶା,
ଅଂଶୁଘାତେ ମାତ୍ର ମଉଳି ଯିବ କି
ବିକାଶର ପରିଭାଷା।
ଆତ୍ମରକ୍ଷା ଅର୍ଥ ଉପାୟ ନିମିତ୍ତ
ମାନବ ସିନା ସମର୍ଥ,
ନିରୁପାୟ ଅତି ନିରୀହ ପ୍ରକୃତି
ପର୍ଯ୍ୟାବରଣ ବିଧ୍ୱସ୍ତ।
ଯେତେ ବା ଯତନ କଲେ ବି ନିଉନ
ହେବ ଉବୁରିବା ଆଶ,
ତଥାପି ପ୍ରୟାସ କରିବ ସାବ୍ୟସ୍ତ
ସନ୍ତୁଳିତ ପରିବେଶ।
ପ୍ରକୃତି ବଞ୍ଚିଲେ ପ୍ରାଣୀ ବି ବଞ୍ଚିବେ
ଆଶା ଅଂଶୁ ଉକୁଟିବ,
ଅଂଶୁଘାତ ବାଧା ରୋଧିବାର ସ୍ପର୍ଦ୍ଧା
ଅଂଶୁଘାତକୁ ରୋଧିବ ।