ବେଙ୍ଗ ବାହାଘର
ବେଙ୍ଗ ବାହାଘର
ବେଙ୍ଗ କି ଜାଣଇ ବିବାହ ବନ୍ଧନ
ଗାଁ ଦୁଲୁଦୁଲୁ କଲେ
ଡିଜେ ବାଜାସଙ୍ଗେ ମାତାଲ ନାଚରେ
ଡେଉଁଛନ୍ତି ଦେଖ ପଲେ ।
ମାଡ଼ି ବସିଛନ୍ତି ବେଙ୍ଗକୁ ସୁଜନେ
ସତେ ଛାଡ଼ିକି ଯିବ ପଳାଇ
ବେଙ୍ଗୁଲୀ ଗୋଡ଼ରେ ଟାଣ ଦଉଡ଼ି
ଟାଇଁ ଟାଇଁ କରୁଥାଇ ।
ଦାଣ୍ଡ ମଝିରେ ରାସଲୀଳା ତାଙ୍କ
ଦେଖି ସହିଲାନି ମନ
ସମାଜ ସେବାରେ ଲାଗିପଡ଼ିଛନ୍ତି
ଚାରି ପ୍ରେମିକାର ଧନ !
ରୋଳା କରୁଛନ୍ତି ଦେଖଣାହାରୀଏ
ଫୁଲମାଳ ଆଣ ଆଣ
ଧରମ ବାପାଏ ପିନ୍ଧନ୍ତି ମୁକୁଟ
ବରକନ୍ୟାର କି ଭାଗ୍ୟ ଜାଣ !
ଜାତିଗୋତ୍ର ପିତା କେହି ନ ପଚାରେ
ବେଙ୍ଗ କୁଳରେ ଜନମ ତା'ର
ବେଙ୍ଗୁଲୀ ମଣଇ କି ବେଙ୍ଗ ମିଳିଲା
ମଣିଷ କରୁଛି ମୋ ବାହାଘର !
ଗୋସେଇଁ ବୋଲନ୍ତି ମନ୍ତ୍ର ଫଟାଫଟ
ମେଘ ଏଇ ଅବା ଦେବ ଢାଳି
ଚାଷବାସ ନାହିଁ ବରଷା ଅଭାବେ
ଚାଷୀ ଧରିଛନ୍ତି ଜପାମାଳି ।
ବିଶ୍ୱାସରେ ଅନ୍ଧ ଏମନ୍ତ ମଣିଷ
ଅନ୍ଧ ବିଶ୍ୱାସରେ ହୁଏ ବାଇ
ବେଙ୍ଗ ବାହାକଲେ ଧନ୍ୟ ହେବ ସିଏ
ମେଘ ବରଷିବ ବାରି ହୋଇ !