ବନ୍ଧୁତା
ବନ୍ଧୁତା
ବନ୍ଧୁତା ଗୋଟିଏ ବିଶ୍ୱାସ ପକ୍ଷୀ
ଆଦର ପାଇଲେ ପାଖ ନ ଛାଡ଼େ,
କଅଁଳିଆ ଡେଣା କୋମଳ ମନ
ଟିକିଏ ଆଘାତେ ଭାଙ୍ଗିପଡ଼େ ।
ଅଭିମାନନୀ ସେ ଭାରି ଫୁଲେଇ
ମନରେ ମନକୁ ଘଷଇ ନିତି
ମଣି ମାଣିକ ତା ଆଗେ ତୁଚ୍ଛ
ତା ପାଖେ ବଡ଼ ସେନେହ ପ୍ରୀତି ।
ହୃଦୟ ଟି ତାର ବନ୍ଧା ପଡ଼ଇ
ଶାଶ୍ୱତ ପ୍ରେମରୁ ଟିକେ ପାଇଲେ
ସରଗ ଶଶୀ ତା ହାତେ ଖସେ
ଦରଦୀ ବନ୍ଧୁଟେ ଜୀବନେ ମିଳିଲେ ।
ଦେବାରେ ଆନନ୍ଦ ତା ପାଖେ ଠୁଳ
ଫେରସ୍ତରେ ଚାହେଁ ଟିକିଏ ସେହ୍ନ
ବାଣ୍ଟିବାକୁ ହୃଦ ସେ ଭଲ ପାଏ
ତା ଭାଵ ପୋଖରୀ ଗୋଳିଆ ନୁହଁ ।
ବନ୍ଧୁତା ସୁଆଦ ଆହା କି ମିଠା
ଚାଖିଲେ ପାଟିରୁ ନଛାଡ଼େ କା'ର
ପ୍ରକୃତ ବନ୍ଧୁତା ଚିର ସୁନ୍ଦର ଅଟେ
ନିରୋଳା ନିଆରା ଏହାରି ଡୋର ।
ଦୂର ବା ନିକଟ ଚିହ୍ନା ଅଚିହ୍ନା
ଯେତେ ଅଛ ବନ୍ଧୁବର୍ଗ ମୋହର
ଏ କବିତା ଖାସ୍ ତୁମରି ପାଇଁ
ହୃଦ ଭେଟି ସାଦରେ ଘେନା କର ।