ଛି ଛି ମୋର ମାନବ ଜନମ !
ଛି ଛି ମୋର ମାନବ ଜନମ !
ତୁମ ଲାଗି ନୂଆ ଦୁନିଆଁ ଦେଖୁଛି ହସୁଛି ଖେଳୁଛି କହୁଛି
ତଥାପି ନିଜର ପାରିବା ପଣିଆ ସଭିଙ୍କୁ ଗରବେ କହିଛି !
ଦେଖେଇ ହୋଇଛି ମୁଁ ଯେଡେ ନୁହେଁ କାଗଜ ବାଘ ମୁଁ ହୋଇଛି
ବାଘଖୋଳ ପାନ୍ଧି ଶୃଗାଳ ଟାଏ ମୁଁ ନୀଳବର୍ଣ୍ଣ ଢାଳି ଦେଇଛି !
ମନେ ମନେ ଛାତି ମୋର କୁଣ୍ଡେମୋଟ ମିଛ ପରଶଂସା ପାଉଛି
ଅଳପ ବିଦ୍ୟାରେ ବୋଲାଏ ପଣ୍ଡିତ ଲୋକଙ୍କୁ ବୋକା ମୁଁ କରିଛି !
ମିଛ ତାଳି ମିଛ ବାହାଦୁରି ନେଇ ଗରବେ ମୋ ଛାତି ଫୁଲିଛି
ସବୁଠାରୁ ମୁଁ ବଡ ହେବି ବୋଲି ଯେତେ ଛୋଟ କାମ କରୁଛି !
ଅଲାଜୁକ ମୁହେଁ ଯେତେ ମୋର ବଥ ତାକୁ ଛାଇ ବୋଲି ଭାବୁଛି
ଅପମାନକୁ ମୁଁ ସନମାନ ଭାବି ନିଜଗୁଣ ନିଜେ ଗାଉଛି !
ନିଜ ବଡପଣ ନିଜର ଗାରିମା ବିଜୟ ପତାକା ଉଡୁଛି
କାହିଁକି ଏମିତି ହେଲି ହେ ଠାକୁରେ ଦିନେ ହେଲେ କି ମୁଁ ଭାବୁଛି ?
କେତେ ଉଠାବସା କାହାକୁ କରିବି ନିଜେ ଉଠବସ ହଉଛି
ତୁମର ମୁଁ ହାତ କଣ୍ଢେଇ ହେଇ କି ସମସ୍ତଙ୍କୁ ମୁଁ ନଚାଉଛି !
ନାଚିବାର ବେଳ ଆସୁଛି ଆଗକୁ ତଥାପି ଗରବ ରହିଛି
ଛି ଛି ମୋର ମାନବ ଜୀବନ ତମକୁ ପାଶୋରି ଦେଉଛି !