ଧ୍ଯାନମଗ୍ନା ଶୀତରାଣୀ
ଧ୍ଯାନମଗ୍ନା ଶୀତରାଣୀ
ଆସିଲେ ବି ବାରବାର ପ୍ରତିବର୍ଷ ସମୟରେ
ଭିନ୍ନ ଲାଗେ ଶୀତରାଣୀ ପ୍ରକୃତି ସ୍ବରୂପ ,
ତଟିନୀର ସ୍ରୋତ ପରି ଚିରନ୍ତନୀ ଋତୁରାଣୀ
ଛୁଇଁଦେଇ ହୋଇଯାଏ ଅଦୃଷ୍ଟେ ଅଦୃଶ୍ଯ ।
ଉଡିବୁଲେ ମନପକ୍ଷୀ ଉଷୁମ ପଶମ ଢାଙ୍କି
ଖୋଜୁଥାଏ ସ୍ନେହାଶିଷ ଆଦର ଆତମା ,
ବରଫ ଚଦର ପାତି ନୀରବ ନିଶ୍ଚଳ ଚିନ୍ତି
ରହିଥାଅ ଶୀତରାଣୀ ତୁମେ ଧ୍ଯାନମଗ୍ନା ।
ଲାଗେ କମ୍ପ ଥରଥର ଭୀଷଣ ଚରମ ଜାଡ
ସ୍ପର୍ଶ ତୁମ ନୁହଁ କିନ୍ତୁ ପ୍ରାଣକୁ ବାଧକ ,
ଦେଇଯାଅ ଉପହାର ମଳୟ ମୃଦୁ ସମୀର
ଶୀତରାଣୀ ଅଟ ତୁମେ ମଙ୍ଗଳ ଚିନ୍ତକ ।
କେବେ ପୁଣି ହୋଇ ଖୁସି ଉପବନେ ଉଠ ହସି
ଚହଟେ ଗୋଲାପ ରଙ୍ଗ କ୍ଷେତ ସୁନାଶସ୍ଯ,
ଭୁଲି ହୁଏ ନାହିଁ ତୁମ ଅବଦାନ ଜୀବନରେ
ପ୍ରତି ହୃଦୟ କନ୍ଦରେ ତୁମରି ନିବାସ ।।