ଦୁଇ ପାଖୁଡ଼ା ସୁରଭି
ଦୁଇ ପାଖୁଡ଼ା ସୁରଭି
ତୁମ ଦୁଇ ଓଠ ପାଖୁଡାର ସୁରଭି
ଆଘ୍ରାଣି ନେଲେ ଥରେ
ମନ ମୂଲକରେ ଅୟୁତ ପୁଲକ ଛବି
ପାଦ ପଡେ ନାହିଁ ଭୂଇଁରେ
ଉଡୁଥାଏ ସ୍ମୃତି ଗଗନରେ ମଗନରେ
ଅଫୁରନ୍ତ ପୁଲକରେ ଡେଉଁଥାଏ ନାଭି ।
ସେମିତି ଦେଖିଲେ
ଦୁଇ ଫଡ଼ା ଶେତା ଓଠ
ଫାଟି ଦରା ଦରା
ସହି ନ ପାରି ବାଘୁଆ ଶୀତ
ପାରୁ ଉଠୁଥାଏ କାଠରୁ ଯେପରି
କେରା କେରା ଟୁକୁରା ମୁଗୁରା ।
ଭାବିଲେ ନିହାରିଲେ
ଗୋଲାପୀ ପାଖୁଡ଼ାର ଚିତ୍ରପଟ
ପୁଣି ନାଲି ଲିପଷ୍ଟିକ ଲେପିଗଲେ
ଯୌବନ ଉତୁରା ପୁଷ୍ପଫାଳ
ବାତାୟନ ଫାଙ୍କରେ ବଦ୍ଧ ପାଗଳ
କାମୁକ ଭଅଁର ଚୁମି ଦିଅନ୍ତା କି
ପ୍ରେମୀକ ପ୍ରବର ଲମ୍ପଟ ।
ଆହୁରି ତଳେଇ କଣେଇ ଚାହିଁଲେ
ସେଓର ଦୁଇ ଫାଳ
ପୁରିଲା ପୁରିଲା ନରମ ଶତଦଳ
ତୁମ ଦେହ ଦେହଳୀର ଭୂଗୋଳ
ଆଜି ବି ଦିଶିଯାଏ ଲୋଭ୍ୟ ମାଂସଳ
ନହୁଲି ବୟସର ଭାର ବୋହି ବୋହି
କୋମଳ ବିମ୍ବୋଷ୍ଠ ଲାଗୁଥିବ ଭାରି ଦୁର୍ବଳ ।
ଶେଷ ଶ୍ରାବଣର ଝଡି ବରଷା
ଅନେକ ଥର ଭିଜେଇ ଥିବ
ତୁମ ଦୁଇ ପାଖୁଡ଼ା ଓଠଘଷା
ଗାଧୁଆ ବେଳରେ ନିତି
ଝରି ଯାଇଥିବ ଡେଇଁ ସାରିଥିବ
କେତେ ଯେ ପାଣି ବାୟାଣୀ
ଉଡିଥିବ ହଁସା
ନୀଳ ନୟନରୁ ଖସିଥିବ
କେତେ ଯେ ଲହୁ ଲୁହ
ଡେଇଁ ଓଠ ଭୂଇଁ
ଧାଇଁଥିବେ ବାଙ୍ଗମୟ
ଢୋକେ ପିଇଥିବ ଆକଣ୍ଠ
କିଛି ଛାଣିଥିବ ବାଷ୍ପକଣ୍ଠ
ଅଳ୍ପ ଚାଖିଥିବ ନୀଳକଣ୍ଠ
ସାଇତି ରଖିଥିବ କେଇ ଟୋପା
ମନ ପେଟରା ଗମ୍ଭୀରା ଭିତରେ
ଅନନ୍ତ ଶୟନ ଶାନ୍ତି ସ୍ୱରୂପା ।
ଦୁଇ ହଳ ଓଠର ଯୁଗଳ ମେଲଣ
ମୋତେ ଲାଗେ
ବେପଥୁ ଶିହରଣ
ଶବ୍ଦହୀନ ଉତ୍ତରଣ
ମୁଁହ ମୟୂଖର ସିଂହ ଦ୍ଵାର
ବନ୍ଦ ହେଲେ ସ୍ଥିର ସୁନ୍ଦର
ଖୋଲିଲେ ବାକ୍ୟ ବାଟୁଳିରେ ଅସ୍ଥିର
ଓଠର ଦରୋଟି ଭାଷା
ଇସାରାରେ କହେ ମାଗେ ଅଙ୍କଘଷା
ରାଗିଥିଲେ ରୋଷିଥିଲେ
କୋମଳାଙ୍ଗରେ ବିଦ୍ରୋହର ହିଲ୍ଲୋଳ ପସା
ପଢି ପାରିଲେ ବୁଝି ପାରିଲେ
ଅକଥିତ ଇଙ୍ଗିତ ଅଳ୍ପ
ଓଠ ଦୁଇ ଫାଳ
ଲାଗିବ ଶ୍ରୀଫଳ
ଯୋଡିବ ଫେଭିକଲ ଅଠା ଭଳି ଜୀବନ ସ୍ଵଳ୍ପ ।