ଜୀବନ ଏକ ଅନୁଭବ
ଜୀବନ ଏକ ଅନୁଭବ
ମୁଁ ଥାଏ ସବୁଠାରେ, ସମ୍ମୋହନ ରେ,
ପୁଣି ସନ୍ୟାସ ରେ
କୃତାଞ୍ଜଳୀ ପୁଟରେ ମୁଁ କେବେ ପ୍ରାର୍ଥନା କରୁଥାଏ
ଭଗ୍ନମନ୍ଦିର ମୁଖଶାଳା ରେ,କେବେ
ଶlଳଭଞ୍ଜିକା ର ଛନ୍ଦ ରେ ମୁଁ ନଟୀ ହୋଇ ନାଚୁଥାଏ
କେବେ ନିବିବନ୍ଧ ଖସିପଡ଼ିଥିବା କାଳିସୀ ରୂପରେ l
ମୋତେ ଆଉ ଖୋଜନା ତ୍ୟାଗକରି
ପୁତ୍ରକନ୍ୟା, ରାଜବାଟୀ,
ମୁଁ ନଥାଏ ତୁମ ଇପ୍ସିତ ମୋକ୍ଷ ରେ
ଅବା ନିଜେ ଗଢ଼ିଥିବା
ପାପପୂଣ୍ୟ ର ନିଃସଙ୍ଗ ରାସ୍ତା ରେ l
ଅନୁଭବ ର ଦ୍ଵିଜତ୍ୱ ରେ ସୁଦ୍ଧା
ଯେଉଁଠି ନତଜାନୁ ଯଯାତି ମାନେ
କରିବାକୁ ଯୌବନ କୁ ଦୀର୍ଘ
ଆପଣାନ୍ତି ଅନ୍ୟାୟ ର ପଥ
ସେଠାରେ ମୋର ହିରଣ୍ମୟ ସ୍ପର୍ଶ ପାଇଁ
ତୁମେ ବିତାଇଦିଅ ସାରା ସମୟ
ସମ୍ମୋହନ ର ବର୍ଷାକାଳ,ଚେତନା ର ମେଘ ଡମ୍ବରୁ
ଅବଚେତନର ଅଵଗୁଣ୍ଠନ ରେ l
ଅଥଚ ତୁମେ ବୁଝିପାରନl ମୋତେ ଅବା
ମୋର ମହିମ୍ନ ଅସ୍ତିତ୍ବ କୁ ଛୁଇଁପାରନାଁ
ଠିକ ପଦ୍ମପତ୍ର ପରି,
ବରଂ ଗୋଟେ ମହାର୍ଘ ଅନୁଭବ ର ସାନିଧ୍ୟ ପାଇଁ
ତୁମେ ଜନ୍ମନିଅ ନଷ୍ଟଲଗ୍ନ ରେ, ବାରମ୍ବାର
ଚଉରାଶୀ ଲକ୍ଷ ଜନ୍ମଚକ୍ର ରେ
ତେଣୁ ଘୁରିବୁଲୁଥାଅ
ପୃଥିବୀ କକ୍ଷ ରେ l