କବିତା ରୂପରେ ଲେଖିଚାଲିଛି
କବିତା ରୂପରେ ଲେଖିଚାଲିଛି
ଭାବୁଛି କିପାଇଁ ତୁମକୁ ଏତେ ମୁଁ
ନିଜେ ବି ମୁଁ ଜମା ବୁଝିପାରୁନି
କଳ୍ପୁଛି କାହିଁକି କଳ୍ପବଟ ଚିତ୍ର
ତୁମ ସପନରେ,କିଛି ନ ଜାଣି ।
ଜହ୍ନରାଇଜରେ ଘର କରିବାକୁ
କାହିଁକି ତୁମରି ଛବି ଆଙ୍କୁଛି
ଜହ୍ନ ତ ତୁମର ସାତ ସଉତୁଣୀ
ତୁମ ରୂପ ଆଗେ ସିଏ ଲୁଚୁଛି ।
ଗୋଲାପି ଗୋଲାପି ରଙ୍ଗଓଢଣିରେ
ତୁମରି ଗଭାକୁ ଲୁଚେଇଦେବି
ଗୋଲାପ ଲୁଚୁଛି ତୁମ ପଣତରେ
ଲାଜରେ ,କେମିତି ତାକୁ କହିବି ।
କଇଁ ହୃଦୟରେ ଅତି ସରାଗରେ
ଜହ୍ନର ଜୋଛନା ପରଖୁଥିଲି
ତୁମ ହୃଦୟଟି କଇଁଠୁ କୋମଳ
ନିଜ ଜୋଛନାରେ ଭିଜେଇଦେଲି ।
ଇନ୍ଦ୍ରଧନୁ ଦେହ ସାତରଙ୍ଗ ନେଇ
ଭାବୁଛି ତୁମରି ଅଗଣା କଥା
ସେ ଅଗଣା ଆଗେ ଇନ୍ଦ୍ରଧନୁ ରଙ୍ଗ
ଫିକା ପଡ଼ିଯାଇ ନୁଆଁଏ ମଥା ।
ଶ୍ୱେତପଦ୍ମ ପୁଷ୍ପ ସୁରଭିକୁ ନେଇ
କେମିତି ତୁମକୁ ମହାକାଇବି
ତୁମେ ନିଜେ ପରା ଶ୍ୱେତପଦ୍ମଗନ୍ଧା
ତୁମ ସୁରଭିରେ ନିଜେ ହଜିବି ।
ଲକ୍ଷ୍ମୀନିବାସର କଳ୍ପନା କରିଛି
ତୁମେ ଲକ୍ଷ୍ମୀ ,ତୁମେ ସାଗର କନ୍ୟା
ସେଇ ଉଆସରେ ସକାଳ ସଞ୍ଜରେ
ଛୁଟୁଥିବ ଲକ୍ଷ୍ମୀ ବାସର ବନ୍ୟା ।
ଲକ୍ଷ୍ମୀ ତୁମେ,ମୁଁ ତ ନୁହେଁ ନାରାୟଣ
କେମିତି ଏ ସବୁ ଭାବି ପାରୁଛି
ନିଜେ ମୁଁ ଜାଣୁନି, ବୁଝି ବି ପାରୁନି
କବିତା ରୂପରେ ଲେଖିଚାଲିଛି ।