ମାତୃରୂପେ ଭଗବାନ
ମାତୃରୂପେ ଭଗବାନ
ଅନ୍ଧୁଣୀ ମାଆ ତା ଏକୋଇର ବଳା
ଧରି ରୁହେ ଏକ ଠାରେ,
ଏକା ଛାଡ଼େ ନାହିଁ ବିଦ୍ୟାଳୟେ ମଧ୍ୟ
ନିଜେ ଯାଏ ତା ସାଥୀରେ ।
ଦିନେ ବିଦ୍ୟାଳୟୁ ଫେରିବା ଉତ୍ତାରେ
କହୁଛି ପୁଅ ମାଆକୁ,
କାଲିଠୁଁ ମୋ ସାଥେ ଯିବୁନି ସ୍କୁଲକୁ
ଭଲ ଲାଗୁନି କାହାକୁ ।
ଅନ୍ଧୁଣୀର ପୁଅ କହି ସେ ଚିଡ଼ାନ୍ତି
ଲାଗୁଅଛି ଅପମାନ,
ହୃଦେ ବେଦନାକୁ ଚାପିରଖି ମାଆ
ଗଲା ନାହିଁ ପରଦିନ ।
ପାଠ ପଢି ପୁଅ ବଡ଼ ଅଫିସର
ହେଲାଣି ଦଶ ବରଷ,
ଲେଉଟି ନାହିଁ ସେ ମାଆ ପାଖକୁ ତା
ନାହିଁ ମନେ ଅବସୋସ ।
ବିଦ୍ୟାଳୟେ ହୁଏ ପ୍ରତିଷ୍ଠା ଦିବସ
ପୁଅ ତା ମୂଖ୍ୟ ଅତିଥି,
ଅନ୍ୟ ହାତେ ଚିଠି ଲେଖି ମାଁ ପଠାଏ
ପୁଅ ପାଖକୁ ଝଟତି ।
ଧନରେ ଜାଣିବୁ ଜନ୍ମରୁ ତୁ ଅନ୍ଧ
ଜାଣିଲି ଏହା ଯେମନ୍ତେ,
ଦେଲି ଡାକ୍ତରଙ୍କ ପରାମର୍ଶ କ୍ରମେ
ନିଜ ଚକ୍ଷୁ ଯୋଡ଼ି ତୋତେ ।
ତୋ ଆଖିରେ ସାରା ଦୁନିଆଁ ଦେଖିବି
ମନରେ ଥିଲା ମୋ ଆଶା,
ସ୍ବାର୍ଥେ ହୋଇ ଅନ୍ଧ ଭୁଲିଲୁ ମାଆକୁ
ଭାଙ୍ଗିଦେଲୁ ମୋ ଭରସା ।
ଚିଠି ପଢ଼ି ପୁଅ କାନ୍ଦିଉଠି ଧାଏଁ
କ୍ଷମା ମାଗିବାକୁ ମାଁକୁ,
ମାଁ ପାଶେ ପହଞ୍ଚି ଦେଖେ କ୍ଷମାଦାତ୍ରୀ
ଗମିଛି ପର ଲୋକକୁ ।
ପ୍ରତି ବାପା ମାଆ ସନ୍ତାନଙ୍କ ପାଇଁ
ଦେଇଥାନ୍ତି ଆତ୍ମାହୂତି,
ବୁଝିବା ବେଳକୁ କିଛିବି ନଥାଏ
ଲୁହ ଏକମାତ୍ର ସାଥୀ ।