ମୋ ଗାଁ
ମୋ ଗାଁ
(ରାଗ -ଶଙ୍କରାଭରଣ )
ଶ୍ୟାମଳ ଶୋଭିତ ରୂପ ସଦା ହସ ହସ
ଯା ଧୂଳି ପରଶେ ଲାଗେ ଅlସ୍ୱାଦେ ପୀୟୂଷ,
ତା କୋଳେ ଜନମ ମୋର
ମୋ ପାଇଁ ସରଗ ସିଏ ମରତ ଭୂଇଁର |1|
ସବୁଠୁ ସୁନ୍ଦର ଲାଗେ ମୋତେ ମୋର ଗାଆଁ
ହୃଦୟରେ ଭରେ ପ୍ରୀତି ତା' ମଧୁର ଛୁଆଁ,
ଚିର ହlସ୍ୟମୟୀ ସିଏ
ନିଜ କୋଳେ ତୋଳିନିଏ ମାଆ ପରି ଯିଏ |2|
ଦକ୍ଷିଣରେ ଘେରିଅଛି ପାହାଡର ମାଳା
ଶ୍ୟାମଳ ତରୁରେ ଭରା ରୂପ ତା ଅକଳା,
ବନ୍ୟ ଜୀବେ ଦିଏ ଆଶ୍ରା,
ମୋ ଗାଆଁର ମଥାମଣୀ ପରି ସେ ଶୋଭିତା |3|
ଉତ୍ତର ଦିଗରେ ବହେ ବ୍ରାହ୍ମଣୀର ଧାରା
କାଶତଣ୍ଡୀ ଫୁଲ ହସେ ନଦୀ ପଠାସାରା,
ମନ ନିଏ ସଦା ମୋହି,
ଶ୍ୟାମଳ ଫସଲେ ଜଳ ଆବଶ୍ୟକେ ଦେଇ |4|
ସୁନ୍ଦର ମନ୍ଦିର ଶୋହେ ମୋ ଗାଆଁ ମାଟିରେ
ଜଗନ୍ନାଥ,ଶୂନ୍ୟବ୍ରହ୍ମ, ଶିବ ଆସ୍ଥାନରେ,
ନିତି ପୂଜା ଯେ ହୁଅନ୍ତି,
ମଙ୍ଗଳା ସାକ୍ଷାତ ଦେବୀ ଅଛି ଜନଶ୍ରୁତି |5|
ମୋ ଗାଆଁର ଚାରିପଟେ କୃଷିକ୍ଷେତ୍ର ଅଛି
ବର୍ଷସାରା ଫସଲରେ ଶୋଭିତ ରହୁଛି,
ଅନ୍ନ ଦିଏ ଯେ ଯୋଗାଇ,
ଲଷ୍ମୀଙ୍କ କୃପାରୁ ଦିନ ସୁଖରେ କଟଇ |6|
ଭୁଲି ହେବନାହିଁ କେବେ ମୋ ଗାଆଁର ସ୍ମୃତି
ପିଲାଦିନ ଧୂଳି ଖେଳ ସାଙ୍ଗସାଥି ପ୍ରୀତି,
ପର୍ବପର୍ବାଣୀର କଥା,
ମନେ ପଡି ଦୁରକରେ ଜୀବନର ବ୍ୟଥା |7|
ଅନ୍ତିମ ନିଶ୍ୱାସ ଯେବେ ଖେଳିବ ସମୀରେ
ମୋ ଗାଆଁ ମାଟିରେ ଥିବି ଶୋଇ ନିଶ୍ଚିନ୍ତରେ,
ନିରବୀ ଯିବ ମୋ ଗାଆଁ
ମଶାଣିରେ ଜଳୁଥିବ ଯେବେ ଜୁଇ ନିଆଁ |8|