ମୋ ମାଆ
ମୋ ମାଆ
ନଭଠୁ ବିଶାଳ ମୋ ମାଆର କୋଳ
ବାଣ୍ଟେ ସେ ଅମାପ ସୁଖ
ପୁଣ୍ୟର ଝୁଲଣା ତା' ସ୍ନେହ ଅଗଣା
ହରି ନିଏ ସବୁ ଦୁଃଖ l
ଧରିତ୍ରୀ ଠୁ ବଡ଼ ମୋ ମାଆର ନୀଡ଼
ଲାଗେ ଭାରି ଆପଣାର
ମମତାର ସିନ୍ଧୁ ଭରସାର ବନ୍ଧୁ
ନାହିଁ ତାର ପଟ୍ଟାନ୍ତର l
ଜହ୍ନ ଠୁ ଶୀତଳ ଫୁଲ ଠୁ କୋମଳ
ସ୍ପର୍ଶ ତା' କୁହୁକଭରା
ସନ୍ତାନ ରଙ୍କୁଣୀ ପ୍ରେମର ବାୟାଣୀ
ଡାକ ତା'ର ମଧୁଝରା l
ମୋ ମାଆ ପଣତ ଶ୍ରୀମନ୍ଦିର ନେତ
କରୁଣାର କଳ୍ପବଟ
ସୁସ୍ୱାଦୁରେ ନେସା ତା' ହାତ ପରସା
ଭରଇ ଭୋକିଲା ପେଟ l
ଅନ୍ଧାରେ ଆଲୋକ ମୋ ମାଆର ଡାକ
ତା' ପରିକା ନୁହେଁ କେହି
ତା' ମନ କଣ୍ଢେଇ ଦିଅଇ ଭଣ୍ଡେଇ
କେତେ ରାତି ଚେଇଁ ରହି l
କେତେ ଯେ' ମଧୁର ସେ ଦୁଇ ଅକ୍ଷର
ଅଭାବରେ ଭାବ ତୋଳେ
ତା'ର ଆଶୀର୍ବାଦ ଦୂରଇ ବିପଦ
ସମୟର ଅନ୍ତରାଳେ l