ମତେ ଭଲଲାଗେ ବୋଲି
ମତେ ଭଲଲାଗେ ବୋଲି
ମୁଁ ଚାଲିଚାଲି ରହିଯାଏ
ଅଧଡ଼ ରାସ୍ତାକୁ ସୀମାନ୍ତ ଭାବି
ତୁମେ ଆସିବ ବୋଲି
ମତେ ମୋ ଭୁଲ୍ ଅବଗତ କରେଇ
ଟାଣିନେବ ନିଝୁମ୍ ରାତି କୋଳେ
ଦେଖେଇ ଦେବ ବଳୟ
ଆକାଶ ଆଉ ପୃଥିବୀ ଭିତରେ।
ଦିନଠୁ ବେଶୀ ଚକଚକ୍ କରେ
ଏକ ସରୁ ଗାର
ନା ପୂର୍ଣ୍ଣଚ୍ଛେଦ ନା ସୀମା
ମତେ ଶିଖେଇ ଦେବ
ଉଦାହରଣ ସହିତ ସମ୍ପର୍କର ଉପପାଦ୍ୟ।
ମତେ କଣ ଚାଲିବା ମାଲୁମ୍ ନାହିଁ?
ମୁଁ କଣ ଜାଣେନି ବାଟ ଆଉ
ଅମଡ଼ା ବାଟ ଭିତରର ତଫାତ୍?
ମତେ ଭଲଲାଗେ ତୁମ ଆକଟ
ତୁମ ଜ୍ଞାନର ପରିସୀମା
ମୋ ପ୍ରେମର ବିସ୍ତୀର୍ଣ୍ଣ ସୀମା।
ଚାଲିବାଠୁ ମୁଁ ବେଶୀ ପସନ୍ଦ କରେ
ସେଇ ମୁହୂର୍ତ୍ତ
ଯେଉଁଠି ତୁମେ ମୋ ହାତ ଧର
ଜୀବନର ବର୍ଣ୍ଣମାଳା ଶିଖାଇବା ପାଇଁ
ଆଉ ମୁଁ ଯେ ଉପନ୍ୟାସ ଲେଖି ସାରିଲିଣି।
ମତେ ଭଲଲାଗେ
ବୟସର ପହିଲି କିରଣ
ପାର କରିସାରିଲା ପରେ ମଧ୍ୟ
ତୁମ ସାମ୍ନାରେ ନୀର୍ମୋହ ଶିଶୁଟିଏ ହବାକୁ
ବାଟୁଳି ବାଜୁ ନଥିବା
ମୋ କଥା କୁହା ଓଠରେ
ତୁମେ ମତେ ଶିଖେଇ ଚାଲିବ
ଓଷ୍ଠ୍ୟ, ଦନ୍ତ୍ୟ, ମୂର୍ଦ୍ଧନ୍ୟ, କଣ୍ଠ୍ୟ
ଇତ୍ୟାଦି ବ୍ୟଞ୍ଜନ ବର୍ଣ୍ଣ।
ମତେ ଭଲଲାଗେ
ସବୁ କଥା ନକହିବା ଆଗରୁ
ବୁଝି ଯାଉଥିବା ଝିଅ
ତୁମ ପ୍ରତି କଥାରେ ଜାଣିଶୁଣି
ଅଝଟ ଆଉ ଅବୁଝା ହବାକୁ।
ମତେ ଭଲଲାଗେ ତୁମକୁ
ମୋର ଆଉ କେବଳ ମୋର କହିବାକୁ
ସେ ହୃଦୟର ସ୍ପନ୍ଦନ
ମିନିଟ୍'କୁ କେତେ ଥର ଜାଣିଲା ପରେ ବି
କାନ ଡେରି ତାକୁ ବାରମ୍ବାର ଗଣିବାକୁ।