ନୈସର୍ଗିକ ପ୍ରେମ
ନୈସର୍ଗିକ ପ୍ରେମ
ଜହ୍ନ ଆଜି କ୍ଲାନ୍ତ
ଆକାଶ ମେଘମୁକ୍ତ
ସଜକଲାଣି ପତଳା ମେଘର ମଶାରୀ
ସ୍ବପ୍ନିଳ ଆଖିରେ ଅଧା ଶୋଇ
କଇଁକୁ କିଛି କହିବ ବୋଲି ରହିଛି ଚାହିଁ
ଏକ ନୈସର୍ଗିକ ପ୍ରେମର ଭାଷା
ଡରୁଆ ଅବୁଝା କଇଁକୁ ଦେବାକୁ ବୁଝାଇ
ସରସୀ ଜଳରେ ନୀଳ କଇଁ
କଇଁ ବିଭୋର ନିଜକୁ ନିଜ ପ୍ରତିବିମ୍ବକୁ ନେଇ
କେବେ ଚାହୁଁଥିଲା ସେ ନଟଖଟ ଚାନ୍ଦକୁ
ଯେ ମେଘ ଉହାଡରେ ତ ପୁଣି ତାରାମେଳେ ଥାଇ
ପ୍ରଗାଢ଼ ପ୍ରେମରେ ଛନ୍ଦମୟ କରେ ତାକୁ
ପୁଣି କେବେ ଚାହୁଁଥିଲା ସରସୀ ଜଳ ଓ ମାଟିକୁ
ଯେ ପ୍ରେମ ଆଉ ଭରସା ଗଦାଏ ଦେଇ ପରିପୃଷ୍ଟ କରି
ତୋଳି ଧରିଛି ତା ପାଦକୁ
ଗୋଟିଏ ଜୀବନ, ଆଂଜୁଳାଏ ପ୍ରେମ ଅର୍ଘ୍ୟ
ବାଢିବ କାହାକୁ
ଆକାଶର ଚାନ୍ଦକୁ ନା ସରସୀ ଜଳ ତଥା ମାଟିକୁ
ନା, ଏ ଉଭୟଙ୍କ ସ୍ରଷ୍ଟା ସତ୍ୟ ଶିବ ସୁନ୍ଦରକୁ।।।