ରଙ୍ଗ ପସରା
ରଙ୍ଗ ପସରା
ରଙ୍ଗ ପସରା ରେ ଫଗୁଣ ଆସିଛି
କେତେ ଉଦ୍ଦୀପନା ନେଇ
କରେ ସେ କିମିଆ ବୃଦ୍ଧ ବୃଦ୍ଧା ଛୁଆ
ତା ପ୍ରେମେ ହୁଅନ୍ତି ଵାଇ।
ଧରଣୀର କାୟା ବଦଳାଇ ଦିଏ
ତା ଯାଦୁକରୀ ସ୍ପର୍ଶ ରେ
ଜୀର୍ଣ୍ଣ ଶୀର୍ଣ୍ଣ ବୃକ୍ଷ ସଜାଏ ଗଭାକୁ
ବିଭିନ୍ନ ଜାତି ପୁଷ୍ପରେ।
ରଙ୍ଗମୟ ହୁଏ ଧରଣୀର ଵକ୍ଷ
ଅପୂର୍ବ ବର୍ଣ୍ଣ ଵିଭାରେ
କୃଷ୍ଣଚୂଡ଼ା ହସ ଵଉଳ ସୁବାସ
ଜାଗେ ପୁଲକ ତନ୍ତ୍ରୀରେ।
କଳକଣ୍ଠ ଗାଏ ବସନ୍ତ ରାଗିଣୀ
ପତ୍ର ଗହଳରେ ରହି
ଋତୁ ବିବର୍ତ୍ତନେ ଏ କି ରଙ୍ଗ ହାୟ
ସମସ୍ତଙ୍କୁ ଯାଏ ଛୁଇଁ।
ମତୁଆଲା ହୋଇ ଉଡି ଵୁଲୁଥାଇ
ଡେଣା ମେଲି ପ୍ରଜାପତି
ଏ ଫୁଲରୁ ଉଡି ସେ ଫୁଲକୁ ଦିଏ
ପ୍ରୀତି ସମ୍ଭାଷଣ ନିତି।
ରସରାଜ କୃଷ୍ଣ ରାସମୟୀ ରାଧା
ଵିଜେ ଦୋଳ ବିମାନରେ
ପ୍ରତି ଦ୍ଵାରେ ଭୋଗ ସାଥେ ଫଗୁ ରଙ୍ଗ
ଖେଳ ହର୍ଷ ଉଲ୍ଲାସରେ।
ରଙ୍ଗମୟ ହୁଏ ଧରଣୀର ଵକ୍ଷ
ଧରି ରଙ୍ଗର ପସରା
କି°ଶୁକ ପାଦପ ମଥାରେ ନାରଙ୍ଗୀ
ଓଢ଼ଣୀ ହୋଇଛି ଘେରା।
ମଧୁମୟ ଏହି ମଧୁର ବସନ୍ତେ
ସର୍ବ ପ୍ରାଣୀ ପୁଲକିତ
ରଙ୍ଗ ପସରା ରୁ ରଙ୍ଗ ସାରିଦେଇ
ଫଗୁଣ ହୋଇଵ ଅନ୍ତ।