ଶୂନ୍ୟତା ର ସ୍ବପ୍ନ
ଶୂନ୍ୟତା ର ସ୍ବପ୍ନ
ଶୂନ୍ୟତା ର ସ୍ଵପ୍ନ ପାଣିର ଫୋଟକା
ପାଣିରେ ମିଳେଇ ଯାଏ,
ଶୂନ୍ୟତା ର ସ୍ବପ୍ନ ପାଣି ଦେହେ ଗାର
ବହି ଯାଏ ପାଣି ସୁଏ ।।
ଶୂନ୍ୟତା ର ସ୍ବପ୍ନ ଏକ ପ୍ରହେଳିକା
ସହଜେ ଧରା ନ ଦିଏ,
ଶୂନ୍ୟତା ର ସ୍ବପ୍ନ ନୁହଇ ବାସ୍ତବ
ସେ ତ ଦିବା ସ୍ବପ୍ନ ଟିଏ ।।
ଶୂନ୍ୟତା ର ସ୍ବପ୍ନ ଶୂନ୍ୟେ ଜନ୍ମ ନେଇ
ଶୂନ୍ୟ ରେ ମିଳେଇ ଯାଏ,
ଶୂନ୍ୟତା ର ସ୍ବପ୍ନ ଏକ ମରୀଚିକା
ତୃଷ୍ଣା କୁ ବଢାଇ ଥାଏ ।।
ଶୂନ୍ୟତା ର ସ୍ବପ୍ନ ଅଟେ ଅବାସ୍ତବ
ରାତିକେ ରାଜା ବନାଏ,
ନିମିଷେ କରାଏ ଦେବତା ଙ୍କ ରାଜା
ପାହାନ୍ତେ ତା ମିଥ୍ୟା ହୁଏ ।।
ଶୂନ୍ୟତା ର ସ୍ବପ୍ନ ବୁଡ଼ାଏ ସାଗରେ
ରତ୍ନ ଖୋଜେ ଭଳି ଭଳି,
ଶୂନ୍ୟତା ର ସ୍ବପ୍ନ ଜହ୍ନ ରାଇଜ ରେ
ଦିଅଇ ଘର ଟେ ତୋଳି ।।
ଶୂନ୍ୟତା ର ସ୍ବପ୍ନ କେବେ କେବେ ପୁଣି
ଘୁରି ବୁଲେ ପରୀ ଦେଶେ,
ସୁବର୍ଣ୍ଣ କିରୀଟ ମସ୍ତକ ରେ ମଣ୍ଡି
ବୁଲେ କେବେ ରାଣୀ ବେଶେ ।।
ଶୂନ୍ୟତା ର ସ୍ବପ୍ନ ସୁନ୍ଦର ପର ଟେ
ଦିଅଇ ବା କେତେବେଳେ,
ଡେଣା ଝାଡି ଝାଡି ମନ ମଉଜ ରେ
ଶୂନ୍ୟତା ରେ ଘୁରି ବୁଲେ ।।
ନନ୍ଦନ କାନନେ ଘୁରି ବୁଲେ କେବେ
ହାତେ ପାରିଜାତ ଧରି,
ସୁଧର୍ମା ସଭାରେ ନୃତ୍ୟରତା କେବେ
ଅପରୂପା ଅପସରୀ ।।
ଶୂନ୍ୟତା ର ସ୍ବପ୍ନ କୁହୁକ ର କାଠି
ସଜାଏ ସ୍ୱର୍ଗେ ମହଲ,
ଶଙ୍ଖ ମରମର ପ୍ରସ୍ତର ନିର୍ମିତ
ଦିଶୁଥାଏ ଝଲମଲ ।।
ଶୂନ୍ୟତା ର ସ୍ବପ୍ନ ଭାରି ଦୁଃଖ ଦିଏ
ବାସ୍ତବ କେବେ ନ ହୁଏ,
ଶୂନ୍ୟତା ର ସ୍ବପ୍ନ ଶୂନ୍ୟ ରେ ମିଲାଏ
ସ୍ବପ୍ନ କିବା ସତ୍ୟ ହୁଏ !!
ମଣିଷ ଅଟଇ ଆଶାବାଦୀ ପ୍ରାଣୀ
ସବୁ ଆଶା ଫଳେ ନାହିଁ,
ଘୋଟକ କୁ ଶିଂଘ ଦେଇନି ବିଧାତା
ସୃଷ୍ଟିର ମଙ୍ଗଳ ପାଇଁ ।।
ଶୂନ୍ୟ ରୁ ଆସିଛୁ ଭବ ଲୀଳା ପାଇଁ
ଶୂନ୍ୟ ରେ ଯିବା ମିଳେଇ,
ଶୂନ୍ୟତା ରେ କାହିଁ ସ୍ବପ୍ନ ଦେଖୁଥିବା
ସ୍ବପ୍ନ ସତ୍ୟ ହୁଏ ନାହିଁ ।।