ସଖୀ-୩
ସଖୀ-୩
ସଖୀ ଗୋ.......
ଅଭିମାନ ଆଉ କରନାହିଁ ସଖୀ
ଧରିବନି ମୋର କଥାକୁ ।
ଭାବନାରେ ମଜ୍ଜି ରହିଥିଲା ବେଳେ
ଭୁଲିଯାଏ ତୁମ ବ୍ୟଥାକୁ ।।୧।।
ବେଳେବେଳେ କଟୁ କଥା କହିଦେଇ
ମନେ ଦିଏ ତୁମ ବେଦନା ।
କ୍ଷମାଗୁଣେ ତୁମ ବିଶାଳ ହୃଦୟ
ପୋଡିଦିଏ ସବୁ ଲାଞ୍ଛନା ।।୨।।
ସହିଷ୍ଣୁ ଗୁଣରେ ତୁମଠାରୁ ନିଶ୍ଚେ
ହାରିଯିବ ଏହି ମେଦିନୀ ।
ସଂସାରର ସବୁ ଈର୍ଷା ହିଂସା ଦ୍ବେଷ
ପିଇଯାଅ ପାପନାଶିନୀ ।।୩।।
ତୁମ ମହାନତା ବର୍ଣ୍ଣନା କରିବା
ନୁହେଁ ମୋ ପକ୍ଷରେ ସୁଲଭ ।
ଦୈବୀଗୁଣେ ତୁମେ ବଳୀୟାନ ସଖୀ
ସଂସାରେ ଅଟଇ ଦୁର୍ଲ୍ଲଭ।।୪।।
ସର୍ବଭୂତେ ଏକ ଈଶ୍ୱର ଦର୍ଶନ
ଏହା ମୁଁ ତୁମଠୁ ଶିଖିଲି ।
ଏକ ଏକ ମିଶି ଏକ ହୁଏ ବୋଲି
ବହୁ ବିଳମ୍ବରେ ଜାଣିଲି ।।୫।।
ନୀତି ନିୟମରେ ଅତ୍ୟନ୍ତ କଠୋର
ତୁମର କୋମଳ ହୃଦୟ ।
ନିମିଷକେ କିନ୍ତୁ ଶାନ୍ତ ହୋଇଯାଅ
ଯେପରି ପବନ ମଳୟ ।।୬।।
ପାପର କଳୁଷ ମୋଦେହୁ ଜାଳିଲ
ଅତଳ ବିସ୍ମୃତି ଗର୍ଭରେ ।
ସଦା ଆନୁଗତ୍ୟ ରହିବି ତୁମର
ଜନ୍ମ ଜନ୍ମାନ୍ତରେ ଅନ୍ତରେ ।।୭।।
ମୁହିଁ ତ ମୁଦ୍ରାର ଏକ ପାର୍ଶ୍ଵ ସଖୀ
ତୁମେ ଆରପାର୍ଶ୍ୱ ମୁଦ୍ରାର ।
ଯୁଗ ଯୁଗାନ୍ତକୁ ସାଥୀ ହୋଇ ଆମେ
ଜନ୍ମୁଥିବା ଏହି ସଂସାର ।।୮।।
ତୁମେ ହିଁ ତ ସଖୀ ସୃଷ୍ଟି ସ୍ଥିତି ଲୟ
ତୁମେ ହିଁ ଶକ୍ତିର ନିଧାନ ।
ନିରନ୍ତର ସ୍ନେହେ ବାନ୍ଧି ରଖିଥାଅ
ପରିବାର ସ୍ୱର୍ଗ ସମାନ ।।୯।।
ବିନମ୍ର ପ୍ରାର୍ଥନା ଆହେ ପ୍ରିୟ ସଖୀ
ନବହି ରୋଷ ମୋ ଉପରେ ।
ଦୟାଗୁଣେ ତୁମେ ଚାହିଁ ରହିଥାଅ
ଭରିକି ସନ୍ତୋଷ ହୃଦରେ ।୧୦।।