ସ୍ମୃତି ତୁମେ
ସ୍ମୃତି ତୁମେ
ମୋ ମନ ଆକାଶେ ନୀଳକଇଁ ଆଶା
ସ୍ମୃତି ତୁମେ ରୂପା ଜହ୍ନ
ଢାଳିଦିଅ ନିତି ବିମଳ ଜୋଛନା
ଆବେଗେ ହୁଏ ତଲ୍ଲୀନ ।
ନାଚୁଥିଲା ଦିନେ ଉଷ୍ମ ଆବେଗରେ
ବିଭୋର ମନ ମୟୂର
କଳାମେଘ ପରି ବରଷିଣ ବାରି
ତୃଷା କରିଅଛ ଦୂର ।
ହୃଦ ସରୋବର ପ୍ରଫୁଲ୍ଲ କମଳ
ମନ ନେଇଥିଲ କିଣି
କରୁଛି ସ୍ମରଣ ଅତୀତ ସେଦିନ
ପାରୁନାହିଁ ମନୁ ଭୁଲି ।
ଫୁଲ ଫଗୁଣରେ ବନ ଉପବନେ
ଉଡିବୁଲେ ପ୍ରଜାପତି
ବଢାଏ ହାତକୁ ଧରିବି ପୁଣି ମୁଁ
ଉଡିଯାଅ ତୁମେ ସ୍ମୃତି ।
ରଖିଛି ରଖିବି ସାଇତି ହୃଦୟେ
ସ୍ମୃତି ତୁମ ରୂପ ରଙ୍ଗ
କଥାଦିଅ ମୋତେ ପାଶୋରି ଦେବନି
ଜୀଇଥିବି ଯେତେକାଳ ।