ତ୍ରାହିମାଂ
ତ୍ରାହିମାଂ
ଧରଣୀ କାନ୍ଦୁଛି ଅଶ୍ରୁଧାର ଢ଼ାଳି
ପାପଭାର ଗଲା ବଢ଼ି,
କରୋନା କରାଳ ଯାଇନାହିଁ ଛାଡ଼ି
ଆତଙ୍କୀ ଦିଅନ୍ତି ରଡ଼ି |
ଭୋକିଲା କୁକୁର ରକ୍ତ ପିପାଶିତ
ମାନେନାହିଁ କଟକଣା,
ନାରୀକୁ ଭାବନ୍ତି ଭୋଗ୍ୟବସ୍ତୁ ପରି
ବର୍ବରତା ଲାଗେ ଘୃଣା |
କୋମଳମତିର କଅଁଳ ଶରୀର
ଝୁଣି ଖାଉଅଛି ସିଏ,
ଏତେବଡ଼ ବିଶ୍ଵ ଦର୍ଶକ ସାଜିଛି
ସାହାହେବ ତାଙ୍କୁ କିଏ |
କେମିତି ପାରୁଛ ବର୍ବରତା ଦେଖି
ସହୁଛି କେମିତି ଦେହ,
ଅସହାୟ ଆର୍ତ୍ତ ଚିତ୍କାର ଶୁଣିଲେ
ଆଖିରେ ଆସଇ ଲୁହ |
କେତେ ଦୟନୀୟ ନିଷ୍ପାପ ନିରୀହ
ଖାଦ୍ୟ ନାହିଁ ନାଁ ପାନୀୟ,
ରାକ୍ଷସ ସାଜିଛି ଏ କ୍ରୁର ମଣିଷ
ପରିସ୍ଥିତି ଭୟାବହ |
ଆଉ କେତେ ପାପ ଦେଖିବ ହେ ପ୍ରଭୁ
ଆସ ଆସ ଅବତରି,
କଳିଯୁଗେ କଳ୍କୀ ଅବତାର ନେଇ
ପାପିଙ୍କୁ ଦିଅ ବିଦାରୀ |
ଧରିତ୍ରୀ ମା ର ବୋଝ କର ଦୂର
ଗୋଟିଗୋଟି ପାପୀନାଶି,
ତୁମ ବିନା ଆଉ କେ ଦୁଃଖ ନାଶିବ
ଆହେ ପ୍ରଭୁ କ୍ଷେତ୍ରବାସୀ |