Bandita Mohanty

Tragedy

3  

Bandita Mohanty

Tragedy

ଆଜି ରବିବାର ନା'

ଆଜି ରବିବାର ନା'

4 mins
153


  କାଲି ରବିବାର। ମୋ ମନ ବହୁତ ଖୁସି। କାହିଁକି ନା କାଲି ସାପ୍ତାହିକ ପତ୍ରିକା ଆସିବ। ଆଉ ସେଥିରେ ବହୁତ ସୁନ୍ଦର ସୁନ୍ଦର କବିତା ଷ୍ଟୋରୀଗୁଡ଼ିକ ଲେଖା ହେଇଥିବ। ସପ୍ତାହର ସାତ ବାର ଭିତରୁ ଏ ବାରଟି କାହିଁକି କେଜାଣି ମତେ ବହୁତ ନିଜର ଲାଗେ। ସାତ ଦିନ ଭିତରୁ ବୋଧହୁଏ ବାକି ଛ' ଦିନର ପରିଶ୍ରମ ମୋର ଏଇ ଦିନରେ ହିଁ ହସଖୁସିରେ ଚାଲିଯାଏ। ପିଲା ଠାରୁ ବଡ ସଭିଏଁ ଏଇ ବାରଟିକୁ ଅପେକ୍ଷା କରିଥାଆନ୍ତି। ମୁଁ ଚାକିରୀ ଜୀବନର ପରିଣତ ବୟସରେ ଆସି ପହଞ୍ଚିବା ପରେ ମଧ୍ୟ ମୋର ପିଲାଳିଆମି ଯାଇନି। ହଁ ତମେ ୟାକୁ ପିଲାଳିଆମି କହିପାର। କିନ୍ତୁ ମୁଁ ଉତ୍ସୁକତାର ସହ ଏଇ ଦିନକୁ ଅପେକ୍ଷା କରିଥାଏ। କାହିଁକି ଏତେ ଖୁସି ଏତେ ଆନନ୍ଦ ......!! ବୋଧହୁଏ ଏ ଆନନ୍ଦ ଆଉ ସେଇ ଖବର କାଗଜ ବୁଢ଼ା ବାବାଙ୍କ ପାଇଁ ନୁହେଁ ତ। ହେ..... ନା, ସେମିତି କାହିଁକି ହେବ । ସିଏ ଏତେ ବି ଖାସ୍ ନୁହଁ। ସବୁଦିନ ପେପର୍ ପାଇଁ ମତେ ଜଲଦି ନିଦରୁ ଉଠେଇ ଦେବ। ହଉ ହଉ ଛାଡ଼, ମୁଁ ଯାଏ ଶୋଇ ପଡେ।

  ଝରକା ପଟୁ ତୋଫା ଚାନ୍ଦିନୀର ଶୁଭ୍ର କିରଣ ପଡୁଥାଏ ମୁହଁରେ।ଶୀତଳ ପବନ ଛୁଇଁ ଦେଇ ଚାଲି ଯାଉଥାଏ। ଏପଟ ସେପଟ କଡ ଲେଉଟାଇ ଶୋଇଲେ ବି ନିଦ ଆସୁନଥାଏ। ଚାକିରୀ ଜୀବନରେ ପାଦ ଦେଲା ପରେ ଘର ଲୋକ ଛନ୍ଦିଦେଲେ ଜଞ୍ଜାଳ ଭିତରେ। ପ୍ରାୟ ସମୟ ଅଫିସରେ ଚାଲିଯାଉଥିଲା। ସ୍ତ୍ରୀ ଘରେ ଏକୁଟିଆ। କେତେ ଦିନ ବି ସେ ଏକୁଟିଆ ହେଇ ରହି ପାରିବେ। ଯେହେତୁ ଅଫିସ୍ ବ୍ୟତୀତ ଏଇ ଘର ସଂସାର ପିଲା ଛୁଆ ପ୍ରତି ଏତେ ଆଗ୍ରହ ନଥିଲା ମୋର। କେବଳ ଘର ଲୋକଙ୍କ ଖୁସି ପାଇଁ ବାହା ହେବାକୁ ପଡ଼ିଲା। କେଜାଣି କାହିଁକି ମୋ ମନ ଏ ସବୁଠୁ ଦୂରେଇ ରହୁଥିଲା। ଅଫିସରେ ସାତ ବାର ବ୍ୟତୀତ ରବିବାର ହେଇଗଲେ ମୁଣ୍ଡ ଆଉ କାମ କରୁ ନ ଥିଲା। କେମିତି ସେ ଦିନଟା ଜଲଦି ଯିବ ତାଙ୍କୁ ଟେନସନ୍ ହେଇ ପଡୁଥିଲା। କିନ୍ତୁ ଏବେ...........

  ଗୋଟେ ଗୋଟେ କରି ପୁରୁଣା କଥା ମନେ ପଡୁଥାଏ। ଆଖି ଆଗରେ ସବୁ ନାଚି ଉଠୁଥିଲା। ଅପେକ୍ଷା କରି କରି ସ୍ତ୍ରୀ ଚାଲିଗଲେ ତାଙ୍କ ବାଟରେ ଏକା କରିଦେଇ। ହଁ, ମୁଁ ହିଁ ଏଇ ଏକୁଟିଆପଣକୁ ବାଛି ନେଇଥିଲି। ଏଥିରେ ଦୁଃଖ କରିବାର କଣ ଅଛି। ଛାଇ ନିଦ ଆସି ଯାଇଥିଲା। ଧୀରେ ଧୀରେ ନିଦ୍ରା ଦେବୀଙ୍କ କୋଳରେ ମୁଁ କଡ ଲେଉଟାଇବାକୁ ଲାଗିଥିଲି।

 ହଁ, ସେ ଆସିଛି। ବହୁତ ରାତ୍ରୀରେ ଆସିଥିଲା। କବାଟ ଫାଙ୍କରେ ତାର ଜରାଜୀର୍ଣ୍ଣ ଶରୀରକୁ ଦେଖି ଚମକି ପଡିଲି। ପୂର୍ଣ୍ଣିମା ରାତିରେ ଜହ୍ନର ଜ୍ୟୋତ୍ସ୍ନା ଯେପରି ତାର ଲମ୍ବି ରହିଥିଲା ଦାଢ଼ି ସ୍ୱରୂପ। ମୁଣ୍ଡରେ ଜହ୍ନକୁ ଗୁଣ୍ଡ କରି ବୋଧହୁଏ କିଏ ପକାଇ ଦେଇଥିଲା। ଧୌତ ବର୍ଣ୍ଣରେ ତାର ସମ୍ପୂର୍ଣ୍ଣ ଶରୀର ପରିପୂର୍ଣ୍ଣ। ମନରେ ମୋର ସନ୍ଦେହ ଆସିଲା। ସେଦିନର ସେ ନୀଳ ଶୃଗାଳ ପରି , ଏ ଧୌତ ବର୍ଣ୍ଣ ପରିହିତା ଶୃଗାଳ ଜଣକ କିଏ ? ନିରିଖେଇ ଚାହିଁଲି। ମୋ ଆଖିର ପରଦା ହଟେଇ ସିଏ ଭିତରକୁ ପଶିଗଲେ। ମୁଁ ପାଟି କରି କହିଲି ଓଃ !! ତମେ ଚଳି ଆସିଲ ତା ହେଲେ। ସମୟ ତ ହେଇନି। ଶୋଇବାକୁ ବି ଦେଉନ। ହଉ ଯଦି ଆସିଲ ଗୋଟେ କାମ କର , ଚାରିଆଡ଼େ ତ ଖବର କାଗଜ ବାଣ୍ଟି ସାରିଥିବ। କିଛି ସମୟ ପାଇଁ ଏଠି ବସି ଥକା ମେଣ୍ଟାଅ। ମୁଁ ଟିକେ ଶୋଇ ପଡୁଛି।

  କାଖ ତଳେ କିଛି ପୁରୁଣା ଖବର କାଗଜ ଧରିଥିଲେ। ସେ ସବୁ ସେଠି ପକେଇ ଦେଲେ। ବିରକ୍ତିରେ ମୁହଁକୁ ଚାହିଁଲି। ଏ କଣ.....!! କେଉଁ ପ୍ରକାର ଅଭଦ୍ରାମୀ .....? କିନ୍ତୁ ମନ ଭିତର କୋଉ ଅଜଣା ଜାଗାରୁ ଦରଦୀ ହୃଦୟ ପ୍ରତି ଦୟା ଆସିଗଲା। ପେପର୍ ବାଣ୍ଟି ବାଣ୍ଟି ହାଲିଆ ହୋଇ ପଡ଼ିଥିବ। ତେଣୁ ଏମିତି ନ ହେଲେ ପେପର୍ ଗୁଡ଼ିକୁ କାହିଁକି ପକେଇ ଥାଆନ୍ତେ। ଗୋଟି ଗୋଟି କରି ମୁଁ ନିଜ ହାତରେ ଗୋଟେଇ ବାକୁ ଲାଗିଲି। ପୁରୁଣା ପତ୍ରିକା ଗୁଡ଼ିକ ଥିଲା। ମୁଁ ଏଠାକୁ ଆସିବାର ଛ' ମାସ ହେଇ ସାରିଥିଲା। ସେ ଭିତରୁ ଗୋଟିଏ ବି ପତ୍ରିକା ଏଇ ଛ' ମାସ ମଧ୍ୟର ନ ଥିଲା। ତେଣୁ ତାକୁ ଆଉ ବେଶୀ କିଛି ନ କହି ମୁଁ ସବୁ ଗୋଟେଇ ନେଇ ଚାଲିଗଲି । ଏଥିପାଇଁ ବୋଧହୁଏ ଆଜି ଜଲଦି ବୁଢ଼ା ଚାଲି ଆସିଥିଲା। ଗରମ ଗରମ ଚା' ଆଣି ଦେଇଦେଲି ତା ହାତରେ। ଚା' ପିଇ ଦେଇ ବୁଢ଼ା ଚାଲିଗଲା। ତା ପଛେ ପଛେ ମୁଁ କବାଟ ପାଖ ଯାଏଁ ଆସିଲି। ମନେ ମନେ ଭାବୁଥାଏ ଆଜି ଏତେ ନୀରବ କାହିଁକି ଏ.....। ପରିବାର ଛାଡ଼ିବା ପର ଠାରୁ ଏକ ପ୍ରକାରରେ ଇଏ ମୋର ଅତି ପରିଚିତ ନିଜର ହେଇ ଯାଇଥିଲା। ସକାଳୁ ସକାଳୁ ବାପା ଯେମିତି ଉଠେଇ ଦିଅନ୍ତି ସେ ସେମିତି ମତେ ସକାଳୁ ଉଠାଇ ଦିଏ। କିଛି ସମୟ କଥାବାର୍ତ୍ତା ପରେ ଚାଲିଯାଏ। ପୁଣି ଦିନ ସାରା ଯେତେବେଳେ ବି ମନ ଡାକିବ ଆସିଯିବ ଘରକୁ। ହେଲେ ଆଜି ତା ଆଖିର ନିରବତା ମତେ ଅସହ୍ୟ ମନେ ହେଲା। କବାଟ ପାଖରେ ଛିଡ଼ା ହୋଇ ଏକଲୟରେ ଚାହିଁ ରହିଥିଲି। କିନ୍ତୁ ହଠାତ୍ ସେ ଅଦୃଶ୍ୟ ଯେ..........!! ଶରୀର ଯେପରି ମିଶିଗଲା ଏଇ ବାୟୁ ମଣ୍ଡଳରେ। ଗୋଟି ଗୋଟି ହେଇ ପ୍ରତ୍ୟେକ ଅଙ୍ଗ ଧୂଳିକଣାରେ ପରିଣତ ହେଇ ଯାଇଥିଲା। ଏ ସ୍ବପ୍ନ ନା ଆଉ କଣ........? ବୁଲି ପଡି ଯିବାକୁ ବାହାରିଲା ବେଳେ ମୁଣ୍ଡଟା ପିଟି ହେଇ ଗଲା ପଥର ଖମ୍ବରେ। ତା ପରେ.........

   ଆଖି ମଳି ମଳି ଉଠିଲି। ରକ୍ତିମ ଆଭା ଫୁଟାଇ ପୂର୍ବ ଆକାଶରେ ରବି ଉଠି ସାରିଥିଲେ। ସମୟ ଦେଖିଲି , ନ' ଟା। ଆଜି ଏତେ ସମୟ ଶୋଇ ପଡ଼ିଲି.......। ହଁ, କିଛି କଥା ନାହିଁ। ଆଜି ରବିବାର, ହେଲେ ମୁଁ ଏଠି ଏମିତି ତଳେ କଣ ଶୋଇଛି ....!! ଆଉ ଆଜି ଖବର କାଗଜ.....!! ମନେ ପଡିଗଲା ରାତିର ଗୋଟେ ଗୋଟେ କଥା। ଧାଇଁ ଯାଇ ଶୋଇବା ଘର ଅଣ୍ଡାଳିଲି। ଖଟ ଉପରେ କିଛି ପେପର୍ ପଡ଼ିଥିବା ଦେଖିଲି। ଆରେ ସତରେ କଣ ସେ ରାତିରେ ଆସିଥିଲା। ବାହାରୁ କବାଟର ଠକ୍ ଠକ୍ ଶବ୍ଦ ଶୁଭିଲା। କବାଟ ଖୋଲିଲି, ଆଜି ଆଉ ଜଣେ ପେପର୍ ଧରି ଆସିଛି। ତା ହାତ ରୁ ପେପର୍ ନେବା ପରେ ପଚାରିଲି ସେ ବୁଢା କାଇଁ ? ଆଜି ଆସିବନି କି......? 

  ପିଲାଟି ଏକ ଅପ୍ରାକୃତିକ ଚାହାଣୀ ଦେଇ କହିଲା କାଲି ସକାଳୁ ସେ ମରି ସାରିଛି। ମୁଁ ସ୍ଥାଣୁ ହେଇ ଠିଆ ହୋଇ ପଡ଼ିଲି। ତା ହେଲେ କାଲି ରାତିର ସ୍ବପ୍ନ ସତ ନା ମିଛ......



Rate this content
Log in

Similar oriya story from Tragedy