SIPRA NAMTA

Classics

2  

SIPRA NAMTA

Classics

ଆଖି ର ମାୟା

ଆଖି ର ମାୟା

9 mins
279


କିଏ କିଏ ଦୌଡି ପଳାଉଛି ......ପାଉଁଜି ର ଛମ ଛମ ଶବ୍ଦ କର୍ଣ୍ଣ କୁହର ରେ ସୃଷ୍ଟି କରୁଛି ମନ୍ଦ୍ର ମଧୁର ଧ୍ୱନୀ । କେଶବତୀ ର ଘନ କୃଷ୍ଣ ମୁକୁଳିତ କେଶ ପଂକ୍ତି ର ଶଯ୍ୟା ଫାଙ୍କ ରୁ ଯେମିତି ତା ଆଡକୁ କିଏ ନିର୍ଦ୍ଦେଶ କରି କହୁଛି ," ହେ ମୋର ପୁଣ୍ୟ ପବିତ୍ର ଅତିଥି ଆସ ,ମୁଁ ତୁମ ପାଇଁ ଏ ଶଯ୍ୟା ପ୍ରସ୍ତୁତ କରି ରଖିଛି... ଖାସ ତୁମ ପାଇଁ ....ଟିକେ ଧୀରେ ଛୁଇଁ ଦେଇଯାଅ ତ ,ତୁମର ସବୁ ଶ୍ଲେଷ ଦୂର ହୋଇଯିବ । ସ୍ୱାଗତ ହେ ଅତିଥି ସ୍ୱାଗତ ତୁମକୁ "।ରାଶି ରାଶି କେଶ ର ଫାଙ୍କ ରୁ ଦିଶି ଯାଉଛି ଦୁଇଟି ଆଖି ର ଅର୍ଦ୍ଧ ଭାଗ ,ତୀକ୍ଷ୍ଣ ନାକ ର ଅଗ୍ର ଭାଗ ଆଉ ମସୃଣ ଗଣ୍ଡ ଦେଶ ର କିଛି ଅଂଶ ଓଃ ଏଇ ଆଖି ଯୋଡିକ.....

କାହାର ..କାହାର ଏ ଆଖି ସ୍ୱପ୍ନ ଭାଙ୍ଗିଯାଏ । ମନ ଆକୁଳ ବିକଳ ହୁଏ । ଦୃଶ୍ୟ ସବୁ ଅଦୃଶ୍ୟ ହୋଇଯାଆନ୍ତି । କିଛି ବୁଝିହୁଏନା କିନ୍ତୁ ଜୀବନ ତା ଗତାନୁଗତିକ ପଥ ରେ ଆଗେଇଯାଏ ।

         ମନ୍ଦିର ବେଢା ରେ ପରିବେଷିତ ସଙ୍ଗୀତ କୁ ଗୁଣୁ ଗୁଣୁ ହୋଇ ଗାଉଥାଏ ଶିବାନ । ଗୀତ ଟି ଯେମିତି ପ୍ରାଣସ୍ପର୍ଶୀ ଥିଲା ଗାୟିକା ତା'ଠାରୁ ଆହୁରି ଚମତ୍କାର ଥିଲେ । ରଥଯାତ୍ରା ସରିଲାଣି ଅନେକଦିନରୁ କିନ୍ତୁ ସେ ଦିନ ର ସ୍ମୃତି ତାଜା ହୋଇ ରହିଥାଏ ଶିବାନ ର ମନ ରେ । ସାଙ୍ଗ ସାଥୀ ଙ୍କର ଟାହି ଟାପରା ତାକୁ ବିରକ୍ତ ବଦଳ ରେ ଖୁସି ଦେଉଥାନ୍ତି ,ପୁଲକିତ ହୋଇ ଉଠୁଥାଏ ସମଗ୍ର ଶରୀର । ସେଇ କଣ୍ଠସ୍ୱର ପୁନଃ ଚକିତ କରିଦେଲା ଯେତେବେଳେ କୁମାର ପୂର୍ଣ୍ଣିମା ଉପଲକ୍ଷେ ହେଉଥିବା ମ୍ୟୁଜିକ କନସର୍ଟ ରେ ଶ୍ରୋତା ର ଚେୟାର ରେ ଯାଇ ବସିଲା । ଆଃ ହା ଅନିନ୍ଦ୍ୟ ସୁନ୍ଦରୀ ପୁଣି ମଧୁର ସ୍ୱର ର ଅଧିକାରିଣୀ ପ୍ରତି କାହାର ବା ହୃଦୟ ବିଗଳିତ ନ ହେବ ? ଦେବତା ମଧ୍ୟ ଏ ରୂପରେ ମୋହିତ ହେବେ ଯେ ସେ ତ ନିମିତ୍ତ ମାତ୍ର । ଅବଚେତନ ମନ ଭିତରେ ଗଭୀର ଆସକ୍ତି ଜନ୍ମ ନେଇ ସାରିଲାଣି । କିନ୍ତୁ ସେ ସୃଷ୍ଟି ଚଳତ ଶକ୍ତି ରହିତ ହେବାର ଦୃଶ୍ୟ ସ୍ପଷ୍ଟଦେଖିପାରୁଥିଲା ଶିବାନ । କିନ୍ତୁ ଲାଗୁଥିଲା ଯେପରି ଯୁଗ ଯୁଗ ର ସମ୍ପର୍କ ଅଛି ତାଙ୍କ ସହିତ । ୟା ପରେ ପରେ ନିଜକୁ ତାନପୁରା ଧରି ରିଆଜ କରିବାର ଦୃଶ୍ୟ ପ୍ରତୀୟମାନ ହେଲା । ସମ୍ପୂର୍ଣ୍ଣ ଠିକଣା ହସ୍ତଗତ କରି ଆଗେଇଲା ହୃଦୟରେ ନୂତନ କରି ଜନ୍ମ ନେଇଥିବା ଚାରା ଟିକୁ ପ୍ରତିପୋଷଣ କରିବା ନିମନ୍ତେ ।

      ଠକ ଠକ ଆବାଜ ଶୁଣି କବାଟ ଖୋଲିବାରୁ ,ଯାହାକୁ ଆଶା କରୁଥିଲା ତାଙ୍କୁ ନ ଦେଖି ପାରି ସାମାନ୍ୟ ଅପ୍ରତିଭ ଲାଗିଲା ଶିବାନ କୁ । ହଠାତ କଣ କହିବ କିଛି ଭାବିପାରିଲା ନାହିଁ ।

" ଭିତରକୁ ଆସନ୍ତୁ " ।

ଆଗେଇଯାଉଥିଲେ ସେ । ଆଉ ତାଙ୍କ ପଛେ ପଛେ ଶିବାନ । ବସିବାକୁ କହି ସେ ନିଜେ ମଧ୍ୟ ବସିପଡି ତାଙ୍କ ଘରେ କାମ କରୁଥିବା ମହିଳା ଶୁକ ଦେଈ କୁ ଡାକିଲେ ।

---ଶୁକ ଦୁଇ କପ ଚାହା ଆଣିବ ।

ଗଳା ର ପରିବର୍ତ୍ତିତ ସ୍ୱର ଶୁଣି ଅସ୍ବସ୍ତି ଲାଗିଲା ଶିବାନ କୁ ।

ସେ ଆଉ ଭୁଲ ରେ ଆଉ କାହାରି ଘର ଭିତରକୁ ଚାଲିଆସିନି ତ

ଏଇଟା ରାଗେଶ୍ୱରୀ ଦେବୀ ଙ୍କ ଘର ତ ! ମୁଁ ଆଉ ଭୁଲ ରେ ........। କଥା ଅଧା ରହିଅଗଲା ......

ପଛପଟୁ ବୀଣା ଜିଣା ସ୍ୱର ଭାସି ଆସିଲା

---ଆପଣ ସମ୍ପୂର୍ଣ୍ଣ ଠିକ୍ ସ୍ଥାନରେ ପହଞ୍ଚିଛନ୍ତି । ନିସଙ୍କୋଚ ରେ ଆସନ ଗ୍ରହଣ କରନ୍ତୁ ।

ପର୍ଦ୍ଦା ହଟାଇ ଆସୁଥିଲେ ଜଣେ ଉଜ୍ଜ୍ୱଳ ଆଭା ଯୁକ୍ତ ରମଣୀ ଆଉ ଜଣେ ଅଳ୍ପ ବୟସର ଝିଅ ସହିତ । ଶିବାନ ଉଠି ଠିଆହୋଇ ପଡିଲା । ସ୍ୱୟଂଚାଳିତ ରୂପେ ତାଙ୍କର ଦୁଇ ହାତ ଯୋଡି ହୋଇଗଲା ।

----"ରାଗୀ ,ତୁମେ ଯେତେବେଳେ ଆସିଗଲଣି , ମୋର ଆଉ ଏଠାରେ ଆବଶ୍ୟକତା ନାହିଁ । ମୋତେ ଟିକେ ବାହାରକୁ ଯିବାର ଥିଲା ତେଣୁ ମୁଁ ଆସୁଛି । ପୁଣି ସେ ଛୋଟ ଝିଅ କୁ ନିର୍ଦ୍ଦେଶ ଦେବା ପରି କହିଲେ -ମା ' ରାଗୀ ପାଖେ ପାଖେ ଥିବ । ମୁଁ ଦୁଇଘଣ୍ଟା ପରେ ଫେରିଆସିବି ।"

ଶିବାନ ଙ୍କୁ ନମସ୍କାର ଜଣାଇ ସେ ମହିଳା ଜଣକ ବାହାରି ଗଲେ ।

  ଏଥର କିଛିସମୟ ପାଇଁ ନୀରବତା ଛାଇଗଲା । ଶୁକ ଦେଈ ଆସି ଚାହା ଦେଇଗଲେ ।

---ହଁ ,...କୁହନ୍ତୁ ତ ଆପଣଙ୍କ ର ଆସିବାର , ମାନେ ଅଭିପ୍ରାୟ ଟା ଜାଣିଲେ ମୁଁ ସେ ଅନୁସାରେ ପ୍ରସ୍ତୁତି କରିବି ।

କୋମଳ ସ୍ୱର ସବୁ ପାଖୁଡା ପାଖୁଡା ହୋଇ ଖସି ଗଲେକି ଆଉ !!

ନିଜକୁ ସମ୍ଭାଳିନେଇ ଶିବାନ ଆରମ୍ଭ କଲା ,ଆମର ଏକ ସଙ୍ଗୀତ ସଭା ମଞ୍ଚ ଅନୁଷ୍ଠିତ ହୁଏ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ । ଅବଶ୍ୟ ସେସବୁ ଲାଇଟ ମ୍ୟୁଜିକ କୁ ନେଇ ହେଉଥିଲା । କିନ୍ତୁ ଏଥର ଆମେ ସ୍ଥିର କରିଛୁ କ୍ଲାସିକାଲ ଉପରେ ସଙ୍ଗୀତ ପରିବେଷଣ ହେବ ଏବଂସେଥିପାଇଁ ଆପଣଙ୍କ ମତାମତ ନେଇ ଆଗେଇବୁ ବୋଲି ଭାବିଥିଲୁ ।

----କିନ୍ତୁ ସେଥିପାଇଁ ଆପଣଙ୍କୁ ମାହେଶ୍ୱରୀ ଅପା ଙ୍କ ସହିତ କଥାବାର୍ତ୍ତା ହେବାକୁ ପଡିବ । ସେ ହିଁ ସେସବୁ ମ୍ୟାନେଜ କରନ୍ତି ।

ଶିବାନ ପାଖରୁ କୌଣସି ଉତ୍ତର ନ ପାଇ ,ପୁଣି ସେ ସ୍ୱର ଗୁଞ୍ଜରି ଉଠିଲା , "ଏଇ ଯୋଉ ଏବେ ଏବେ ବାହାରକୁ ଗଲେ" ।ପୁଣି ପଲକ ର ନୀରବତା ପରେ "ଆରେ ଆପଣ ଚାହା ଟା ପିଇଲେ ନି ,ଥଣ୍ଡା ହୋଇଯିବ ,ପିଇଦିଅନ୍ତୁ ।

ଶିବାନ କପ ଧରିବାକୁ ଯାଉଛନ୍ତି ନିର୍ଦ୍ଦେଶ ଆସିଲା ,

--ରୁହନ୍ତୁ ,ମୁଁ ଶୁକ ଦେଈ ଙ୍କୁ କହୁଛି ସେ ଗରମ ଚାହା ଆଣିଦେବେ । ଆରେ ନିକି ...ଯାଅ ତ ଶୁକଦେଈ ଙ୍କୁ ଅନ୍ୟ ଏକ ଚାହା କପ ଆଣିବାକୁ କହିବ ।

   ଏଇ ଭିତରେ କିନ୍ତୁ ଶିବାନ କୋଠରୀ ଭିତର ର ଶାନ୍ତ କୋମଳ ସାଜ ସଜ୍ଜା କୁ ନିରୀକ୍ଷଣ କରୁଥିଲା । କାନ୍ଥରେ ବିଭିନ୍ନ ସମୟର ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମାନଙ୍କର ତୈଳ ଚିତ୍ର ,ପଟ୍ଟ ଚିତ୍ର ,ଇତ୍ୟାଦି ଟଙ୍ଗା ହୋଇଥାନ୍ତି ।

     କିଛି ଲୋକ ବସିବା ଭଳି ଅର୍ଦ୍ଧ ବୃତ୍ତାକାର ରେ ସୋଫା ପଡିଥାଏ । ଆଖି ବୁଲୁବୁଲୁ ଗୋଟିଏ ଚିତ୍ର ରେ ଅଟକିଗଲା ,ଖୁବ୍ ଆକର୍ଷଣୀୟ ଆଖିଯୋଡିକ ଉପରେ । ଏମିତି ଆଖି ଯେ କେବେ ସେ ଦେଖିଛି ,ସ୍ମରଣ ହେଉ ନ ଥାଏ ।

    "ଆପଣଙ୍କ ଚାହା "। ଧ୍ୟାନ ଭଙ୍ଗ ହେଲା ଶିବାନ ଙ୍କର । ନିକି ଆଡକୁ ଚାହିଁ ସେ ଚାହା କପ ରେ ଚୁମୁକ ଦେଲା । ପକେଟ ରୁ କାର୍ଡ ଖଣ୍ଡେ ବାହାର କରି ଟି ପୟ ଉପରେ ରଖିଦେଇ କହିଲା --" ଠିକ୍ ଅଛି ଆପଣ ତେବେ କଥା ହୋଇ ମୋତେ ଜଣେଇବେ " କହି ଶିବାନ ପ୍ରସ୍ଥାନ କଲା ।


               ଘର୍ମାକ୍ତ ହୋଇ ଉଠୁଥାଏ ଶିବାନ ର ସମଗ୍ର ମୁଖମଣ୍ଡଳ ଓ ଶରୀର । ସେଇ " ଆଖି " ଓଃ ସେଇ ଆଖିଯୋଡିକୁ ପୁଣି ଦେଖୁଛି ସେ । ସେଇ କଥା ସେଇ ଆହ୍ୱାନ ଓଃ ହୋ ,ମୁଣ୍ଡ କୁ ଦୁଇ ହାତରେ ଚିପିଧରି ଉଠିପଡ଼େ ସେ ।

ଭୀଷଣ ମାନସିକ ଦୁଶ୍ଚିନ୍ତା ର ଶୀକାର ହେଉଛି ସେ । ନିଜକୁ ସାମାନ୍ୟ ପରିବର୍ତ୍ତିତ କରିବା ପାଇଁ ସେଦିନ ଶିଶୁ ଉଦ୍ୟାନ ଆଡକୁ ଯାଇଥାଏ ଶିବାନ । ଅଚାନକ ରାଗେଶ୍ୱରୀ ଦେବୀ ଙ୍କ ସହ ସାକ୍ଷାତ ହୋଇଯିବ ବୋଲି ଆଦୌ କଳ୍ପନା କରି ନ ଥିଲା । କିଛି ପିଲାଙ୍କ ସହ ରାଗେଶ୍ୱରୀ ବସିଥାନ୍ତି ପାର୍କ ର ଗୋଟିଏ କୋଣ କୁ । କିଛି ସମୟ ପରେ ପିଲାମାନେ ଖେଳିବାକୁ ଲାଗିବାରୁ ଶିବାନ ତାଙ୍କ ନିକଟବର୍ତ୍ତୀ ହୋଇ ମୃଦୁ ସମ୍ଭାଷଣ ଜଣାଇଲା ।

---ଆରେ ଆପଣ ଏଠି ?

---କିଏ ? କେଇକ୍ଷଣ ନୀରବତା ପରେ ,ଦୟାକରି ପରିଚୟ ଟା ଦିଅନ୍ତୁନା ...ମୁଁ ଠିକ୍ ଜାଣିପାରୁନି ।

----ମୋତେ ଜାଣିନାହାନ୍ତି ? ଆପଣଙ୍କ ସହିତ .....

----ଆରେ ...ଆପଣ ....ଆପଣ ହେଉଛନ୍ତି ଶିବାନ ବାବୁ ।

......କଣ ଠିକ୍ କହିଲି ତ ? ଯେମିତି ମନେ ପକେଇ ପକେଇ କହିଲେ ରାଗେଶ୍ଵରୀ ।

    ସାମାନ୍ୟ କିଛି ଆଳାପ ରୁ ଆତ୍ମୀୟତା ର ବୃଦ୍ଧି କିନ୍ତୁ ସେଇ ଚିତ୍ର ପଟ୍ଟ ପାଖରେ ଅଟକି ଯାଏ ଶିବାନ ର ଆଖି । ନିର୍ଣ୍ଣିମେଶ ନୟନ ରେ ଚାହିଁରହେ ସେ । ପ୍ରଶ୍ନ କରିବାକୁ ଇଛା କରି ମଧ୍ୟ କରିପାରେନା ।

--ଆପଣ ସବୁବେଳେ ଏଇ କଲର ଗ୍ଲାସ ୟୁଜ କରନ୍ତି କାହିଁକି ?

ହଠାତ ଦିନେ ତା ପାଟିରୁ ପ୍ରଶ୍ନ ଟି ବାହାରିଗଲା । ତତ୍ପରେ କ୍ଷଣ ଟିଏ ପରେ ,ଓଃ କ୍ଷମା କରିବେ ,ମୋର ଏ ପ୍ରଶ୍ନ ପଚାରିବାର ଅଧିକାର ମୋର ନାହିଁ ।

----ଅଧିକାର ର କଥା ନୁହେଁ ଯେ ,ସମସ୍ତଙ୍କୁ ସବୁ କଥା କହି ହୁଏ ନାହିଁ । ଯଦି କେବେ କହିବାର ହୁଏ ତେବେ ନିଶ୍ଚୟ

ଶୁଣିବେ । ତେବେ ଆସନ୍ତାକାଲି ଯୋଉ ପ୍ରୋଗ୍ରାମ ଅଛି ସେଥିପାଇଁ ରେଡି ହେବାକୁ ପଡିବ । ମୁଁ ଭାବୁଛି ଆଜିଠାରୁ ଚାଲିଗଲେ ଭଲ ହେବ ।

-----କିଛି ଆବଶ୍ୟକ ନାହିଁ । ଟିକିଏ ସକାଳୁ ଉଠି ଚାଲିଗଲେ ହେବ । ବୁଲାବୁଲି ସାଙ୍ଗକୁ ସବୁକାମ ହୋଇଯିବ । ରାତିରେ ଯାଇ ଅଯଥାରେ ହଇରାଣ ହେବା ଦରକାର କ'ଣ ?

କହି କହି ଆସିଲେ ମାହେଶ୍ୱରୀ । ବୁଦ୍ଧ ପୂର୍ଣ୍ଣିମା ନିମନ୍ତେ ମ୍ୟୁଜିକ କଂସର୍ଟ ର ଆୟୋଜନ ଥିଲା ଧଉଳି ଶାନ୍ତି ସ୍ତୂପ ରେ । ମଞ୍ଚ ରେ ଆସୀନା ରାଗେଶ୍ୱରୀ ଙ୍କ ଶାସ୍ତ୍ରୀୟ ସଙ୍ଗୀତ ର ଆରୋହ ଅବରୋହ ର ପ୍ରତି ଟି ଆଳାପ ,ଗୋଟି ଗୋଟି କରି ତବଲା ର ଅନୁରୂପ ଧ୍ୱନୀ ଏବଂ ଶୁଦ୍ଧ ତାନ ର ମଧୁର ମୂର୍ଚ୍ଛନା ପ୍ରତ୍ୟେକ ଙ୍କ ହୃଦୟ କୁ ଛୁଇଁ ଯାଉଥାଏ । ଫେରନ୍ତା ରାସ୍ତା ରେ , ଦିନ ରେ ରାଗେଶ୍ୱରୀ ସହିତ ବିତାଇଥିବା ମୁହୂର୍ତ୍ତ ଗୁଡିକ ଉଙ୍କି ମାରୁଥାନ୍ତି ଶିବାନ ର ମାନସ ପଟରେ । ହଠାତ ଅନ୍ୟ ଏକ ମୋଟର ଗାଡି ସହିତ ଧକ୍କା ହେଲା । ଆକସ୍ମିକ ଦୁର୍ଘଟଣାରେ ଆହତ ହୋଇ ଅଚେତ ଅବସ୍ଥାରେ ଶିବାନ କୁ ରାଜଧାନୀ ସରକାରୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତିହେବାକୁ ପଡେ । ନୂତନ ଭାବେ ଜଏନ କରିଥିବା ଡାକ୍ତର ଙ୍କୁ ଲାଗେ ଶିବାନ କୁ କୋଉଠି ଦେଖିଛନ୍ତି । କିନ୍ତୁ ଚିକିତ୍ସା ଆରମ୍ଭ କରିବା ସମୟ ରେ ହିଁ ସେ ତା'କୁ ଚିନ୍ହି ପାରନ୍ତି ।

---ଆରେ ୟେ ତ ଆର୍ମି ଅଫିସର ଅରୂପ ସାମନ୍ତରାୟ । ମୁଁ ହିଁ ତାଙ୍କର ଚିକିତ୍ସା କରିଥିଲି ଆର୍ମି କ୍ୟାମ୍ପ ରେ । କିନ୍ତୁ ସେ ଏଠି ,ଏମିତି ଅବସ୍ଥାରେ ?

ସବୁକଥା ଶୁଣିସାରିବା ପରେ ଡାକ୍ତର ମହାଶୟ ଦୁଃଖିତ ହେଲେ ଏବଂ ଶେଷରେ କୌଣସି , ଆପଣାର ବିଶେଷ ଅନୁଭୂତି ଦ୍ୱାରା ଅରୂପ ତା'ର ସ୍ମୃତି ଶକ୍ତି ଫେରିପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣାଇଲେ ।

ରାଗେଶ୍ୱରୀ ର ରୋମ କୂପ ଅଦ୍ଭୁତ ଉତ୍ତେଜନା ରେ ଶିହରିତ ହୋଇ ଉଠୁଥିଲା । ଗଭୀର ଆବେଗ ରେ ଡାକ୍ତର ଙ୍କ ଗୋଡ ଦୁଇଟିକୁ ଜାବୋଡି ଧରିଲା ସେ ।

 ---ନାଇଁ ଡାକ୍ତର ବାବୁ ,ଆପଣ ତାଙ୍କୁ ଯେମିତି ହେଉ ଠିକ୍ କରିଦିଅନ୍ତୁ । ମୁଁ ....ମୁଁ ତାଙ୍କ ସ୍ମୃତି ଫେରିବାରେ ସାହାଯ୍ୟ କରିବି। ହଁ ମୁଁ , , ମୋତେ ଚିନ୍ହି ପାରୁଛନ୍ତି ? ? ମୁଁ ସେଇ ଝିଅ ଯାହାକୁ ସିପାହୀ ମାନେ ତଡି ଦେଇଥିଲେ । ଆଉ ସେଇ ତଡିବା ଭିତରେ ହିଁ ମୋର ଏଇ ଦୁଇ ଆଖି ଭିତରୁ ଗୋଟିଏ ଆଖି ଦୁର୍ଘଟଣା ବଶତଃ ନଷ୍ଟ ହୋଇଗଲା ଆଉ..... ପରେ ପରେ କିଛିଦିନ ଭିତରେ ଚିକିତ୍ସା କରି ନ ପାରିବାରୁ ଅନ୍ୟ ଆଖି ଟି ବି ନଷ୍ଟ ହୋଇଗଲା । ଯୋଉ ଦୁଇ ଆଖି କୁ ଅରୂପ ଏତେ ଭଲପାଉଥିଲେ ସେ ଆଖି ବଦଳ ରେ ମୋତେ ଏଇ କୃତ୍ରିମ ଆଖି ଯୋଡିକୁ ମାହେଶ୍ୱରୀ ଅପା ଲଗାଇ ଦେଇଥିଲେ ।

ଭଗବାନ ଙ୍କ ପରେ ଡାକ୍ତର ହିଁ ଦ୍ଵିତୀୟ ଈଶ୍ୱର । ପ୍ଲିଜ଼ ..ପ୍ଲିଜ଼ ଆପଣ ନିଶ୍ଚୟ କିଛି ଗୋଟେ କରନ୍ତୁ ।

ଅରୂପ ଓରଫ ଶିବାନ ର ଚେତନା ଫେରିଆସୁଥିଲା । ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭୁତ ହେଉଥାଏ ।


    ଓଃ ଚାରିଆଡେ କି ଘନ କୁହୁଡି । କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହଲିବାକୁ ଲାଗିଥାଏ । ହଠାତ ଲୋକମାନେ ପରସ୍ପର ଙ୍କ ମଧ୍ୟରେ ଧକ୍କା ହେବାର ଦେଖାଯାଏ । ଭୟ ରେ ଆତୁର ଲୋକଙ୍କ ର ଚିତ୍କାର ସହିତ ଭୀଷଣ ଶବ୍ଦ ସହିତ କେତେକ ବଗି ଲାଇନଚ୍ୟୁତ ହେବାର ଖବର ବିଜୁଳି ବେଗରେ ଖେଳିଯାଏ ଚତୁର୍ଦ୍ଦିଗ । ବିକଳ ଚିତ୍କାର ,ଆତୁର କ୍ରନ୍ଦନ ,ଏବଂ ତା'ସାଥୀରେ ଲୋକଙ୍କର ଅହେତୁକ ଧାଁ ଧପଡ଼ ପରସ୍ଥିତି କୁ ଅଜଣା ଆଶଙ୍କା କୁ ଠେଲିଦେଇଥାଏ । ହୁଏତ ଏମିତି ଦୁର୍ଘଟଣା କୁ କେହି ଆଶା କରି ନ ଥାନ୍ତି । କିନ୍ତୁ ଦୁର୍ଭାଗ୍ୟ ତା ସମୟ ରେ ଆସିଥାଏ ଆଉ ବେଦନାମୟ ଖେଳ ବି ଖେଳି ଥାଏ । ଇଣ୍ଡିଆନ ଆର୍ମଡ଼ ଫୋର୍ସ ର ଅରୁପ ...ଅରୁପ ସାମନ୍ତରାୟ ଟୁ ଷ୍ଟାର ବେଜ ଧାରୀ । କମିଶନଡ଼ ସର୍ଭିସ ର ଅହରହ ଚାରିବର୍ଷ ର ନିରବଛିନ୍ନ ସଂଘର୍ଷ

ଦେଇଛି ସେ ଇଣ୍ଡିଆନ ଆର୍ମି କୁ । ପ୍ରତିବଦଳରେ ତାକୁ ମିଳିବ ଥ୍ରୀ ଷ୍ଟାର ର ମାନ୍ୟତା । ଲିଉଟନାଟ ରୁ କାପଟେନ ହେବା ର ଅବସରରେ କେଇଟା ଦିନ ପାଇଁ ଘର ଲୋକଙ୍କ ସହିତ ସମୟ କାଟିବା ପାଇଁ ବାହାରିଥିଲା ସେ । କିନ୍ତୁ ଦୁର୍ଘଟଣା ର ଶୀକାର ହୋଇ ଆର୍ମି ଅଫିସର ମାନଙ୍କ ଦ୍ୱାରା ଉଦ୍ଧାର ପାଇ ହସ୍ପିଟାଲରେ ନିଜକୁ ଆବିଷ୍କାର କଲା ଅରୁପ କିନ୍ତୁ ଆଉ ନିଜକୁ ଚିନ୍ହିପାରୁ ନ ଥିଲା ସେ । କେଇଘଣ୍ଟା ପରେ ପୁଣି ଚେତନା ହରାଇଥିଲା ଅରୁପ । ପରିବାର ର ତତ୍ତ୍ଵାଵଧାନ ରେ ଦୀର୍ଘ ଦିନ ଧରି ସେ କୋମା ରେ ରହିଲା । ନାନା ପୂଜା ଅର୍ଚ୍ଚନା ,ମାନସିକ ଇତ୍ୟାଦି ଦ୍ୱାରା ପ୍ରେରିତ ହୋଇ ଶେଷରେ ଚେତନା ଆସିଲା ଅରୁପ ର । ବ୍ରାହ୍ମଣ ତା ର ପୁନର୍ଜନ୍ମ ବୁଝି ତାକୁ ଡାକିଲେ ଶିବାନ । ଅରୁପ ରୁ ପରିବର୍ତ୍ତିତ ହୋଇଗଲା ସେ ଶିବାନ କୁ । ସେଇଦିନ ଠାରୁ ସମସ୍ତେ ଡାକିଲେ ଶିବାନ ।

 

--ଆଃ ....ମୁଁ କୋଉଠି ?

---ବ୍ୟସ୍ତ ହୁଅନା । ତମେ ଏବେ ବିପଦ ମୁକ୍ତ ।

----କିନ୍ତୁ ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରା ହଉଛି ତ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ନିତାନ୍ତ ଜରୁରୀ ।

---ଆଉ କେହି ଆହତ ହୋଇନାହାନ୍ତି ।

---କିନ୍ତୁ କଳିଙ୍ଗ ଉତ୍କଳ ଡି ରେଲଡ଼ ହୋଇଥିଲା ଡକ୍ଟର । ମୋ ସହ ଅନ୍ୟମାନେ ମଧ୍ୟ ଇଂଜୋର୍ଡ ହୋଇଥିଲେ ।

----ଓ କେ ,ଓ କେ .....ଅରୂପ । ଥେଙ୍କ ଗଡ ....ଓଃ ଇଟ ଇଜ ବୋଣ୍ଡରଫୁଲ । ( ରାଗେଶ୍ୱରୀ ଙ୍କୁ ସାମ୍ନା କୁ ନେଇ ଆସି ) ଦେଖିଲ ,ୟେ କିଏ ? ? ......ଚିନ୍ହି ପାରୁଛ ? ?

ଯନ୍ତ୍ରଣା ମିଶା ସ୍ମିତହାସ୍ୟ ଟିଏ ଖେଳାଇ କହିଲା ---ଆରେ ରାଗୀ ତମେ ଏଠି ? କେମିତି ଆସିଲ ? ?

  ମାହେଶ୍ୱରୀ ତାକୁ ବ୍ୟସ୍ତ ନ ହେବା ପାଇଁ ଧୈର୍ଯ୍ୟ ଧରିବା ପାଇଁ ଉପଦେଶ ଦେଲେ ଏବଂ ସୁସ୍ଥ ହୋଇଗଲେ ସବୁ କିଛି ଜାଣିଯିବେ ବୋଲି ଆଶ୍ୱାସନା ଦେଲେ ।


   ଆଜି ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଛି ରାଗେଶ୍ୱରୀ କୁ ନିଜ ସାଥୀରେ ନେଇଯିବାକୁ ତା ଘରକୁ । ଏଇ କେତେଦିନହେବ ସେଇ ଆଖିଯୋଡିକ ର ସ୍ୱପ୍ନ ଜାଗ୍ରତ ଓ ନିଦ୍ରା ରେ ଉଭୟ ଚୈତନ୍ୟ ଓ ଜାଗରଣ ରେ ସଦା ସର୍ବଦା ରାଗେଶ୍ୱରୀ ର କଣ୍ଠ ଆଉ ସେଇ କାନ୍ଥ ରେ ଟଙ୍ଗା ହୋଇଥିବା ଆଖି ଯୋଡିକ ତା'ର ଶାନ୍ତି ଭଗ୍ନ କରିଛନ୍ତି । ସବୁକିଛି ଜାଣିସାରିଛି ସେ । ସେଇ ଚିତ୍ରପଟ୍ଟ ରେ ଥିବା ଆଖି ଯେ ରାଗେଶ୍ୱରୀ ର ଏବଂ ଦିନେ ତା'ରି ପାଇଁ ତାହା ନଷ୍ଟ ହୋଇଛି ଜାଣି ଭୀଷଣ କଷ୍ଟ ହେଉଛି ତାକୁ । ହୃଦୟ ଶରାହତ ପକ୍ଷୀ ପରି ଛଟପଟ ହେଉଛି । ସେଇ ଆଖିପତା ଉପରେ ସେ କେତେଥର ଚୁମା ନ ଦେଇଛି । କେତେ ସ୍ୱପ୍ନ ନ ଦେଖିଛି । ବୋର୍ଡର ଲାଇନ ଉପରେ କେତେ ପ୍ରହର ନ ବିତାଇଛି ସେଇ ଆଖି କୁ ମନେ ପକେଇ । ନା ....ନା ,ଏମିତି ବ୍ୟର୍ଥ ହେବାକୁ ସେ ଦେଇପାରିବନି ସମଗ୍ର ଜୀବନ । ଯେମିତି ହେଉ ସେ ରାଗେଶ୍ୱରୀ ର ଆଖି ଭଲ କରିବ ।

ରାଗେଶ୍ୱରୀ ତା ପାଖରେ ଆସି କେତେବେଳୁ ଠିଆ ହେଲାଣି ତା ସ୍ପର୍ଶ ରୁ ଜାଣିଲା । ଦୁଇ ହାତ ରେ ରାଗେଶ୍ୱରୀ ତାକୁ ଅଣ୍ଡାଳି ଧରୁଛି । ନାରୀ ର ସ୍ଵଭାବସିଦ୍ଧ ଲଜ୍ଜା ଯୋଗୁ ତା'ର ଓଠ ଥରିଯାଉଥାଏ ,,ଛାତିରେ ଟିକେ ଜଡାଇ ଧରିବାକୁ ବିକଳ ନୀରବ ପ୍ରତ୍ୟାଶା । ଅରୂପ କ୍ଷଣେ ଚାହିଁଲା । ବୋଧହୁଏ ମାପୁଥିଲା ରାଗେଶ୍ୱରୀ ର ପ୍ରେମ କୁ । ତା ଆଖି କୋଣ ର ଜକେଇ ଆସୁଥିବା ଲୁହ ବୁନ୍ଦା କୁ ଅବରୋଧ କରିବାକୁ ଯାଇ ଅତି ନିବିଡ ଭାବରେ ଜଡାଇ ଧରି ଅଶ୍ରୁବୁନ୍ଦା ଉପରେ ନିଜ ଓଠ ଥାପିଲା ଅରୂପ ।

---ମୁଁ ନିଜକୁ ଅସହାୟ ଭାବୁନି । ତମେ ମୋତେ ମିଳିଯାଇଛ ।

ଏଣିକି ମୁଁ ତମ ଆଖିରେ ସବୁକିଛି ଦେଖିବି ।

   ସଁ ସଁ ହୋଇ ନାକ କାନ୍ଦୁରା ସ୍ୱର ରେ ବିଷର୍ଣ୍ଣ କଣ୍ଠ ରେ କହୁଥିଲା ରାଗେଶ୍ୱରୀ ।

ସେମାନଙ୍କ ର ଏହି ଯୁଗଳ ବନ୍ଦୀ ମୂର୍ତ୍ତି କୁ ନିର୍ନିମେଶ ନୟନ ରେ ଦେଖୁଥିଲେ ମାହେଶ୍ୱରୀ ,ଶୁକ ଦେଈ ,ନିକି । ହଠାତ ନିକି ଦଉଡି ଆସି ଅରୂପ ଆଉ ରାଗେଶ୍ୱରୀ ଙ୍କ ସହ ଜଡିଗଲା ଆଉ କହିବାକୁ ଲାଗିଲା ,---"ମୋ ଆଖିରେ ଦେଖିବ ମୋ ରାଗୀ।

ନା ...ମାଆ ! ( ମାହେଶ୍ୱରୀ ଙ୍କ ଆଡକୁ ଚାହିଁ ) ମୁଁ ତ ଆଉ ବେଶୀ ଦିନ ବଞ୍ଚିବିନି । ମୋ ଆଖି କୁ ତମେ ସମସ୍ତେ ମିଶି ମୋ ରାଗୀ ଆଖିରେ ଲଗେଇ ଦବ । ସେଇ ଆଖିରେ ମୁଁ ମୋ ରାଗୀ ଭିତରେ ରହି ଦେଖିବି ।ଏଥର ହସ ତ ଟିକେ ! ! "।

   ରାଗେଶ୍ୱରୀ ନିକି କୁ କୁଣ୍ଢାଇ ପକାଇଲା । ସେ ଜାଣେ ,ଅନାଥ ପିଲା ଟି ର ଆୟୁଷ ଆଉ ଅଳ୍ପ ଦିନ । ତଥାପି ନିକି ଅନ୍ୟ ସାଧାରଣ ପିଲା ଙ୍କ ପରି ବ୍ୟବହାର ଦେଖାଏ ।

କେବେ ମନ ଊଣା କରେ ନାହିଁ । ଭଗବାନ ଙ୍କ ସୃଷ୍ଟି ବଡ ବିଚିତ୍ର। ଝିଅଟି ର ଗୋଟେ କିଡନୀ ନାହିଁ । ଅନ୍ୟ କିଡନୀ ଟି ଛୋଟିଆ ଏବଂ ଖରାପ । ତତ ସହିତ ବ୍ଲାଡ଼ର ମଧ୍ୟ ନାହିଁ । ଏମିତି ବିଭିନ୍ନ ଶାରିରୀକ ସମସ୍ୟା ଥାଇ ଝିଅଟି ଜୀବନର ସାବଲୀଳ ଛନ୍ଦ ହରାଇଛି । କାହାର କିଛି କରିବାର ନାହିଁ ।

ଆଖିରୁ ଲୁହ ଧାର ସବୁ ନିଗିଡି ପଡୁଥିଲା ଉପସ୍ଥିତ ବ୍ୟକ୍ତିଙ୍କ ଆଖିରୁ ...!।

---ନିକି ,ତୋ ହୃଦୟ ର ବିଶାଳତା ଆଗରେ ଦୁନିଆ ର ସବୁ କିଛି ତୁଚ୍ଛ ଲୋ ....ଜନ୍ମ ଜନ୍ମ ପାଇଁ ଋଣୀ କରିଦେଲୁ ସେଇ ଆଖି ଯୋଡିକ ପାଇଁ ।

ରାଗେଶ୍ୱରୀ ଧଙ୍କି ଧଙ୍କି କହୁଥାଏ ନିକି କୁ ଏକ ଆବେଗ ରେ ନିଜ ଛାତିରେ ବାନ୍ଧି ରଖି


Rate this content
Log in

Similar oriya story from Classics